ଗୁଣ୍ଡିଚା ମନ୍ଦିର ଜଗେ ବାବନାଭୂତ!

ରଥ କଥା - ଅସିତ ମହାନ୍ତି

ଶ୍ରୀଗୁଣ୍ଡିଚା ଯାତ୍ରାର ଅନ୍ୟ ଗୋଟିଏ ନାମ ‘ନବଦିନ ଯାତ୍ରା’ । କାରଣ ଠାକୁରମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟାରେ ଯାଇ ଗୁଣ୍ଡିଚା ମନ୍ଦିରରେ ସାତଦିନ ରହନ୍ତି ଏବଂ ବାହୁଡ଼ା ଦଶମୀ ଦିନ ଫେରି ଆସନ୍ତି । କିନ୍ତୁ ଠାକୁରମାନେ ନଥିବାବେଳେ, ବର୍ଷର ବାକି ଦିନଗୁଡ଼ିକରେ ଗୁଣ୍ଡିଚା ମନ୍ଦିରରେ କିଏ ଥାଏ?
ଏହାର ଗୋଟିଏ ସୁନ୍ଦର ଉତ୍ତର ଆମ ଲୋକ-ପରମ୍ପରାରେ ଅଛି । କିଂବଦନ୍ତି ଅନୁସାରେ, ଯେହେତୁ ବର୍ଷର ଅନ୍ୟଦିନ ଗୁଡ଼ିକରେ ଗୁଣ୍ଡିଚାମନ୍ଦିର ଖାଲି ପଡ଼ିଥାଏ, ତାକୁ ଜଗି ରହିଥାଏ ‘ବାବନାଭୂତ’ ।

‘ଚୈତନ୍ୟ ଚରିତାମୃତ’ର ‘ମଧ୍ୟଲୀଳା’ ଅନୁସାରେ, ଶ୍ରୀଚୈତନ୍ୟ ଯେତେବେଳେ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରୁଥିଲେ, ଶ୍ରୀଗୁଣ୍ଡିଚାଯାତ୍ରା ପୂର୍ବରୁ ଶିଷ୍ୟ ଓ ସହଯୋଗୀମାନଙ୍କୁ ନେଇ ସେ ‘ଗୁଣ୍ଡିଚା ମାର୍ଜନ’ କରୁଥିଲେ । ଏହି ‘ଗୁଣ୍ଡିଚା ମାର୍ଜନ’ ହେଉଛି, ଠାକୁରମାନଙ୍କର ସାତଦିନର ରହଣିପାଇଁ ଗୁଣ୍ଡିଚାମନ୍ଦିରକୁ ପରିଷ୍କାର କରିବା । ଆଜି ବି ଏ ପ୍ରଥା ପ୍ରଚଳିତ ଅଛି । ଶ୍ରୀଗୁଣ୍ଡିଚା ଯାତ୍ରାର ପୂର୍ବଦିନ ଶ୍ରୀଚୈତନ୍ୟପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଯାଇ ଗୁଣ୍ଡିଚା ମନ୍ଦିର ମାର୍ଜନ ସହିତ ସେଠାରେ ଭଜନ କୀର୍ତ୍ତନ କରୁଛନ୍ତି । କିନ୍ତୁ ଲୋକମୁଖରେ ତାହା ହେଉଛି ‘ଭୂତଶୁଦ୍ଧି’ ବା ‘ବାବନାଭୂତ ବିତାଡ଼ନ’ ।

କିନ୍ତୁ ସତରେ କ’ଣ ସେଠି ‘ବାବନାଭୂତ’ ଥାଏ? ଯଦି ଥାଏ, କୋଉଠୁ ଆସିଲା ଏ ବାବନାଭୂତ??

ଏ ବାବଦରେ ଅନୁଧ୍ୟାନ କଲେ ଆମକୁ ମିଳେ ‘ସାରଳା ମହାଭାରତ’ର ଦୁଇଟି ଉପାଖ୍ୟାନ । ସେଥିରୁ ଗୋଟିଏ ‘ଉଦ୍‍ଯୋଗ ପର୍ବ’ରେ ଏବଂ ଅନ୍ୟଟି ‘ବିରାଟ ପର୍ବ’ରେ ଅଛି ।

‘ସାରଳା ମହାଭାରତ’ ଅନୁସାରେ ପ୍ରେତମାନଙ୍କର ରାଜା ଥିଲା ବାବନାଭୂତ । ‘ଉଦ୍‍ଯୋଗ ପର୍ବ’ରେ ବର୍ଣ୍ଣିତ ଅଛି, ଯଦି କେହି ଅନ୍ୟାୟରେ ଅନ୍ୟ ଜଣଙ୍କର ବା ସର୍ବସାଧାରଣଙ୍କର ସଂପତ୍ତି ଅପହରଣ କରେ, ତେବେ ସେ ବାବନାଭୂତ ହୁଏ । କିନ୍ତୁ ଗୁଣ୍ଡିଚାମନ୍ଦିରର ବାବନାଭୂତ ପ୍ରସଙ୍ଗରେ ଏ ଉପାଖ୍ୟାନଟି ଖାପ ଖାଏ ନାହିଁ । କାରଣ ଗୁଣ୍ଡିଚା ମନ୍ଦିର ହେଉଛି ଶ୍ରୀଜଗନ୍ନାଥଙ୍କର ଜନ୍ମବେଦି । ସେଥିପାଇଁ ବର୍ଷରେ ଥରେ ଠାକୁରମାନେ ସେହି ଜନ୍ମସ୍ଥାନକୁ ଆସି, ସେଠାରେ ସାତଦିନ ଅବସ୍ଥାନ କରିଥାଆନ୍ତି । ଠାକୁରମାନେ ନଥିବା ବେଳେ, ବର୍ଷର ଅନ୍ୟ ଦିନଗୁଡ଼ିକରେ ବାବନାଭୂତ ସେଠାରେ ଥାଏ । ତେଣୁ ସେ ସାରାବର୍ଷ ଦେବସଂପତ୍ତିର ପ୍ରହରୀ ରୂପେ କାମ କରେ । ଏହା ସୂଚାଏ ଯେ ‘ବାବନାଭୂତ’ ପରସଂପତ୍ତି ହଡ଼ପକାରୀ ନୁହେଁ, ଗୋଟିଏ ଭଲ ଓ ଉପକାରୀ ଭୂତ ।

ତା’ହେଲେ ଏ ‘ବାବନାଭୂତ’ ଭାବଧାରାଟି କେଉଁଠୁ ଆସିଲା? ପୁଣି ଏହା କେମିତି ଗୁଣ୍ଡିଚାମନ୍ଦିର ସହ ଯୋଡ଼ିହେଲା?

ଏହାର ସୂତ୍ର ଆମକୁ ମିଳେ ‘ସାରଳା ମହାଭାରତର’ ‘ବିରାଟପର୍ବ’ରୁ । ସେ କାହାଣୀ ସମସ୍ତଙ୍କୁ ଜଣା ଯେ ଶକୁନିର କପଟ ପଶାଖେଳରେ ହାରିବା ପରେ, ପାଣ୍ଡବମାନଙ୍କୁ ବାରବର୍ଷ ବନବାସ କରିବାକୁ ପଡ଼ିଥିଲା । ତାହା ପରର, ତ୍ରୟୋଦଶ ବର୍ଷଟି ଥିଲା ଅଜ୍ଞାତବାସ ।

ସେହି ଅଜ୍ଞାତବାସ ନିମନ୍ତେ ସେମାନେ ବାଛିଥିଲେ ବିରାଟ ରାଜାଙ୍କ ନଗରକୁ । ସେଠାରେ ପଞ୍ଚୁପାଣ୍ଡବ ଓ ଦ୍ରୌପଦୀ ଛଦ୍ମନାମ ଓ ଛଦ୍ମବେଶରେ ରହିଥିଲେ । କିନ୍ତୁ ସେହି ଅଜ୍ଞାତବାସ ପୂର୍ବରୁ ସେମାନଙ୍କର ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଲୁଚାଇ ରଖିବା ଆବଶ୍ୟକ ହେଲା । ସେଥିପାଇଁ ସେମାନେ ଗୋଟିଏ ଗଛର କୋରଡ଼କୁ ବାଛିଥିଲେ ।

ବ୍ୟାସଦେବକୃତ ମୂଳ ସଂସ୍କୃତ ମହାଭାରତରେ ତାହାକୁ ଶମୀ ବୃକ୍ଷ ବୋଲି କୁହାଯାଇଛି । କିନ୍ତୁ ସାରଳା ଦାସଙ୍କ ‘ମହାଭାରତ’ ଅନୁସାରେ, ସେହି ବୃକ୍ଷଟି ବଡ଼ ବିଚିତ୍ର । ତାହାର କାହାଣୀ ହେଉଛି- ପୂର୍ବରୁ ହରି, ହର ଓ ଗିରିଜାଙ୍କଠାରୁ ଅର୍ଜୁନ ଗୋଟିଏ ବର ପାଇଥିଲେ । ସେହି ବରରେ ତାଙ୍କୁ ଗୋଟିଏ ଖଡ଼ିଗୋଟାଳି ମିଳିଥିଲା । ନିର୍ଦ୍ଦେଶ ଥିଲା- ମନରେ କୌଣସି କଥା ବାଞ୍ଛା କରି ସେହି ଖଡ଼ି ଗୋଟାଳିରେ ତିନି ଗାର କାଟିିଲେ, ତାହା ଅବଶ୍ୟ ପୂରଣ ହେବ । ତେଣୁ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଲୁଚାଇ ରଖିବାକୁ ମନରେ ବାଞ୍ଛା କରି ଅର୍ଜୁନ ଖଡ଼ିରେ ତିନିଗାର କାଟିଲେ । ସେଥିରୁ ଗୋଟିଏ ଦିବ୍ୟ ବୃକ୍ଷ ଜାତ ହେଲେ । ସେହି ବୃକ୍ଷର ଅର୍ଦ୍ଧ ଅଙ୍ଗ ସଦାଶିବ ଓ ଅର୍ଦ୍ଧ ଅଙ୍ଗ ବାସୁଦେବ । ବ୍ରହ୍ମାଙ୍କର ଚାରିମୁଖ ବା ଚାରିବେଦ ସେହି ବୃକ୍ଷର ଚାରି ଶାଖା ଥିଲେ । ବୃକ୍ଷର କୋରଡ଼ରେ ସ୍ୱୟଂ ଗିରିଜା (ପାର୍ବତୀ) ଅବସ୍ଥାନ କରୁଥିଲେ । ସେହି ଦିବ୍ୟ କୋରଡ଼ରେ ସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖାଗଲା । କିନ୍ତୁ ଅସ୍ତ୍ରଗୁଡ଼ିକ ସେଠାରେ ସୁରକ୍ଷିତ ରହିବ କି ନା, ସେ ନେଇ ଯୁଧିଷ୍ଠିରଙ୍କ ମନରେ ଶଙ୍କା ଥିଲା । ତେଣୁ ଅର୍ଜୁନ ଖଡ଼ିଗୋଟାଳିରେ ଗାରଟାଣି ସେ ଚିନ୍ତା ବି ଦୂର କରିଦେଲେ । ସାରଳା ଦାସଙ୍କ ଭାଷାରେ-

“ଅର୍ଜୁନ ବୋଇଲା ୟେଥକୁ ଦେବ ନକର ଚିନ୍ତା ।
ବଡ଼ ବଳବନ୍ତ ପୁରୁଷେକ ଯେ ଅଛଇ ରଖନ୍ତା ।।
ସେହି ଖଡ଼ି ଘେନି ଲେଖନ କଲାକ ପିତୁଳୀ ।
ସେହି ପିତୁଳୀ ବିଦାରି ବାହାର ହୋଇଲା ପ୍ରଚଣ୍ଡ ବଳୀ ।।”

ସେହି ଦିବ୍ୟ ବୃକ୍ଷକୁ ଓ ତାହାର କୋରଡ଼ରେ ରଖାଯାଇଥିବା ଦିବ୍ୟ ଅସ୍ତ୍ରଶସ୍ତ୍ରଗୁଡ଼ିକୁ ଏହି ଦିବ୍ୟ ପ୍ରହରୀ ହିଁ ଜଗି ରହିଲା । ତାହାର ରୂପ କିପରି, ତା’ର ଚମକ୍ରାର ବର୍ଣ୍ଣନା କରିଛନ୍ତି ସାରଳା ଦାସ । କହିଛନ୍ତି-

“କର ଚରଣ ନାହିଂ ଯେ ନାହିଂ ତାର ମୁଣ୍ଡ
ପେଟ ପିଠି ନାହିଂ ଅଙ୍ଗ ମେଦ ମୃତ୍ୟୁପିଣ୍ଡ ।।
ଅର୍ଜୁନ ବୋଇଲା ଦେବ ଶୁଣିବା ଧର୍ମସୁତେ ।
ସମସ୍ତ ଗୋପ୍ୟାନ କଲା ଏ ସଂସାରଜନ ହିତେ ।।”

ଏହି ହାତ, ପାଦ, ମୁଖ ଆଦି ନଥିବା ଦିବ୍ୟ ପ୍ରହରୀଟି ଆମ ‘ବାବନାଭୂତ’ର ରୂପ ଘେନିଛି । ସଂସାର ଲୋକଙ୍କର ହିତପାଇଁ ହିଁ ସେ ଏପରି ରୂପ ଧରିଛି ବୋଲି ସାରଳା ଦାସ କହିଛନ୍ତି । ବର୍ଣ୍ଣନା ଅଛି ଯେ ଅର୍ଜୁନ ତାହାକୁ ଚିନ୍ତା କଲା ମାତ୍ରେ, ସେ ବିରାଟ ଆକାର ଧାରଣ କରିଥିଲା । ଯାଇ ସେହି ବୃକ୍ଷର ଉଚ୍ଚ ଡାଳ ଉପରେ ଲାଗିଥିଲା । ସାରଳା ଦାସଙ୍କ ବର୍ଣ୍ଣନାମତେ-

“ଅଦଉତିରେ ଅବଂଧନେ ଲାଗିଲା ତାର କାୟେ ।
ବୃକ୍ଷର ଉପରେ ବୁଲିଲା ସେ ତମ୍ବାଚକ୍ର ପ୍ରାୟେ ।।
ବଦନ ବିହୁନେ ସେ ଛାଡ଼ିଲା ଘୋର ରଡ଼ି ।
ଭୂମିରୁ ପର୍ବତ କି ପଡ଼ିଲେ ଉପୁଡ଼ି ।”

ଗୁଣ୍ଡିଚା ମନ୍ଦିର ହେଉଛି ଶ୍ରୀଜଗନ୍ନାଥଙ୍କର ଜନ୍ମବେଦି । ସେଥିପାଇଁ ତାହା ଏକ ଦିବ୍ୟ, ପବିତ୍ର ସ୍ଥାନ । ତେଣୁ ଦିବ୍ୟବୃକ୍ଷର କୋରଡ଼ ଓ ସେ କୋରଡ଼ରେ ଥିବା ଅସ୍ତ୍ରଶସ୍ତ୍ର ପରି ତାହା ମୂଲ୍ୟବାନ । ତେଣୁ ପାଣ୍ଡବଙ୍କର ଅସ୍ତ୍ରଶସ୍ତ୍ରଗୁଡ଼ିକ ‘ସାରଳା ମହାଭାରତ’ର ସେହି ‘ମହାବଳୀ’ ଜଗି ରହିବା ପରି, ଦିବ୍ୟ ପ୍ରହରୀ ବାବନାଭୂତ ବି ବର୍ଷର ଅନ୍ୟ ସବୁ ସମୟରେ ଗୁଣ୍ଡିଚାମନ୍ଦିରକୁ ଜଗି ରହିଥାଏ । ଏ ଲୋକବିଶ୍ୱାସ କାଳ କାଳ ଧରି ବଳବତ୍ତର ରହିଆସିଛି ।

 

ସମ୍ବନ୍ଧିତ ଖବର

Comments are closed.