ଶହେ ପୁତ୍ରଙ୍କୁ ହରାଇବା ପରେ କ୍ରୋଧରେ କୃଷ୍ଣଙ୍କୁ ଏହି ଅଭିଶାପ ଦେଇଥିଲେ ଗାନ୍ଧାରୀ, ସେଥିପାଇଁ କୁହାଯାଏ କାହା ଆଖି ଲୁହର ଶକ୍ତି ଈଶ୍ୱରଙ୍କ ଆଶୀର୍ବାଦକୁ ବି କାଟିପାରେ

ମହାଭାରତ ଯୁଦ୍ଧ ସରି ସାରିଥାଏ। ପାଣ୍ଡବ ଯୁଦ୍ଧରେ ବିଜୟ ଲାଭ ରି ଏକତ୍ର ହୋଇଥାନ୍ତି। ଗୋଟାଏ ସ୍ଥାନରେ ଏକଜୁଟ୍‌ ହୋଇଥାନ୍ତି ପାଣ୍ଡବ ପାଞ୍ଚ ଭାଇ, ପତ୍ନୀ ଦୌପଦୀ, ମାଆ କୁନ୍ତୀ, ସଖା ଶ୍ରୀକୃଷ୍ଣ, କୌରବ ଶହେ ଭାଇଙ୍କ ପିତା ଧୁତରାଷ୍ଟ୍ର ଓ ମାଆ ଗାନ୍ଧାରୀ। ଶହେ ପୁତ୍ରଙ୍କୁ ହରାଇବା ପରେ କ୍ରୋଧରେ ଜର୍ଜରିତ ଗାନ୍ଧାରୀ ନିଜ ଉପରେ ଆୟତ୍ତ ରଖିବା ଅବସ୍ଥାରେ ନଥାନ୍ତି। ସେ ସମୟରେ ସେ ଭଗବାନ ବାସୁଦେବ ବା ଶ୍ରୀକୃଷ୍ଣଙ୍କୁ ଯେଉଁ ଅଭିଶାପ ଦେଇଥିଲେ ତାହାର ପରିମାଣ ଭଗବାନ ହେଲେ ବି ତାଙ୍କୁ ଭୋଗିବାକୁ ପଡ଼ିଥିଲା।

ଗାନ୍ଧାରୀ ରାଗରେ ଚିତ୍କାର କରି କହିଥିଲେ କି ‘ଇଏ ହେଉଛି ଶହେ ପୁତ୍ରଙ୍କୁ ହରାଇଥିବା ଏକ ମାଆର ଲୁହ। ଯାହାର ଶକ୍ତିଠାରୁ ବଡ଼ ଶକ୍ତି କିଛି ନାହିଁ। ଇଏ ହେଉଛି ନିଜ ବଂଶକୁ ନିବଂଶ ହେବା ଦୃଶ୍ୟକୁ ନିଜ ଆଖିରେ ଦେଖିଥିବା ଜଣେ ନାରୀର ଅଭିଶାପ ଯାହାର ଅଭିଶାପ କେବେ ବ୍ୟର୍ଥ ଯିବନାହିଁ। ମୁଁ ତୁମକୁ ଅଭିଶାପ ଦେଉଛି ବାସୁଦେବ। ଯେଉଁଭଳି ଭାବେ ମୋର ଶହେ ପୁତ୍ରଙ୍କ ବଧ କରାଇ ତୁମେ ମୋ କୋଳ ଶୂନ୍ୟ କରିଛି, ମୋ ବଂଶ ନିପାତ କରିଛ, ତୁମ ସହ ବି ସେହିପରି ହେବ। ନିପାତ ହେବ ତୁମ ଯାଦବ ବଂଶ। ମୋ ରାଜ ଦରବାର ଆଜି ଯେପରି ଦୁଃଖରେ, ଲୁହରେ ବୁଡ଼ି ରହିଛି। ସେହିପରି ତୁମ ନଗର ବି ଦିନେ ବୁଡ଼ି ଯିବ ଜଳ ମଧ୍ୟେ। ଜଳମଗ୍ନ ହେବ ତୁମର ସଂପୂର୍ଣ୍ଣ ନିବାସ।’

ଗାନ୍ଧାରୀ ଅଭିଶାପ ଦେବା ସମୟରେ ଧ୍ରୁତରାଷ୍ଟ୍ରରୁ ନେଇ ପାଣ୍ଡବ ପାଞ୍ଚ ଭାଇ ସମେସ୍ତ ତାଙ୍କୁ ଅଟକିଯିବା ପାଇଁ ଅନୁରୋଧ କରିଥିଲେ ବି ସେ ଅଟକି ନଥିଲେ। କ୍ରୋଧରେ ଅଣାୟତ୍ତ ଗାନ୍ଧାରୀ କାନ୍ଦି କାନ୍ଦି କୃଷ୍ଣଙ୍କୁ ଅଭିଶାପ ଦେଇଥିଲେ। ଗାନ୍ଧାରୀଙ୍କ ଅଭିଶାପକୁ ସମ୍ମାନ ଦେଇ ସ୍ୱୀକାର କରିଥିଲେ ଶ୍ରୀକୃଷ୍ଣ। ପରବର୍ତ୍ତୀ ମୁହୂର୍ତ୍ତରେ ଗାନ୍ଧାରୀ ଦେଇଥିବା ଅଭିଶାପ ହିସାବରେ ହିଁ ଘଟିଥିଲା ସବୁକିଛି। କୃଷ୍ଣଙ୍କ ଯାଦବ ବଂଶ ଲୋପ ପାଇଥିଲା। ଦ୍ୱାରକା ବି ଜଳମଗ୍ନ ହୋଇଥିଲା।

ସେହିଦିନଠାରୁ କଥା ରହିଛି ଯେ ଯଦି ଜଣେ ବ୍ୟକ୍ତି ତା’ ଦୁଃଖ ସମୟରେ କିଛି କାହାକୁ ଅଭିଶାପ ଦେଇ ବସେ ତେବେ ତାହା ଫଳିଯାଏ। ଜଣେ ବ୍ୟକ୍ତିର ଲୁହର ଶକ୍ତି ଭଗବାନଙ୍କ ଆଶିର୍ବାଦକୁ ବି କାଟିପାରେ। କାହାକୁ କିଛି କଷ୍ଟ ଦେବା ପୂର୍ବରୁ ଅଭିଶାପର ଭୟ ମନରେ ନିଶ୍ଚୟ ରହିବା ଦରକାର।

ସମ୍ବନ୍ଧିତ ଖବର