କୋଚିଂ ନେବା ପାଇଁ ଟଙ୍କା ନଥିଲା, ସେଲସ୍‌ଗାର୍ଲ ଭାବେ କାମ କରି ଡିମ୍ପଲ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଟପ୍‌ ହୋଇଛନ୍ତି

ଦୃଢ଼ ସଂକଳ୍ପ ଓ ନିଷ୍ଠା ଥିଲେ ଅସମ୍ଭକୁ ସମ୍ଭବ କରିବା ପାଇଁ କେହି ରୋକି ପାରିବେ ନାହିଁ । ଏହାର ଏକ ଉଦାହରଣ ପାଲଟିଛନ୍ତି ଇନ୍ଦୋରର ଡିମ୍ପଲ କୁମାବତ । ସେ ସକାଳ ୭ଟାରୁ ସ୍କୁଲକୁ ପାଠ ପଢ଼ିବା ପାଇଁ ବାହାରି ପଡନ୍ତି। ସ୍କୁଲରୁ ଆସିବା ପରେ ସାଙ୍ଗେ ସାଙ୍ଗେ ଗୋଟିଏ ଡ୍ରେସ ଷ୍ଟୋରକୁ ସେଲ୍‌ସଗାର୍ଲ ଭାବେ କାମ କରିବାକୁ ଯାଇ ଥାଆନ୍ତି । ଆଉ ଦୋକାନରୁ ରାତି ୧୦ଟାରେ ଫେରି କ’ଣ ଟିକେ ଖାଇଦେଇ ପୁଣି ନିଜ ଲକ୍ଷ୍ୟକୁ ସାକାର କରିବା ପାଇଁ ପାଠ ପଢାରେ ଲାଗିପଡନ୍ତି । ଦ୍ୱାଦଶ ପରୀକ୍ଷାରେ ଯେମିତି ହେଉ ଟପ କରି ପରିବାରର ନାଁ ରଖିବେ ତାହାହିଁ ଥିଲା ଡିମ୍ପଲ କୁମାବତଙ୍କ ଲକ୍ଷ୍ୟ । ଯାହା ଆଜି ସଫଳ ହୋଇଛି।

ଡିମ୍ପଲଙ୍କ ପରିବାରରେ ୩ଜଣ ରୁହନ୍ତି । ବାପା ସିଲେଇ କରି ଘର ଖର୍ଚ୍ଚ ଚଳାନ୍ତି, ହେଲେ ଏଥିରେ ପରିବାରର ଗୁଜୁରାଣ ମେଣ୍ଟେ ନାହିଁ। ତେଣୁ ଡିିମ୍ପଲ ଘରର ଏଭଳି ଆର୍ଥିକ ପରିସ୍ଥିତିକୁ ସାମ୍ନା କରି ନିଜେ ଏକ ଡ୍ରେସ ଷ୍ଟୋରରେ ସେଲ୍‌ସ ଗାର୍ଲ ଭାବେ କାମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥିରୁ ଯାହା କିଛି ଅର୍ଥ ମିଳେ ପାଠ ପଢ଼ିବା ସହିତ ଘର ଖର୍ଚ୍ଚ ମଧ୍ୟ ଚଳିଯାଏ । ଏଭଳି ଅନେକ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ସେ ନିଜ ଲକ୍ଷ୍ୟକୁ କେବେ ହେଲେ ହେଳା କରି ନାହାନ୍ତି। ମାଧ୍ୟମିକ ଶିକ୍ଷା ମଣ୍ଡଳର ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଇନ୍ଦୋର ଝିଅ ଡିମ୍ପଲ କୁମାବତ ଟପ ଟେନ ତାଲିକାରେ ସ୍ଥାନ ପାଇ କୃତିତ୍ୱ ଅର୍ଜନ କରିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବିନା କୋଚିଂରେ ଟପ ଟେନ୍‌ ତାଲିକାରେ ସ୍ଥାନ ପାଇଛନ୍ତି ଡିମ୍ପଲ ।

ସମ୍ବନ୍ଧିତ ଖବର