ଦେବୀ ସୁଭଦ୍ରାଙ୍କ ‘ଦେବଦଳନ’ର ଋଷିପଟା (୨)

ଭୃଗୁ ଓ ବଜ୍ରଙ୍କ ବ୍ୟତୀତ ଦେବଦଳନ ରଥର ଋଷିପଟାର ଅନ୍ୟ ଦୁଇ ଋଷି ହେଉଛନ୍ତି- ଶୃଙ୍ଗୀ ଓ ଧ୍ରୁବ। ସେମାନଙ୍କର ସଂକ୍ଷିପ୍ତ ବିବରଣୀ ଏହିପରି-
୩. ଶୃଙ୍ଗୀ: ଏ ଏପରି ଜଣେ ଋଷି- ଯାହାଙ୍କୁ ‘ମହାଭାରତ’ରେ ମହାକ୍ରୋଧର ଅନ୍ୟନାମ ବୋଲି କୁହାଯାଇଛି। ଏହାଙ୍କର ମହାକ୍ରୋଧ କିପରି ପରିକ୍ଷିତଙ୍କର ମୃତ୍ୟୁ ଓ ମୋକ୍ଷର କାରଣ ହେବା ସହିତ ସମସ୍ତଙ୍କର ମଙ୍ଗଳଦାୟକ ହୋଇଥିଲା, ତାହାର କାହାଣୀ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ଶୃଙ୍ଗୀ ଥିଲେ ମହର୍ଷି ଶମିକଙ୍କର ପୁତ୍ର। ବାଛୁରୀମାନେ କ୍ଷୀର ପିଇସାରିବା ପରେ ତାଙ୍କ ମୁହଁରେ ଲାଗିଥିବା ଫେଣ ଖାଇ ସେ ଜୀବନ ଧାରଣ କରନ୍ତି ଏବଂ ସର୍ବଦା ମୌନ ରହି ତପସ୍ୟା କରୁଥାଆନ୍ତି। ଦିନେ ଶିକାର ସମୟରେ ଗୋଟିଏ ମୃଗର ପଶ୍ଚାତ୍‌ଧାବନ କରି ପରିକ୍ଷିତ ଯାଇ ତାଙ୍କ ଆଶ୍ରମରେ ପହଞ୍ଚିଲେ ଏବଂ ମୃଗ ସଂପର୍କରେ ପଚାରିଲେ। କିନ୍ତୁ ମୌନ ତପସ୍ୱୀ ଶମିକଙ୍କଠାରୁ ସେ କିଛି ଉତ୍ତର ପାଇଲେ ନାହିଁ। ସେଥିରେ କ୍ରୁଦ୍ଧ ହୋଇ ସେ ନିକଟରେ ପଡ଼ିଥିବା ଏକ ମୃତସର୍ପକୁ ତାଙ୍କ ଗଳାରେ ଲମ୍ବାଇଦେଇ ଚାଲିଗଲେ।

ସେଥିପାଇଁ ପରେ ଅବଶ୍ୟ ପରିକ୍ଷିତ ଅନୁତପ୍ତ ହେଲେ, କିନ୍ତୁ କୃତକର୍ମକୁ ଫେରାଇନେବା ସମ୍ଭବ ନଥିଲା। ପୁତ୍ର ତଥା ଶିଷ୍ୟ ଶୃଙ୍ଗୀ ଆଶ୍ରମକୁ ଫେରି ତାହା ଜାଣି କ୍ରୁଦ୍ଧ ହେଲେ ଏବଂ ଯେ ଏହା କରିଛି, ସାତଦିନ ମଧ୍ୟରେ ତକ୍ଷକ ଦଂଶନରେ ତାର ମୃତ୍ୟୁ ହେବ ବୋଲି ଅଭିଶାପ ଦେଲେ। ମହର୍ଷି ଶମିକ ତାହା ଜାଣି ବ୍ୟଥିତ ଓ ଅନୁତପ୍ତ ଅବଶ୍ୟ ହେଲେ, କିନ୍ତୁ ପୁତ୍ରର ସେ ଅଭିଶାପ ଫେରାଇନେବା ସମ୍ଭବ ନଥିଲା। ତଥାପି ପୁତ୍ରର ଅନୁଚିତ କର୍ମପାଇଁ ସେ କ୍ଷମାପ୍ରାର୍ଥନା କରି ପରିକ୍ଷିତଙ୍କ ନିକଟକୁ ସେହି ସମ୍ବାଦ ପଠାଇଦେଲେ ଏବଂ ତାହାର ପ୍ରତିକାର ପାଇଁ ତାଙ୍କୁ ଅନୁରୋଧ କଲେ।
ଏ କାହାଣୀ ସହିତ ଆଉ ଏକ କାହାଣୀ ଯୋଡ଼ାହୋଇ ରହିଛି। ତାହା ହେଉଛି- ଏକଦା ବ୍ରଜମଣ୍ଡଳକୁ ଆସି କୃଷ୍ଣଭକ୍ତ ବଜ୍ରଙ୍କ ସହିତ ରହିବାର ଇଚ୍ଛା ପରିକ୍ଷିତ ପୋଷଣ କରିଥିଲେ। ସେତେବେଳେ ଉଦ୍ଧବ ତାଙ୍କୁ ସେଥିରୁ ବାରଣ କରିଥିଲେ। ଉଦ୍ଧବ କହିଥିଲେ- କଳିଯୁଗ ଆଗମନର ସଂକେତ ମିଳିସାରିଥିବାରୁ ତା’ ଉପରେ ବିଜୟପ୍ରାପ୍ତିର ଉପାୟ ପ୍ରଥମେ କରିବାକୁ ପଡ଼ିବ। ପରମଶାସ୍ତ୍ର ‘ଭାଗବତ’ର ମହିମା ପରିକ୍ଷିତଙ୍କଦ୍ଵାରା ହିଁ କଳିକାଳର ମନୁଷ୍ୟମାନଙ୍କୁ ଅବଗତ ହେବ ବୋଲି ମଧ୍ୟ ଉଦ୍ଧବ ତାଙ୍କୁ କହିଥିଲେ। ଶୃଙ୍ଗୀଙ୍କ ଅଭିଶାପ ତାହାକୁ ତ୍ଵରାନ୍ଵିତ କରିଦେଲା। ସାକ୍ଷାତ୍‌ ଶ୍ରୀକୃଷ୍ଣଙ୍କ ସ୍ୱରୂପ ଶୁକମୁନିଙ୍କଠାରୁ ସେ ଭାଗବତ ମହିମା ଶୁଣିବାକୁ ଚାହିଁଲେ। ତାଙ୍କ ମାଧ୍ୟମରେ ହିଁ କଳିଯୁଗର କର୍ମବନ୍ଧନରେ ଆବଦ୍ଧ ମନୁଷ୍ୟମାନେ ଭାଗବତ ଶ୍ରବଣର ମହିମା ସଂପର୍କରେ ଅବଗତ ହେଲେ। ତାହା ଫଳରେ ଧରାପୃଷ୍ଠରେ ଭାଗବତର ଓ ଭାଗବତଧର୍ମର ପ୍ରଚାର ହେଲା। ଶୃଙ୍ଗୀଙ୍କ କ୍ରୋଧ ଓ ଅଭିଶାପ ଫଳରେ ପରିକ୍ଷିତଙ୍କର ମୃତ୍ୟୁ ଅବଶ୍ୟ ତକ୍ଷକ ଦଂଶନରେ ହେଲା, କିନ୍ତୁ ତାଙ୍କ ଅଭିଶାପର ସୁଫଳ ସମଗ୍ର ମନୁଷ୍ୟ ସମାଜ ପାଇଲା।

୪. ଧ୍ରୁବ: ଭଗବାନ ବିଷ୍ଣୁଙ୍କର ପରମଭକ୍ତ ତଥା ଆକାଶର ଏକ ଉଜ୍ଜ୍ଵଳ ଓ ସ୍ଥିର ନକ୍ଷତ୍ର ଭାବରେ ଧ୍ରୁବ ସୁଖ୍ୟାତ। ସେ ସ୍ୱାୟମ୍ଭବ ମନୁଙ୍କ ପୁତ୍ର ଉତ୍ତାନପାଦଙ୍କର ପୁତ୍ର। ଉତ୍ତାନପାଦଙ୍କର ଥିଲେ ଦୁଇ ରାଣୀ- ସୁରୁଚି ଓ ସୁନୀତି। ରାଜା ସୁରୁଚିଙ୍କୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କ ପୁତ୍ରକୁ ଅଧିକ ଆଦର କରୁଥିଲେ। ଥରେ ଧ୍ରୁବ ପିତାଙ୍କ କୋଳରେ ବସିବାକୁ ଚାହିଁବାରୁ ସୁରୁଚି ତାଙ୍କୁ କହିଲେ- ତୁ ମୋ ପୁଅ ନୁହଁ, ତେଣୁ ପିତାଙ୍କ କୋଳରେ ବସିବାକୁ ତୁ ଯୋଗ୍ୟ ନୋହୁ। ବାଳକ ଧ୍ରୁବଙ୍କ ମନରେ ତାହା ଗଭୀର ଦୁଃଖ ଦେଲା। ସେ କଥା ସେ ମାଆ ସୁନୀତିଙ୍କୁ ଯାଇ କହିବାରୁ, ସୁନୀତି କହିଲେ- କେବଳ ରାଜସିଂହାସନରେ ପିତାଙ୍କ କୋଳରେ କାହିଁକି, ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ପାଇଲେ, ଯେଉଁ ଆସନରେ କେହି ବସିନାହାନ୍ତି ସେ ଆସନରେ ତୁ ବସିପାରିବୁ। ତାହା ବାଳକ ଧ୍ରୁବଙ୍କ ସରଳ ମନରେ ଗଭୀର ପ୍ରଭାବ ପକାଇଲା। ସେ ଅରଣ୍ୟକୁ ଚାଲିଯାଇ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କରିବାରେ ଲାଗିଲେ। ତାଙ୍କର ନିଷ୍ଠା ଓ ଭକ୍ତି ଦେଖି ନାରଦ ସେଠାକୁ ଆସି ତାଙ୍କୁ ତାହାର କାରଣ ପଚାରିବାରୁ ଧ୍ରୁବ କହିଲେ- ଯେଉଁ ଆସନ ତ୍ରିଲୋକରେ ଶ୍ରେଷ୍ଠ, ଏବଂ ଯେଉଁ ଆସନରେ ମୋ ପିତା, ପିତାମହ ଆଦି କେହି ବସିନାହାନ୍ତି, ମୁଁ ସେହି ଆସନରେ ବସିବାକୁ ଚାହେଁ। ତାହା ଶୁଣି ନାରଦ ତାଙ୍କୁ ଭଗବାନଙ୍କର ପ୍ରିୟ ଭୂମି ମଧୁବନ ଯାଇ ସେଠାରେ ତପସ୍ୟା କରିବାକୁ କହିଲେ। ସେଠାକୁ ଯାଇ ଧ୍ରୁବ କଠୋରରୁ କଠୋରତମ ତପସ୍ୟା କଲେ। ଶେଷରେ ଭଗବାନ ବିଷ୍ଣୁ ତାଙ୍କ ସମ୍ମୁଖରେ ଆବିର୍ଭୂତ ହେଲେ। ତାଙ୍କୁ ତ୍ରିଲୋକର ଶ୍ରେଷ୍ଠ ଆସନ ଦେଲେ। କହିଲେ- ମୁଁ ତୁମକୁ ସେହି ସ୍ଥାନ ଦେଉଛି, ଯେଉଁ ସ୍ଥାନର ଚତୁର୍ପାର୍ଶ୍ୱରେ ଗ୍ରହ, ନକ୍ଷତ୍ର, ଜ୍ୟୋତିଷ୍କ ଆଦି ପରିଭ୍ରମଣ କରୁଥାଆନ୍ତି। ତାହା ତୁମ ନାମରେ ‘ଧ୍ରୁବଲୋକ’ ଭାବରେ ଖ୍ୟାତ ହେବ। କିନ୍ତୁ ତୁମେ ପ୍ରଥମେ ଯାଇ ପିତାଙ୍କ ସିଂହାସନରେ ବସି ପୃଥିବୀ ପରିପାଳନ କର। ପରେ ଆସି ଧ୍ରୁବ ଲୋକରେ ଆସୀନ ହେବ। ଧ୍ରୁବ ତାହା କରିଥିଲେ। ତେଣୁ ଜଣେ ତପସ୍ୱୀ, ଉତ୍ତମ ରାଜା ଓ ଉଜ୍ଜ୍ଵଳ ନକ୍ଷତ୍ର ଭାବରେ ସେ ଚିର କାଳପାଇଁ ଆକାଶରେ ଦୀପ୍ତିମନ୍ତ ଓ ସ୍ଥିର ରହିଛନ୍ତି। ସପ୍ତର୍ଷିମଣ୍ଡଳର ସପ୍ତଋଷି ମଧ୍ୟ ତାଙ୍କୁ ପରିକ୍ରମା କରିଥାଆନ୍ତି। ଏଣୁ ଦେବୀ ସୁଭଦ୍ରାଙ୍କ ରଥର ଋଷିପଟାରେ ସେ ଅବସ୍ଥାନ କରିବା ବିଶେଷ ଗୁରୁତ୍ଵ ବହନ କରେ। (କ୍ରମଶଃ)
-ଅସିତ ମହାନ୍ତି

ସମ୍ବନ୍ଧିତ ଖବର