‘ଗୁଣ୍ଡିଚା’ ରାଣୀ ଓ ‘ନାକଚଣା’ କାହାଣୀ

ରଥ କଥା - ଅସିତ ମହାନ୍ତି

ଶ୍ରୀଗୁଣ୍ଡିଚା ମନ୍ଦିର ପାଚେରିର ସମ୍ମୁଖ ଭାଗରେ ରହିଛି ଦୁଇଟି ଦ୍ୱାର । ଗୋଟିଏ ‘ସିଂହଦ୍ୱାର’ ଓ ଅନ୍ୟଟି ‘ନାକଚଣା ଦ୍ୱାର’ । ‘ଶ୍ରୀଗୁଣ୍ଡିଚାଯାତ୍ରା’ ଦିନ ଶ୍ରୀମନ୍ଦିରର ସିଂହଦ୍ୱାରଠାରୁ ତିନିରଥ ଯାଇ ଗୁଣ୍ଡିଚା ମନ୍ଦିର ସିଂହଦ୍ୱାରଠାରେ ଲାଗେ । ସେଇ ବାଟରେ ଠାକୁରମାନେ ଗୋଟି ପହଣ୍ଡିରେ ଯାଇ ଆଡ଼ପ ମଣ୍ଡପରେ ବିଜେ ହୁଅନ୍ତି । ଏଣୁ ଏହା ଗୁଣ୍ଡିଚା ମନ୍ଦିରର ପ୍ରଥମ ଓ ମୁଖ୍ୟ ପ୍ରବେଶଦ୍ୱାର ।

କିନ୍ତୁ ଏହି ଦ୍ୱାରର ପୂର୍ବ ପଟକୁ, ସିଂହଦ୍ୱାର ପରି ଶରଧା ବାଲି ଦିଗରେ ଆଉ ଏକ ଦ୍ୱାର ରହିଛି । ଏହା ହେଉଛି, ଗୁଣ୍ଡିଚା ମନ୍ଦିରର ଦ୍ୱିତୀୟ ଦ୍ୱାର । ତିନିରଥ ଦକ୍ଷିଣ ମୋଡ଼ ହୋଇ ଏହି ଦ୍ୱାର ସାମ୍ନାକୁ ଆସିଥାଆନ୍ତି ଏବଂ ଏହି ଦ୍ୱାର ଦେଇ ଧାଡ଼ିପହଣ୍ଡିରେ ଆସି ଠାକୁରମାନେ ବାହୁଡ଼ା ଯାତ୍ରା ପାଇଁ ରଥରେ ବିଜେ ହୁଅନ୍ତି । ଏଣୁ ଏହା ଠାକୁରମାନଙ୍କର ପ୍ରସ୍ଥାନ ଦ୍ୱାର । ଏହାର ଲୋକପ୍ରିୟ ନାମ ‘ନାକଚଣା ଦ୍ୱାର’ ।

କାହିଁକି ଏହି ଦ୍ୱାରର ନାମ ‘ନାକଚଣା ଦ୍ୱାର’ ହୋଇଛି, ସେ ସଂପର୍କରେ ରହିଛି ତିନିଟି କାହାଣୀ ବା କିଂବଦନ୍ତି ।

ଓଡ଼ିଆରେ ‘ନାକଚଣା’ କହିଲେ ବୁଝାଏ ନାକପୁଡ଼ାରେ ପିନ୍ଧାଯାଉଥିବା ଏକ ପ୍ରକାରର ‘ଫୁଲି’ ବା ଅଳଙ୍କାରକୁ । ଏହାର ଅନେକ କିସମ ଅଛି । ଏହି କିସମଗୁଡ଼ିକ ହେଉଛି ‘ଓଲଟମୁହାଁ’, ‘କଣ୍ଠି’, ‘ବଉଳକୋଳିଆ’ ଓ ‘ଆମ୍ବକେରିଆ’ ଇତ୍ୟାଦି । ଏ ସଂପର୍କରେ ଓଡ଼ିଆ ସାହିତ୍ୟର ପ୍ରାଚୀନ କବି ଦେବଦୁର୍ଲଭ ଦାସଙ୍କ ‘ରହସ୍ୟ ମଞ୍ଜରୀ’ କାବ୍ୟରେ ମଧ୍ୟ ବର୍ଣ୍ଣନା ଅଛି । ସେହି ବର୍ଣ୍ଣନା ହେଉଛି, “ବିକ ମୁଦ୍ରିକା ବଳୟ ବାହୁଟି / ହାର ତାଟଙ୍କ ନାକଚଣା କଣ୍ଠି ।” ଏସବୁ ହେଉଛି କାବ୍ୟ-ନାୟିକା ବା ସେଦିନର ଓଡ଼ିଆ ନାରୀ ପିନ୍ଧୁଥିବା ଅଳଙ୍କାର । ସେତେବେଳେ ସେମାନେ ନାକରେ ପିନ୍ଧୁଥିବା ଅଳଙ୍କାର ‘ନାକଚଣା’ ବା ‘ନାକଫୁଲି’ ଭାବରେ ନାମିତ ହେଉଥିଲା ।

ଏହି ‘ନାକଚଣା’ ଅନୁସାରେ ଶ୍ରୀଗୁଣ୍ଡିଚା ମନ୍ଦିରର ଦ୍ୱିତୀୟ ଦ୍ୱାରଟି ନାମିତ ହୋଇଛି ।

ଏ ସଂପର୍କରେ ଥିବା କାହାଣୀ ବା କିଂବଦନ୍ତି ମଧ୍ୟରୁ ପ୍ରମୁଖଟି ହେଉଛି- ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ରାଣୀଙ୍କ ନାଆଁ ଥିଲା ଗୁଣ୍ଡିଚା । ସେ ନାକରେ ପିନ୍ଧୁଥିବା ସୁନାର ‘ନାକଚଣା’ରେ ହୀରା ଖଚିତ ହୋଇଥିଲା । ତେଣୁ ତାହା ବହୁମୂଲ୍ୟ ଥିଲା । ତାହାକୁ ବିକ୍ରୟ କରି ସେହି ଅର୍ଥରେ ଗୁଣ୍ଡିଚା ରାଣୀ ମନ୍ଦିରର ଏହି ଦ୍ୱିତୀୟ ଦ୍ୱାର ନିର୍ମାଣ କରାଇଥିଲେ । ତେଣୁ ତାହା ‘ନାକଚଣା ଦ୍ୱାର’ ନାମରେ ପ୍ରସିଦ୍ଧ ହେଲା ।

ଲୋକମୁଖରେ ଏହି କାହାଣୀଟି ପ୍ରସିଦ୍ଧ ହେଲେ ମଧ୍ୟ ‘ନାକଚଣା ଦ୍ୱାର’ର ନାମ ପଛରେ ଆଉ ଦୁଇଟି କାହାଣୀ ମଧ୍ୟ ପ୍ରଚଳିତ ଅଛି । ସେଥିରୁ ଗୋଟିଏ ହେଉଛି- ରାଜା କପିଳେନ୍ଦ୍ର ଦେବଙ୍କ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରର ସମ୍ମୁଖ ଭାଗରେ ଥିଲା ଗୋଟିଏ ଦ୍ୱାର । ଏହି ରାଜାଙ୍କର ରାଣୀ ନିଜ ନାକଚଣାର ମୂଲ୍ୟରେ ଗୁଣ୍ଡିଚାମନ୍ଦିରର ଦ୍ୱିତୀୟ ଦ୍ୱାର ଗଢ଼ାଇଥିଲେ । ତେଣୁ ତାହାର ନାମ ନାକଚଣାଦ୍ୱାର ହେଲା ।

ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାର

କିନ୍ତୁ ଏ ସଂପର୍କରେ ପ୍ରଚଳିତ ତୃତୀୟ କିଂବଦନ୍ତିଟି, କୌଣସି ରାଣୀଙ୍କ ସହିତ ନୁହେଁ- ସ୍ୱୟଂ ମହାଲକ୍ଷ୍ମୀଙ୍କ ସହ ଜଡ଼ିତ । ଏହି କିଂବଦନ୍ତି ଅନୁସାରେ, ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରକୁ ଆସିଥିବା ବେଳେ, ସଂଧ୍ୟାଧୂପର ‘ଟେରା’ ପଡ଼ିଯିବାରୁ ସେ କ୍ରୋଧାନ୍ୱିତ ହୋଇଥିଲେ । ସେ ସିଂହଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିଥିଲେ ହେଁ ରାଗରେ ଦକ୍ଷିଣ ଦ୍ୱାର ଦେଇ ବାହାରିଯାଇଥିଲେ । ସେହି ବାଟେ ତରତର ହୋଇ ବାହାରି ଯିବାବେଳେ ତାଙ୍କର ନାକରୁ ନାକ ଅଳଙ୍କାରଟି ଖସି ପଡ଼ିଥିଲା । ସେହି ଅଳଙ୍କାର ‘ଚଣା’ ଆକୃତିର ଥିବା ହେତୁ, ତାହାର ସ୍ମୃତିରେ ଦ୍ୱାରର ନାମ ‘ନାକଚଣା’ ହେଲା ।

ଏହି ତିନି କିଂବଦନ୍ତି ମଧ୍ୟରୁ ପ୍ରଥମଟି ହିଁ ଅଧିକ ଲୋକପ୍ରିୟ । ତେଣୁ ଲୋକବିଶ୍ୱାସ ରହିଆସିଛି ଯେ ଗୁଣ୍ଡିଚାରାଣୀଙ୍କ ନାକଚଣାର ବିନିମୟ ମୂଲ୍ୟରେ ଏହି ଦ୍ୱାର ନିର୍ମିତ ହୋଇଥିବାରୁ, ଏହାର ନାମ ‘ନାକଚଣା ଦ୍ୱାର’ ହୋଇଛି ।

କିନ୍ତୁ ଏହି ଦ୍ୱାରର ଅନ୍ୟ ଏକ ନାମ ମଧ୍ୟ ରହିଛି । ତାହା ହେଉଛି ‘ବିଜୟ’ ଦ୍ୱାର । ଏହି ଦ୍ୱାର ଦେଇ ଶ୍ରୀଜଗନ୍ନାଥାଦି ଦେବତା ବାହୁଡ଼ା ବିଜୟରେ ବାହାରୁଥିବାରୁ ଏହି ନାମକରଣ ହୋଇଛି ।

ବାହୁଡ଼ା ବିଜୟ ପାଇଁ ନାକଚଣା ଦ୍ଵାରଠାରେ ତିନି ରଥ ପ୍ରସ୍ତୁତ (ଫାଇଲ୍ ଫଟୋ)

ଉଲ୍ଲେଖନୀୟ ଯେ ହେରାପଞ୍ଚମୀ ଦିନ ଦେବୀ ଲକ୍ଷ୍ମୀ ଗୁଣ୍ଡିଚାମନ୍ଦିରଠାରେ ଶ୍ରୀଜଗନ୍ନାଥଙ୍କ ନିକଟରୁ ଆଜ୍ଞାମାଳ ପାଇବା ପରେ, ତାହାର ପରଦିନ ସକାଳେ ହିଁ ବାହୁଡ଼ା ବିଜୟର ପ୍ରସ୍ତୁତିପାଇଁ ତିନି ରଥକୁ ଆଜ୍ଞାମାଳ ଦିଆଯାଇଥାଏ । ଏହା ରଥକୁ ଠାକୁରମାନଙ୍କର ଶେଷ ଆଜ୍ଞାମାଳ । ଏହି ଆଜ୍ଞାମାଳ ମିଳିବା ପରେ ତିନି ରଥର ଦକ୍ଷିଣ ମୋଡ଼ ହୁଏ । ଅର୍ଥାତ୍ ଉତ୍ତରରେ ଥିବା ଗୁଣ୍ଡିଚାମନ୍ଦିରରୁ ଦକ୍ଷିଣରେ ଥିବା ଶ୍ରୀମନ୍ଦିରକୁ ବାହୁଡ଼ିବାପାଇଁ ଠାକୁରମାନେ ପ୍ରସ୍ତୁତ ହୁଅନ୍ତି । ଶ୍ରୀଗୁଣ୍ଡିଚାଯାତ୍ରାରେ ଆସି ପ୍ରଥମଦ୍ୱାର ଅର୍ଥାତ୍ ସିଂହଦ୍ୱାର ଦେଇ ପ୍ରବେଶ କରିଥିଲେ ମଧ୍ୟ, ଏହି ଦ୍ୱାର ଦେଇ ଠାକୁରମାନେ ‘ବାହୁଡ଼ା ପହଣ୍ଡି’ ହୋଇ ରଥକୁ ଆସିଥାଆନ୍ତି । ଏଣୁ ଏହି ‘ନାକଚଣା’ ଦ୍ୱାରର ଅନ୍ୟ ନାମ ମଧ୍ୟ ‘ବିଜୟ’ ଦ୍ୱାର ।

 

ସମ୍ବନ୍ଧିତ ଖବର