ସ୍ୱାମୀଙ୍କ ମୃତ୍ୟୁର ୨୫ବର୍ଷ ପରେ ଶେଷ ନିଶ୍ୱାସ ତ୍ୟାଗ କଲେ ଶୀଲା ଦୀକ୍ଷିତ, ଏଭଳି ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ ସଂପର୍କ
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ୮୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ଆଇଏଏସ୍ ଅଫିସର ସ୍ୱାମୀ ବିନୋଦ ଦୀକ୍ଷିତଙ୍କ ମୃତ୍ୟୁର ୨୫ବର୍ଷ ପରେ ସେ ଆର ପାରିକୁ ଚାଲି ଯାଇଛନ୍ତି । ତେବେ ଦୁହିଁଙ୍କ ପ୍ରେମ ଜୀବନ କେତେ ରୋମାଞ୍ଚକର ଥିଲା ତାହା ଖୁବ୍ କମ୍ ଲୋକଙ୍କୁ ଜଣା । ବିନୋଦଙ୍କୁ ବିବାହ କରିବା ପାଇଁ ଶୀଲା ଦୀକ୍ଷିତଙ୍କୁ ୨ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ‘ସିଟିଜେନ୍ ଦିଲ୍ଲୀ : ମାଇଁ ଟାଇମ୍ସ ମାଇଁ ଲାଇଫ୍’ ବହିରେ ଦୁହିଁଙ୍କ ପ୍ରେମ କାହାଣୀ ବିଷୟରେ ଉଲ୍ଲେଖ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବହିରେ ଲେଖାଥିବା ତଥ୍ୟ ଅନୁଯାୟୀ, ବିନୋଦ ଏବଂ ଶୀଲା ଦୁହେଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଶୀଲା କାହା ସହ ବିଶେଷ କଥା ହେଉ ନ ଥିବା ବେଳେ ବିନୋଦ ସମସ୍ତଙ୍କ ସହ ମିଶିବାକୁ ଭଲ ପାଉଥିଲେ । କଲେଜରେ ବିନୋଦଙ୍କୁ ସମସ୍ତେ ପସନ୍ଦ କରୁଥିବା ବେଳେ ବିନୋଦ ମନେ ମନେ ଶୀଲାଙ୍କୁ ପସନ୍ଦ କରୁଥିଲେ । ଦୁହେଁ ପରସ୍ପର ସହ ବିଶେଷ କଥା ହେଉ ନଥିଲେ ମଧ୍ୟ ଅନ୍ୟର ପ୍ରେମ କାହାଣୀକୁ ସଫଳ କରିବା ପାଇଁ ଦୁହେଁ ସବୁବେଳେ ସାଥୀରେ କାମ କରୁଥିଲେ । ତେବେ ଶୀଲାଙ୍କ ମନରେ ବିନୋଦଙ୍କ ପ୍ରତି ପ୍ରେମ ଭାବନା ଆସିବା ପରେ ମନ କଥା ଜଣାଇବା ପାଇଁ ସେ ଡିଟିସି ବସ୍ରେ ବିନୋଦଙ୍କ ସହ ଯାତ୍ରା କରିଥିଲେ ।
ବିନୋଦଙ୍କୁ ନିଜ ମନ କଥା କହିବା ପରେ ବିନୋଦ ଶୀଲାଙ୍କ ପ୍ରସ୍ତାବ ଗ୍ରହଣ କରି ନେଇଥିଲେ । ଏହା ସହ ପାଠ ପଢ଼ା ସରୁ ସରୁ ବିନୋଦ ଶୀଲାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିନୋଦ ଛାତ୍ର ଥିବାରୁ ପରିବାର ଲୋକେ ରାଜି ହୋଇ ନଥିଲେ । ଏହା ପରେ ଦୁହିଁଙ୍କ ପଥ ଅଲଗା ହୋଇ ଯାଇଥିଲା । କିଛି ବର୍ଷ ଦୁହେଁ ଦେଖା ନ ହେବା ସହ ନିଜ ନିଜ କ୍ୟାରିୟର ଗଢ଼ିବାରେ ଲାଗି ପଡ଼ିଥିଲେ । ୧୯୫୯ରେ ବିନୋଦ ଆଇଏଏସ୍ ଅଫିସର ହେବା ପରେ ଜୁଲାଇ ୧୧, ୧୯୬୨ରେ ଦୁହିଁଙ୍କ ବିବାହ ହୋଇଥିଲା ।