ବୃକ୍ଷ ପାଇଁ ବନ୍ଧୁତ୍ୱ: ନୂଆ ଏକ ମହାର୍ଘ ଜୀବନ ବଞ୍ଚିବାକୁ ଏହି ଦୁହେଁ ନେଲେ ଶପଥ

ନର ବାସିନ୍ଦା ଜିଆ ହାକ୍ସିଆଙ୍କ ବୟସ ଏବେ ୫୭ ଏବଂ ଜିଆ େଓ୍ଵଂକିଙ୍କ ବୟସ ୫୬ ବର୍ଷ। ଏ ଦୁହିଙ୍କ ଜୀବନରେ ବିପର୍ଯ୍ୟୟ ଆସିଥିଲା। ଜନ୍ମ ସମୟରୁ ହାକ୍ସିଆଙ୍କ ଗୋଟିଏ ଆଖି ମୋତିଆବିନ୍ଦୁ ଯୋଗୁ ଦୃଷ୍ଟିଶକ୍ତି ହରାଇଥିଲା। ଆର ଆଖିଟି ମଧ୍ୟ ୨୦୦୦ ମସିହାରେ ଏକ ଦୁର୍ଘଟଣାରେ ଅଚଳ ହୋଇଗଲା। େଓ୍ଵଂକି ଏକ ଦୁର୍ଘଟଣାର ଶିକାର ହୋଇଥିଲେ ଯେତେବେଳେ ତାଙ୍କ ବୟସ ଥିଲା ମାତ୍ର ତିନି ବର୍ଷ। ସେ ତାଙ୍କର ଦୁଇଟି ଯାକ ବାହୁ ହରାଇ ଛିନ୍ନାଙ୍ଗ ଭାବେ ବଞ୍ଚିଯାଇଥିଲେ।
ହାକ୍ସିଆଙ୍କ ଦୁଇ ଆଖି ଅକାମୀ ହୋଇଯିବାରୁ ପ୍ରଥମେ ସେ ଖୁବ୍‌ ଭାଙ୍ଗିପଡ଼ିଥିଲେ। ସେତେବେଳେ ତାଙ୍କ ପୁଅକୁ ମାତ୍ର ଚାରି ବର୍ଷ ବୟସ ହେଉଥିଲା ଏବଂ ସ୍ତ୍ରୀଙ୍କ ଶରୀର ଅସୁସ୍ଥ ଥିବାରୁ ସେ କିଛି କରିପାରୁ ନଥିଲେ। ଫ୍ୟାକ୍ଟି୍ର କାମରୁ ତାଙ୍କୁ ବାହାର କରିଦେବାରୁ ରୋଜଗାରର ଏକମାତ୍ର ପନ୍ଥା ବନ୍ଦ ହୋଇଯାଇଥିଲା।
େଓ୍ଵଂକିଙ୍କ ଦୁଇଟିଯାକ ହାତ ନ ଥିବାରୁ ସେ ସବୁତକ କାମ ବେକ ଓ ପାଦରେ କରିବାକୁ ଶିଖିଯାଇଥିଲେ। ସେ ପାଦରେ ଲେଖିପାରୁଥିଲେ। ୧୯୭୬ରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସ୍ଥାନୀୟ ବନ ଅଧିକାରୀମାନେ ତାଙ୍କୁ ନିଯୁକ୍ତି ଦେଇଥିଲେ। ସେଇଠୁ ସେ ପଡ଼ିଆ ଜମିରେ ଗଛ ଲଗାଇବା ଏବଂ ବଞ୍ଚାଇବାର କୌଶଳ ଶିଖିଥିଲେ।
୨୦୦୧ ମସିହାରେ ଶାରୀରିକ ଅକ୍ଷମତା ଉଭୟ ହାକ୍ସିଆ ଏବଂ େଓ୍ଵଂକିଙ୍କୁ ବନ୍ଧୁତାର ବନ୍ଧନରେ ବାନ୍ଧିଦେଲା। ଗଛ ଲଗାଇବା ସହିତ ଦୁଇଟି ପରିବାର ଚଳାଇବା ପାଇଁ କିଛି ଉପାର୍ଜନ କରିବାକୁ ଦୁହେଁ ଆଗଭର ହେଲେ। ସେଇଠୁ ଦୁହେଁ ଦୁହିଁଙ୍କ ପାଇଁ ପାଲଟିଗଲେ ଅବିଚ୍ଛେଦ୍ୟ ଅଙ୍ଗ। ଅକ୍ଷମତା ଯୋଗୁ ଭାଙ୍ଗି ନ ପଡ଼ି ନୂଆ ଏକ ମହାର୍ଘ ଜୀବନ ବଞ୍ଚିବାକୁ ଦିହେଁ ମନେ ମନେ ଶପଥ ନେଇଥିଲେ।


ଆମେ ସ୍କୁଲ୍‌ ସମୟରେ ପଢ଼ିଛୁ ଛୋଟା ଏବଂ ଅନ୍ଧ ଲୋକର କାହାଣୀ। ସେ ଦିହେଁ ମେଳା ଦେଖିବାକୁ ଯାଇଥାନ୍ତି। ଅନ୍ଧର କାନ୍ଧରେ ଛୋଟା ବସି ବୁଲିଯିବାର କଥା ଶୁଣିଛୁ। କିନ୍ତୁ ହାଇକ୍ସା ଏବଂ େଓ୍ଵଂକି କୌଣସି ମେଳା ବୁଲିଯିବାକୁ ବାହାରିନାହାନ୍ତି, ସେମାନେ ବାହାରିଛନ୍ତି ପରିବେଶର ସୁରକ୍ଷା ପାଇଁ ଅଧିକରୁ ଅଧିକ ସଂଖ୍ୟକ ବୃକ୍ଷରୋପଣ ଉଦ୍ଦେଶ୍ୟରେ।
ଚୀନର ଉତ୍ତର-ପୂର୍ବ ଅଞ୍ଚଳରେ ଅବସ୍ଥିତ େଓ୍ଵଂକି ଏବଂ ହାକ୍ସିଆଙ୍କ ଗାଁ ୟେଲି। ଗାଁରେ ନଦୀପଠାରେ ଅନେକ ଜମି ପଡ଼ିଆ ପଡ଼ିଥିବାବେଳେ ପ୍ରାୟ ପ୍ରତିବର୍ଷ ବନ୍ୟା ହେଉଥିଲା। ବନ୍ୟା ରୋକିବା ସହିତ ପରିବେଶ ସୁରକ୍ଷାକୁ ଆଖି ଆଗରେ ରଖି ଭବିଷ୍ୟତ ପିଢ଼ି ତଥା ନିଜ ଅଞ୍ଚଳ ପାଇଁ କିଛି କରିବାର ଉଦ୍ଦେଶ୍ୟରେ ଦୁଇ ବନ୍ଧୁ ଗଛ ଲଗାଇବାକୁ ମନସ୍ଥ କରିଥିଲେ। ଏଭଳି ଚିନ୍ତାଧାରା ନେଇ ଦିହେଁ ସରକାରଙ୍କ ଠାରୁ ପ୍ରଥମେ ତିନି ଏକର ଜମି ଲିଜ୍‌ ସୂତ୍ରରେ ଆଣିଥିଲେ। ସେହି ଜମିରେ ସେମାନେ ନୂଆ ଚାରା ଲଗାଇବା କାମ ଆରମ୍ଭ କରିଦେଇଥିଲେ। ଏବେ ମୋଟ ଆଠ ହେକ୍ଟର ପରିମିତ ଜମି ଲିଜ୍‌ ନେଇ ସେମାନେ ବୃକ୍ଷରୋପଣ କରୁଛନ୍ତି। ବିଗତ ତେର ବର୍ଷ ଭିତରେ ହାଇକ୍ସା ଏବଂ େଓ୍ଵଂକି ମିଶି ଦଶ ହଜାରରୁ ଅଧିକ ସଂଖ୍ୟକ ଗଛ ଲଗାଇସାରିଲେଣି।
ହାଇକ୍ସା ଏବଂ େଓ୍ଵଂକି ପ୍ରତିଦିନ ସକାଳ ୭ଟାରେ ବିଛଣାରୁ ଉଠି ଗଛ ଲଗାଇବା ଏବଂ ଯତ୍ନ ନେବା କାମରେ ବାହାରିପଡ଼ନ୍ତି। ତାଙ୍କ ଜମିକୁ ଯିବା ବାଟରେ ଜଙ୍ଗଲ ଏବଂ ନଦୀଟିଏ ପଡ଼ିଥାଏ। ନଦୀ ପାର ହେବା ସହିତ ଅନ୍ୟ ସମୟରେ ଆବଶ୍ୟକ ହେଲେ ହାକ୍ସିଆଙ୍କୁ ପିଠେଇ ନିଅନ୍ତି େଓ୍ଵଂକି। ହାକ୍ସିଆ କହନ୍ତି, ‘େଓ୍ଵଂକି ହେଉଛନ୍ତି ମୋ ଆଖି’। ସେହିପରି ‘ହାକ୍ସିଆ ମୋ ହାତ’ ବୋଲି କହିଥାନ୍ତି େଓ୍ଵଂକି।
ସେମାନଙ୍କ ଗଛ ଲଗାଇବା ମିସନ୍‌ରେ ବାଧା ହୋଇଛି ଅର୍ଥ। ସେମାନେ ଆଶା କରୁଥିବା ମାନ ଓ ପରିମାଣର ଚାରା ପାଇପାରୁନାହାନ୍ତି। ତଥାପି ସେମାନେ ଅଟକିନାହାନ୍ତି। ନିଜ ବୁଦ୍ଧି ବଳରେ ପୁରୁଣା ଗଛରୁ ଡାଳକୁ କଲମୀ କରି ନୂଆ ନୂଆ ଗଛ ସୃଷ୍ଟି କରୁଛନ୍ତି।


ସେମାନଙ୍କ କାମ ଏତେ ସହଜ ଓ ସୁଗମ ହୋଇ ନ ଥିଲା। ଉଭୟଙ୍କୁ ଅନେକ କଷ୍ଟ ସହିବାକୁ ପଡୁଥିଲା, କିନ୍ତୁ ନୂଆ ଲାଗିଥିବା ଗଛରୁ ପତ୍ରଟିଏ କଅଁଳି ଆସିଲେ ତାଙ୍କ ପେଟ ଓ ମନ ପୂରିଯାଉଥିଲା। ସଙ୍ଗେ ସଙ୍ଗେ ଆଉ ଗୋଟିଏ ଚାରା ଲଗାଇବାକୁ ସେମାନେ ଉଦ୍‌ବିଗ୍ନ ହେଉଥିଲେ।
େଓ୍ଵଂକି କହନ୍ତି, ‘ଆମେ ନିଜ ଗୋଡ଼ରେ ନିଜେ ଠିଆ ହୋଇଛୁ। ଆମ ପରିଶ୍ରମର ଫଳ ଖୁବ୍‌ ମିଠା। ଏବେ ମନ ଭିତରେ ବହୁତ ଶାନ୍ତି ଅନୁଭବ କରୁଛୁ’। ହାକ୍ସିଆ ଏବଂ େଓ୍ଵଂକିଙ୍କ ଅଭିଯାନ ସମ୍ପର୍କରେ ଜାଣିବା ପରେ କିଛି ଉଦାରଚେତା ବ୍ୟକ୍ତି ସହଯୋଗ କରିବା ପାଇଁ ପଦକ୍ଷେପ ନେଇଥିଲେ। ଜଣେ ସହୃଦୟ ବ୍ୟକ୍ତି ହାଇକ୍ସାଙ୍କ ଦୃଷ୍ଟିଶକ୍ତି ଫେରାଇଆଣିବା ସକାଶେ ଅପରେସନ୍‌ ଖର୍ଚ୍ଚ ତୁଲାଇବାକୁ ପ୍ରସ୍ତାବ ଦେଇଛନ୍ତି। ଆଉ ଜଣେ ବ୍ୟକ୍ତି ଉଭୟଙ୍କ ପାଇଁ ଭଲ ଘର ଏବଂ ଖାଦ୍ୟର ବ୍ୟବସ୍ଥା କରିବାକୁ ଆଗେଇ ଆସିଛନ୍ତି।
େଓ୍ଵଂକି ଏବଂ ହାକ୍ସିଆଙ୍କ ଜୀବନରେ ଅନେକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳିଥାଏ। ସେମାନେ ପରସ୍ପରକୁ ଏମିତି ଭାବରେ ବୁଝିପାରନ୍ତି ଯେ ତାହା ବର୍ଣ୍ଣନା କରିବା କଷ୍ଟକର। ଶାରୀରିକ ଅକ୍ଷମତାକୁ ସେମାନେ ଦୃଢ଼ ମନୋବଳ, ନିଷ୍ଠା ଏବଂ ଆନ୍ତରିକ ଇଚ୍ଛାଶକ୍ତି ବଳରେ ପରାଜିତ କରିଛନ୍ତି। ସମସ୍ୟା ବେଳେ ମଧ୍ୟ ପରସ୍ପରକୁ ନିନ୍ଦା କରିବା ପରିବର୍ତ୍ତେ ସେମାନେ ସ୍ମିତହାସ ବଳରେ ଆହୁରି ଆପଣେଇ ନେଇଥାନ୍ତି।

ସମ୍ବନ୍ଧିତ ଖବର