ନୂଆଦିଲ୍ଲୀ : ଆଜିକାଲି ଆମ ଦେଶରେ ଜଣେ ବ୍ୟକ୍ତିର ଦକ୍ଷତା ଏବଂ ତା’ର ଯୋଗ୍ୟତା ତାର ଇଂରାଜୀ ଜ୍ଞାନ ଆଧାରରେ ମପା ଯାଇଥାଏ । ଏପରି କି ପିତାମାତା ନିଜ ସନ୍ତାନକୁ ଭବିଷ୍ୟତରେ କୌଣସି ଅସୁବିଧା ନ ହେଉ ଏବଂ ସେ ସମାଜରେ ମୁଣ୍ଡ ଟେକି ଚାଲିପାରୁ ଏଥିପାଇଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ପଠାଉଛନ୍ତି । ଏଭଳି ସ୍ଥିତିରେ ଏବେ ଉତ୍ତରପ୍ରଦେଶର ଲଖିମପୁର ଠାରେ ଏକ ଇଂରାଜୀ ଦେବୀଙ୍କ ମନ୍ଦିର ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁଯାୟୀ, ସେହି ମନ୍ଦିରରେ ପୂଜା କରିବା ପରେ ଲୋକଙ୍କୁ ଇଂରାଜୀ କହିବା, ବୁଝିବା ଏବଂ ଲେଖିବାରେ ସହଜ ହୋଇଥାଏ । ଏଠାରେ ଉପସ୍ଥିତ ଇଂରାଜୀ ଦେବୀଙ୍କ ପ୍ରତିମା ବିଲକୁଲ ବିଦେଶୀ ମହିଳାଙ୍କ ଭଳି ଦେଖା ଯାଇଥାଏ । ଆସନ୍ତୁ ଜାଣିବା ଏହି ଭିନ୍ନ ମନ୍ଦିରର ଗୁରୁତ୍ୱ ସଂପର୍କରେ ।
Sambad is now on WhatsApp
Join and get latest news updates delivered to you via WhatsApp
ଉତ୍ତରପ୍ରଦେଶରେ ଥିବା ଇଂରାଜୀ ଦେବୀଙ୍କ ମନ୍ଦିରରେ ୨୦ କିଲୋଗ୍ରାମ ସଜନ ବିଶିଷ୍ଟ ଏକ ମୂର୍ତ୍ତି ରହିଛି। ଦେବୀଙ୍କ ମୂର୍ତ୍ତି ଦେଖିବାକୁ ବିଲକୁଲ ‘ଷ୍ଟାଚୁ ଅଫ ଲିବର୍ଟି ‘ସଦୃଶ । ଏଠାରେ ଦେବୀ ଗୋଟିଏ ହାତରେ ବହି ଏବଂ ଅନ୍ୟ ହାତରେ କଲମ ଧରି ଠିଆ ହୋଇଥିବାର ଦେଖାଯାଇଥାନ୍ତି । ଏହି ଦେବୀଙ୍କ ପ୍ରତିମାର ତଳ ଅଂଶରେ ଏକ ଧର୍ମ ଚକ୍ର ଚିହ୍ନ କରାଯାଇଛି। ଇଂରାଜୀ ଦେବୀଙ୍କ ଏହି ମନ୍ଦିରକୁ ୨୦୧୦ ମସିହାରେ ସ୍ଥାପନ କରାଯାଇଥିଲା । ଏହାକୁ ସେହି ଅଞ୍ଚଳର ଜଣେ ଦଳିତ ନେତା ସ୍ଥାପନ କରିଥିଲେ ।
ସ୍ଥାନୀୟ ଲୋକଙ୍କ ଅନୁଯାୟୀ , ବାବା ସାହେବ ଭୀମ ରାଓ ଆମ୍ବେଦକର ଇଂରାଜୀ ଭାଷା ଉପରେ ଅଧିକ ଧ୍ୟାନ ଦେଉଥିଲେ । ଇଂରାଜୀ ଭାଷା ଦ୍ୱାରା ଲୋକଙ୍କର ଅନେକ ଉନ୍ନତି ହୋଇଥାଏ ବୋଲି କହିଥିଲେ । ଏଣୁ ସେ ସେହି ଅଞ୍ଚଳରେ ଇଂରାଜୀ ଦେବୀଙ୍କ ମନ୍ଦିର ସ୍ଥାପନ କରିଥିଲେ । ବର୍ତ୍ତମାନର ଯୁଗରେ ଇଂରାଜୀ ଭାଷାର ଜ୍ଞାନ ନିହାତି ଜରୁରୀ ହୋଇପଡ଼ିଛି । ପାଖଆଖ ଗ୍ରାମ ସହ ସ୍ଥାନୀୟବାସୀ ନିଜ ସନ୍ତାନକୁ ବିଦ୍ୟାଳୟରେ ଭର୍ତ୍ତି କରିବା ପୂର୍ବରୁ ଏହି ଗ୍ରାମକୁ ଆଣିଥାନ୍ତି । ଏହା ସହ ଉତ୍ତମ ଇଂରାଜୀ ଜ୍ଞାନ ପାଇଁ ଏହି ମନ୍ଦିରରେ ମାନସିକ ମଧ୍ୟ କରିଥାନ୍ତି ।