ଗୁଆଝରରେ ହଂସଘର

ହଂସ ହଂସରାଳିଙ୍କ ସହ ଆପଣ ବି ପାଣିରେ ଭାସିବେ। ହଂସଙ୍କ ନିକଟତର ହୋଇ ତାଙ୍କ ସହ ସେଲ୍ଫି ନେବେ। ପୁରୁଣା ଭୁବନେଶ୍ବରସ୍ଥିତ ଗୁଆଝରରେ ଏପରି ଭାସମାନ ହଂସଘରକୁ ପ୍ରବେଶ କରି ନିଆରା ଅନୁଭବ ସାଉଁଟିବେ ପର୍ଯ୍ୟଟକ। ପାଣି ଭିତରେ ହୋଇଥିବା ବାଉଁଶ ଭାରାରେ ପର୍ଯ୍ୟଟକମାନେ ଯାଇ ହଂସଘରେ ପ୍ରବେଶ କରିବେ ପରେ ସେହି ଭାସମାନ ଘରେ ହଂସଙ୍କ ଭଳି ଭାସିବେ। ଭୁବନେଶ୍ବର ଆର୍ଟ ଟ୍ରାଏଲ୍ (ବ୍ୟାଟ୍) କାର୍ଯ୍ୟକ୍ରମ ମଧ୍ୟରେ ଏପରି ଏକ ନିଆରା କଳାକୁ ବାସ୍ତବ ରୂପ ଦେଉଛନ୍ତି କୋଲକାତାର ସାୟନ୍ତନ। ତାଙ୍କ କହିବା ମୁତାବକ, ଏହି ଭାସମାନ ହଂସଘର ପାଇଁ ୧ଶହ ବାଉଁଶ ଲାଗିଛି। ଏହି ଭାସମାନ ଘରର ଉଚ୍ଚତା ୨୦ ଫୁଟ ଥିବା ବେଳେ ଚଉଡ଼ା ରହିଛି ୧୬ ଫୁଟ। ପର୍ଯ୍ୟଟକଙ୍କୁ ପାଣି ମଧ୍ୟରେ ଏକ ସ୍ବପ୍ନିଳ ଦୁନିଆ ଭେଟି ଦେବା ଏହି ପରିକଳ୍ପନାର ଲକ୍ଷ ବୋଲି କହିଛନ୍ତି ସାୟନ୍ତନ। ଗୁଆଝରରେ ଏହା ନିର୍ମାଣାଧୀନ ଥିବା ବେଳେ ବାଉଁଶଗୁଡ଼ିକୁ ରଙ୍ଗିନ କପଡ଼ା ଦ୍ବାରା ଆଚ୍ଛାଦିତ କରାଯିବ। ବାଉଁଶରେ ହଂସ ଘର ନିର୍ମାଣ ସହିତ ବାଉଁଶରେ ସେ ନିର୍ମାଣ କରିବେ ସୂଚନା ଫଳକ। ଯାହା ମୁକ୍ତେଶ୍ବର ମନ୍ଦିରଠାରୁ କୋଟିତିର୍ଥେଶ୍ବର ରାସ୍ତା ଦେଇ ବିନ୍ଦୁସାଗର କୂଳ ରାସ୍ତାରେ ଯାଇଥିବା ଏକାମ୍ର ବନ ପର୍ଯ୍ୟନ୍ତ ରାସ୍ତାକୁ ବାଟ ଦେଖାଇବ। ମୁକ୍ତେଶ୍ବର ମନ୍ଦିର ନିକଟରେ ବାଉଁଶରେ ବଡ଼ ତୋରଣ ନିର୍ମାଣ ହେବା ସହ ରାସ୍ତାରେ ୪ଟି ଛୋଟ ତୋରଣ ମଧ୍ୟ ଶୋଭା ପାଇବ। ବାଉଁଶ ଓ କପଡ଼ାରେ ଏହି ତୋରଣମାନ ନିର୍ମିତ ହେଉଥିବା ବେଳେ ଏଥିପାଇଁ ୫ରୁ ୬ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ସେ ସାୟନ୍ତନ କହିଛନ୍ତି। ତାଙ୍କ କହିବା ଅନୁଯାୟୀ ବାଉଁଶରେ କାରିଗରୀ ଦ୍ବାରା ପର୍ଯ୍ୟଟକଙ୍କୁ ଆକର୍ଷିତ କରାଯିବା ସହ ଦିଗ ଦେଖାଇ ଦିଆଯିବ। ଏଥି ପାଇଁ ୧୫ଦିନ ହେଲା କାମ ଚାଲିଛି। ଆଉ ୪ଦିନ ପରେ ଏହି କାମ ଶେଷ ହେବା ପରେ ପର୍ଯ୍ୟଟକମାନେ ଏହାକୁ ଉପଭୋଗ କରିବାର ସୁଯୋଗ ପାଇବେ।

ରିପୋର୍ଟ: ଲିଙ୍ଗରାଜ ସାହୁ

ସମ୍ବନ୍ଧିତ ଖବର