ଇଣ୍ଡିଆନ ଅଏଲ ଆରମ୍ଭ କରିବ ହୋମ ଡେଲିଭରି ସେବା

ଦେଶରେ ପ୍ରଥମ ଥର ପାଇଁ ଡିଜେଲର ହୋମ୍‌ ଡେଲିଭରି ସେବା ଆରମ୍ଭ ହେବାକୁ ଯାଉଛି। ଏନେଇ, ଭାରତର ସବୁଠାରୁ ବଡ ପେଟ୍ରୋଲିୟମ୍‌ କମ୍ପାନୀ, ଇଣ୍ଡିଆନ ଅଏଲ୍‌ କର୍ପୋରେସନ୍‌ ପକ୍ଷରୁ ଘୋଷଣା କରାଯାଇଛି। ଏହି ସେବା ପ୍ରଥମେ ପୁନେ ଏବଂ ମହାରାଷ୍ଟ୍ରରୁ ଆରମ୍ଭ ହେବ। ପରେ ପରେ ଅନ୍ୟ ସହର ଗୁଡିକରେ ମଧ୍ୟ ଏହି ସେବା ଖୁବ୍‌ ଶୀଘ୍ର ଯୋଗାଇ ଦିଆଯିବ। ଡିଜେଲର ଏହି ହୋମ୍‌ ଡେଲିଭରି ସେବା ନେଇ ଆଇଓସିଏଲ ପକ୍ଷରୁ ଟ୍‌ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଏହି ସେବା ଯୋଗାଇ ଦେବା ଦ୍ୱାରା ଆଇଓସିଏଲ୍‌ ଆଉ ଏକ ମାଇଲଖୁଣ୍ଟ ହାସଲ କରିଛି। ପ୍ରଥମ ଥର ପାଇଁ ଏହି ହୋମ୍‌ ଡେଲିଭରି ସେବା ମୋବାଇଲ୍‌ ଡିସପେନସର୍‌ ଜରିଆରେ ଗ୍ରାହକଙ୍କ ନିକଟରେ ଉପଲବ୍ଧ କରାଯିବ। ଗ୍ରାହକମାନେ ନିଜ ଘର ଆଗରେ ଡିଜେଲ ପାଇପାରିବେ। ଏହି ବ୍ୟବସ୍ଥା ଦ୍ୱାରା ବ୍ୟବସାୟିକ ଯାନ ଗୁଡିକର ମାଲିକ ମାନେ ଲାଭବାନ ହେବେ। ଇଣ୍ଡିଆନ ଅଏଲର ଏହି ହୋମ୍‌ ଡେଲିଭରି ସେବା ଦ୍ୱାରା ଗାଡି ମାଲିକ ମାନଙ୍କର ଉଭୟ ସମୟ ଓ ଟଙ୍କା ବଞ୍ଚିବ।

ଏହି ସେବା ଦ୍ୱାରା ଦୂରଦୂରାନ୍ତରରେ ଥିବା ଉପାନ୍ତ ଅଞ୍ଚଳର ଲୋକମାନେ ଉପକୃତ ହୋଇପାରିବେ। ବିପଦକାଳୀନ ପରିସ୍ଥିତିରେ ମଧ୍ୟ ଏହି ସେବା ବ୍ୟବହାର କରାଯାଇପାରିବ। ତେବେ ଏହି ହୋମ୍‌ ଡେଲିଭରି ସେବାର କାର୍ଯ୍ୟଶୈଳୀ ସମ୍ପର୍କରେ ଆଇଓସିଏଲ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

ଆଇଓସିଏଲ୍‌ ର ଏହି ଘୋଷଣା ପରେ ଜନସାଧାରଣରେ ଉଠିଛି ଅନେକ ପ୍ରଶ। ଡିଜେଲ ର ମୂଲ୍ୟ ଅପରିବର୍ତ୍ତିତ ରହିବ, ନା ଏହି ସେବା ପାଇଁ ଆଇଓସିଏଲ୍‌ ଅଧିକ ମୂଲ୍ୟ ନେବ ? ଗୋଟିଏ ଗାଡି ପାଇଁ କେତେ ପରିମାଣର ଡିଜେଲ ଯୋଗାଇ ଦିଆଯିବ ? ଏସମ୍ପର୍କରେ ଆଇଓସିଏଲ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏପର୍ଯ୍ୟନ୍ତ ପେଟ୍ରୋଲର ହୋମ ଡେଲିଭରି କରାଯିବା ନେଇ ଆଇଓସିଏଲ୍‌ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଡିଜେଲ୍‌ ଅପେକ୍ଷା ପେଟ୍ରୋଲ୍‌ ଅଧିକ ଅସୁରକ୍ଷିତ। ବର୍ତ୍ତମାନ ପାଇଁ କେବଳ ଜିଜେଲର ହୋମ୍‌ ଡେଲିଭରି ପାଇଁ ଆଇଓସିଏଲ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର