ଜୟନ୍ତରୁ ଏପରି ସାଜିଲେ ଜୟୀତା: ପ୍ରଥମ କିନ୍ନର ବିଚାରପତି!

ମଣିଷ ହେଉଛି ସୃଷ୍ଟିକର୍ତ୍ତାଙ୍କ ସର୍ବୋତ୍ତମ କୃତ୍ତି। ଆଉ କିନ୍ନର ମାନେ ମଧ୍ୟ ସ୍ରଷ୍ଟାଙ୍କ ଏହି ସୃଷ୍ଟିର ଏକ ଅଂଶ। କିନ୍ତୁ ସମାଜ କିନ୍ନର ସଂପ୍ରଦାୟକୁ ଏକ ଭିନ୍ନ ଚକ୍ଷୁରେ ଦେଖେ। ସେମାନେ ବି ମଣିଷ। ସେମାନଙ୍କୁ ବି ଦରକାର ସ୍ନେହ, ପ୍ରେମ , ଭଲପାଇବା। କିନ୍ତୁ ସମାଜ ସବୁବେଳେ ସେମାନଙ୍କୁ ଲାଞ୍ଛନା ଦେଉଛି। ପୁରୁଷ ଏବଂ ନାରୀ ପରମ୍ପରାଗତ ଭାବରେ ଆମର ମାନସିକତା ଏହି ଦୁଇ ପ୍ରକାର ମଣିଷ ଭିତରେ ସୀମିତ ହୋଇଯାଇଛି। କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ଅର୍ଥାତ କିନ୍ନରଙ୍କ କଥା ସେତେବେଳେ ମଣିଷ ସମାଜ ସେମାନଙ୍କଠାରୁ ଆଖି ଫେରାଇ ନେବାର ମାନସିକତା ଦେଖିବାକୁ ମିଳେ। ଏକ ଆଶ୍ଚର୍ଯ୍ୟଜନକ ଚାହାଣୀରେ ସେମାନଙ୍କୁ ସମାଜ ଦେଖେ। ଅନ୍ୟମାନଙ୍କୁ ଆଶିର୍ବାଦ ଦେଉଥିବା ଏହି ତୃତୀୟ ଲିଙ୍ଗଧାରୀ ମଣିଷମାନେ କିନ୍ତୁ ବିତାଉଛନ୍ତି ଅଭିଶପ୍ତ ଜୀବନ।

ଆଉ ଯାହାର କାରଣ ଆମମାନଙ୍କ ଦୃଷ୍ଟିଭଙ୍ଗୀ। ଯଦିଓ ବହୁ ତର୍କ, ବିତର୍କ, ବାଦ ଓ ବିବାଦ ପରେ ଆମ ଆଇନ୍‌ ଏହି ବର୍ଗକୁ ସ୍ୱୀକୃତି ଦେଇସାରିଛି ତଥାପି ଆମମାନଙ୍କ ମାନସିକ ସ୍ତରରେ କୌଣସି ପରିବର୍ତ୍ତନ ହୋଇନାହିଁ। ତେବେ ଆମ ସମସ୍ତଙ୍କ ବିଚାରଧାରାରେ ପରିବର୍ତ୍ତନ ଯୋଗୁଁ ସେମାନେ ନିଜକୁ କେବେ ଅବହେଳିତ ଭାବିବେ ନାହିଁ। ଆଜିର ସମୟରେ କିନ୍ନରମାନେ ପୁଲିସ୍‌ ଏବଂ ଅଧ୍ୟାପକ ଭଳି ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଛନ୍ତି। ତେବେ ଆଜି ଆସନ୍ତୁ ଏମିତି ଜଣେ କିନ୍ନରଙ୍କ ବିଷୟରେ ,ଯିଏ ତାଙ୍କ ସମୁଦାୟ ପାଇଁ ପ୍ରେରଣା ସୃଷ୍ଟି କରିଛନ୍ତି।

ମାତ୍ର ୩ ବର୍ଷ ବୟସରୁ ଜୟନ୍ତୋ ଝିଅମାନଙ୍କ ଖେଳ ଖେଳିବା ପାଇଁ ଭଲ ପାଉଥିଲେ। ଛୋଟ ପିଲା ବଡ଼ ହେଲେ ଧୀରେ ଧୀରେ ସୁଧୁରଯିବ ବୋଲି ତାଙ୍କର ମା’ ବାପା ଜୟନ୍ତୋର ଏପରି ବ୍ୟବହାରକୁ ଅଣଦେଖା କରୁଥିଲେ। ତାଙ୍କୁ ଲାଗୁଥିଲା ସମୟ କ୍ରମେ ଧୀରେ ଧୀରେ ଜୟନ୍ତୋ କ୍ରିକେଟ କିମ୍ବା ଫୁଟବଲ ପସନ୍ଦ କରିବାରେ ଲାଗିବ। ତାଙ୍କର ମା’ ପିଲାଦିନେ ତାଙ୍କୁ ମେକ୍‌ ଅପ୍‌ ଲଗାଇଥିବାରୁ ଗାଳି କରିଥିଲେ। ସ୍କୁଲରେ ପିଲାମାନେ ତାଙ୍କୁ ଚିଡ଼ାଉଥିଲେ ଓ ସେଥିପାଇଁ ତାଙ୍କୁ ସ୍କୁଲ ଛାଡ଼ିବା ପାଇଁ ପଡ଼ିଲା। ୨୦୦୯ ମସିହାରେ ବାଧ୍ୟ ହୋଇ ସେ ତାଙ୍କ ଘର ଛାଡ଼ି ଦେଇଥିଲେ। ଘର ଛାଡ଼ିବା ପରେ ତାଙ୍କୁ ଭିକ ମାଗିବାପାଇଁ ପଡ଼ିଥିଲା। ଏପରିକି ରାସ୍ତାରେ ମଧ୍ୟ ତାଙ୍କୁ ଶୋଇବା ପାଇଁ ପଡ଼ୁଥିଲା।

ଆଠ ବର୍ଷ ପରେ ଆଜି ସେ ଜୟନ୍ତୋରୁ ଜୟୀତା ହୋଇଛନ୍ତି। ସେ ଭାରତର ପ୍ରଥମ କିନ୍ନର ବିଚାରପତି। ସେ ତାଙ୍କ ସମୁଦାୟ ପାଇଁ ଏକ ପ୍ରେରଣା ସାଜିଛନ୍ତି। ଜୟୀତା କହିଛନ୍ତି ଯେତେବେଳେ ମୁଁ ନିଜକୁ ଭିତରୁ ଜଣେ ମହିଳା ଅନୁଭବ କଲି, ସେତେବଳେ ଘର ଛାଡ଼ିବାର ନିଷ୍ପତ୍ତି ନେଇଥିଲି। ମା-ବାପାଙ୍କୁ ବଦନାମୀରୁ ବଞ୍ଚାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିଲେ ବୋଲି ଜଣାଇଛନ୍ତି। ସେ କିଛି କରିବା ପାଇଁ ଚାହୁଁଥିଲେ। ଏହି ଆଶାରେ ସେ ସିଲିଗୁଡ଼ି ଚାଲି ଆସିଥିଲେ। ଜୟୀତା ଦିନାଜପୁର ଜିଲ୍ଲାରେ ଏକ ଏନଜିଓ ଆରମ୍ଭ କରିଥିଲେ। ସେଠାରେ ଇସଲାମପୁରର ଡେପୁଟି କଲେକ୍ଟର ଥାଣ୍ଡୁୁକ୍‌ ସେରପା ସହ ତାଙ୍କର ଦେଖା ହୋଇଥିଲା। ସେ ଜୟୀତାଙ୍କ ପାଇଁ ପ୍ରେରଣା ସାଜିଥିଲେ। ଜୟୀତା ଆଜି ଯାହା ବି ହୋଇଛନ୍ତି କେବଳ ତାଙ୍କରି ପାଇଁ ବୋଲି ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ୮ ଜୁଲାଇରେ ଜୟୀତା ଲୋକ ଅଦାଲତରେ ବିଚାରପତି ରୂପେ ନିଯୁକ୍ତ ହୋଇଛନ୍ତି। ଏଥିପାଇଁ ତାଙ୍କ ନାମକୁ ଅତିରିକ୍ତ ଜିଲ୍ଲା ବିଚାରପତି ସୁବ୍ରତା ପାଲୋ ସୁପାରିସ କରିଥିଲେ। ଲୋକ ଅଦାଲତରେ ଜଣେ ବରିଷ୍ଠ ବିଚାରପତି, ଜେଣ ଓକିଲ ଆଉ ଜଣେ ସମାଜସେବୀ ସାମିଲ ହୁଅନ୍ତି ।ଏହି ପଦରେ ନିଯୁକ୍ତ ହୋଇ ପରେ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଜୟୀତା। ଜୟୀତା ଏବେ ବି ମା’ବାପାଙ୍କୁ ବହୁତ ମନେ ପକାନ୍ତି। ସେ ଚାହାନ୍ତି ତାଙ୍କ ମା’ ବାପା ତାଙ୍କୁୁ ଆର୍ଶିବାଦ ଦିଅନ୍ତୁ। କିନ୍ନରଙ୍କୁ ସମ୍ମାନ କରିବା ପାଇଁ ଅପିଲ କରି ସେ କହିଛନ୍ତି ମୁଁ ଏକ ରିୟାଲିଟି ସୋରେ କିଛି କହିଥିଲେ, ଯାହା ତାଙ୍କ ବାପାମା’ଙ୍କୁ ପସନ୍ଦ ଆସି ନଥିଲା। ଏଥିପାଇଁ ମା’ବାପାଙ୍କ ସହ ତାଙ୍କ ସମ୍ପର୍କରେ ଦୂରତ୍ୱ ବଢ଼ିଯାଇଛି। ଜୟୀତା ଜଜ୍‌ ହେବା ପରେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି। ସେ କହନ୍ତି ସମାନ ଅଧିକାର ପାଇଁ ତାଙ୍କ ଲଢ଼େଇ ଏବେ ଆରମ୍ଭ ହୋଇଛି। ଆଗକୁ ଜାରି ରହିବ ତାଙ୍କ ସଂଘର୍ଷ।

ସମ୍ବନ୍ଧିତ ଖବର