ଚାନ୍ଦା ଆଦାୟ କରି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ୩ଟି ସ୍କୁଲର ପୁନଃ ନିର୍ମାଣ କଲେ ସ୍ୱେଚ୍ଛାସେବୀ

ଚେନ୍ନାଇ: ୨୦୧୮ରେ ଆସିଥିବା ବାତ୍ୟା ଗାଜା ତାମିଲନାଡୁର ବିଭିନ୍ନ ସହର ଓ ଗାଁର ନକ୍ସା ବଦଳାଇ ଦେଇଥିଲା। ତାମିଲନାଡୁର ନାଗାପଟ୍ଟିନମ ଓ ବେଦରନୟମ ମଧ୍ୟରେ ବାତ୍ୟା ଗାଜା ଲ୍ୟାଣ୍ଡଫଲ କରିବା ପରେ ଏହାର ପ୍ରଭାବରେ ଆଖପାଖ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା। ଘର ଭାଙ୍ଗିଯିବା ସହ, ଫସଲ ନଷ୍ଟ ହୋଇ ଯାଇଥିଲା। ବଡ଼ ବଡ଼ ଗଛ ଭାଙ୍ଗି ପଡ଼ିବା ସହ ବିଭିନ୍ନ ସ୍କୁଲ ଘର ମଧ୍ୟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିଲା।

ତେବେ ବାତ୍ୟା ପରେ ସ୍କୁଲ ଘର ଭାଙ୍ଗିଯିବାରୁ ପିଲାମାନଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହୋଇଥିଲା। ଏହାକୁ ଆଖି ଆଗରେ ରଖି କିଛି ସ୍ୱେଚ୍ଛାସେବୀ ସ୍କୁଲର ପୁନଃ ନିର୍ମାଣ ପାଇଁ ଆଗେଇ ଆସିଥିଲେ। ଡିରେକ୍ସନ ଫର୍ ଭଲ୍ୟୁଣ୍ଟର ସଂସ୍ଥାର ସ୍ବେଚ୍ଛାସେବୀମାନେ ଭାଙ୍ଗି ଯାଇଥିବା ୩ଟି ସ୍କୁଲର ମରାମତି କାମ ନିଜ ହାତକୁ ନେଇଥିଲେ। ଏବେ ବର୍ଷକ ମଧ୍ୟରେ ସେ ୩ଟି ସ୍କୁଲର ପୁନଃ ନିର୍ମାଣ କାମ ସେମାନେ ଶେଷ କରି ସାରିଥିବା ଜଣା ପଡ଼ିଛି।

ବିଭିନ୍ନ ଜିଲ୍ଲା, ରାଜ୍ୟ ଓ ଦେଶରୁ ସହାୟତା ରାଶି ଆଣି ଏହି ସଂସ୍ଥା ୩ଟି ସ୍କୁଲର ପୁନଃ ନିର୍ମାଣ କାମ ଶେଷ କରିଥିବା କଥା ସଂସ୍ଥା ପକ୍ଷରୁ କରାଯାଇଥିବା ଫେସବୁକ୍ ପୋଷ୍ଟରୁ ସ୍ପଷ୍ଟ ହୋଇଛି। ପ୍ରଥମେ ଏହି ସଂସ୍ଥା ଥଲାଇଗନାଇରୁରେ ଥିବା ସରକାରୀ ସହାୟତା ପ୍ରାପ୍ତ ସେଲଭମ ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ କାମ ଶେଷ କରିଥିଲେ। ଏ ନେଇ ସେମାନେ ୭.୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ସ୍କୁଲଟି ଜୁନ୍ ୨, ୨୦୧୯ରେ ଖୋଲିଥିିଲା । ସେହିଭଳି ଭାବରେ କୋଭିଲପାଠୁରେ ଥିବା ସରକାରୀ ସହାୟତା ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ସରସ୍ବତୀ ବିଲାସର ପୁନଃ ନିର୍ମାଣ କାମ ଶେଷ ହେବା ସହ ଜୁନ୍ ୨୩ରେ ପାଠପଢ଼ା ଆରମ୍ଭ ହୋଇଥିଲା।  ଏ ନେଇ ଡିରେକ୍ସନ ଫର୍ ଭଲ୍ୟୁଣ୍ଟର ସଂସ୍ଥା ୧୧.୭ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ଏହା ସହ ବେଦରନୟମରେ ଥିବା ତୃତୀୟ ସ୍କୁଲର ନିର୍ମାଣ ପାଇଁ ଏହି ସଂସ୍ଥା ୮ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଜଣା ପଡ଼ିଛି।

ଡିରେକ୍ସନ ଫର୍ ଭଲ୍ୟୁଣ୍ଟର ସଂସ୍ଥା ପକ୍ଷରୁ କୁହାଯାଇଛି କି, ଏହି କାମ ପାଇଁ ଆମେ ଅନେକ ଘରୋଇ କମ୍ପାନିମାନଙ୍କୁ ଯାଇ ଟଙ୍କା ଆଦାୟ କରିବା ସହ ସଂସ୍ଥାର କର୍ମଚାରୀମାନେ ମଧ୍ୟ କିଛି କିଛି ଟଙ୍କା ଦେଇଥିଲେ। ଏହି ୩ଟି ସ୍କୁଲ ଥିବା ଅଞ୍ଚଳକୁ ଯାତାୟାତର ସେତେଟା ସୁବିଧା ନଥିବାରୁ ସ୍କୁଲର ପୁନଃ ନିର୍ମାଣ କାମ ଶେଷ କରିବା ଆମ ପାଇଁ ସହଜ ନଥିଲା।

ସମ୍ବନ୍ଧିତ ଖବର