ତିନି ମାସର ପିଲା ପେଟରୁ ବାହାରିଲା ଆଉ ଗୋଟେ ଛୁଆ ! ବିଶ୍ୱରେ ଘଟିଥିବା ୨୦୦ ବିରଳ ଘଟଣା ଭିତରୁ ଗୋଟିଏ

ବିହାରର ଭଭୁଆ ଜିଲ୍ଲାରେ ଏକ ତିନି ମାସର ଛୁଆ ପେଟରୁ ବାହାରିଛି ଆଉ ଗୋଟେ ଜାଆଁଳା ଛୁଆ । ଡ଼ାକ୍ତରମାନେ ଏହାକୁ ଟ୍ୟୁମର ଭାବି ଅସ୍ତ୍ରୋପଚାର କରିବା ପରେ ଏହା ଜନ୍ମ ହୋଇଥିବା ଛୁଆର ଜାଆଁଳା ବୋଲି ଜଣା ପଡ଼ିଥିଲା । ତିନି ମାସ ଛୁଆର ପେଟ ଆପେ ଆପେ ବଢ଼ିବାରୁ ମାତା-ପିତା ରଞ୍ଜୁବାଳା ଏବଂ ସତେନ୍ଦ୍ର ୟାଦବ୍‌ ପିଲାଟିକୁ ଉତ୍ତର ପ୍ରଦେଶର ବନାରସ ହିନ୍ଦୁ ୟୁନିଭର୍‌ସିଟି ମେଡ଼ିକାଲ କଲେଜ୍‌ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଏହା କ’ଣ ବୋଲି ଜାଣିବା ପାଇଁ ଡ଼ାକ୍ତର ବିଭିନ୍ନ ପରୀକ୍ଷା କରିଥିବା ବେଳେ ଏହା ଏକ ଟ୍ୟୁମର ବୋଲି ଜଣା ପଡ଼ିଥିଲା । ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯିବ ବୋଲି ଡ଼ାକ୍ତର ପିଲାଟିର ମାତା-ପିତାଙ୍କୁ ଜଣାଇଥିଲେ । କିନ୍ତୁ ଅସ୍ତ୍ରୋପଚାର ପରେ ଯାହା ବାହାରିଥିଲା ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପିଲାଟିର ଅସ୍ତ୍ରୋପଚାର କରିବା ପରେ ମଣିଷ ପରି ଦେଖା ଯାଉଥିବା ଭ୍ରୂଣ ବାହାର କରାଯାଇଥିଲା । ଏହି ଅବସ୍ଥାକୁ ଡ଼ାକ୍ତରି ଭାଷାରେ ‘ଫ୍ୟୁଟସ୍‌ ଇନ୍‌ ଫେଟୁ’ ବୋଲି କୁହାଯାଏ ।

nypost.com

ଏହା ଯାଆଁଳା ପିଲାମାନଙ୍କର ଅର୍ଦ୍ଧ ବିଭାଜନ ପାଇଁ ହୋଇଥାଏ, ଯେଉଁଥିରେ ଠିକ୍‌ ଭାବରେ ବଢ଼ି ନ ପାରି ଥିବା ଶିଶୁଟି ସୁସ୍ଥ ଥିବା ଶିଶୁର ଶରୀରରେ ମିଶି ଯାଇଥାଏ । ଶିଶୁଟିର ଚିକିତ୍ସା କରୁଥିବା ଡ଼ାକ୍ତର ଏସ୍‌ପି ଶର୍ମା କହିଛନ୍ତି କି “ଏହାକୁ ଟ୍ୟୁମର ଭାବି ଅସ୍ତ୍ରୋପଚାର କରିବା ପରେ ପିଲାଟିର ପେଟରେ ବିକୃତ ଭ୍ରୂଣ ଦେଖି ଆମେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲୁ । ଅସ୍ତ୍ରୋପଚାର ପରେ ପିଲାଟିର ଅବସ୍ଥା ଏବେ ଭଲ ଅଛି ଏବଂ ଏହି ସପ୍ତାହ ଶେଷରେ ପିଲାଟିକୁ ଡ଼ିସ୍‌ଚାର୍ଜ କରାଯିବ” ।

ଅନ୍ୟ ପକ୍ଷରେ ଶିଶୁଟିର ବାପା ସତେନ୍ଦ୍ର କହିଛନ୍ତି, “ବାହାଘରର ୪ବର୍ଷ ପରେ ଆମକୁ ଆମ ପୁଅ ମିଳିଥିଲା । କିନ୍ତୁ ତାର ଏଭଳି ଅବସ୍ଥା ଦେଖି ତାକୁ ହରାଇଦେବୁ ବୋଲି ଭାବି ଆମେ ଡ଼ରି ଯାଇଥିଲୁ । ମୋ ପୁଅର ଜୀବନ ବଞ୍ଚାଇ ଥିବାରୁ ମୁଁ ଡ଼ାକ୍ତରଙ୍କୁ ଧନ୍ୟବାଦ ଜଣାଉଛି” । ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ ଏହି ଭଳି ୨୦୦ଟି ଘଟଣା ସାମ୍ନାକୁ ଆସିଛି ।

ସମ୍ବନ୍ଧିତ ଖବର