ଆସନ୍ତାକାଲି ଶିବରାତ୍ରୀ; ଜାଣନ୍ତୁ ଗୁପ୍ତେଶ୍ୱରଙ୍କ ପୀଠକୁ ନେଇ କିଛି ଜଣାଅଜଣା କଥା

କୋରାପୁଟ : ଆସନ୍ତାକାଲି ମହାଶିବରାତ୍ରୀ ପାଇଁ ରାଜ୍ୟର ବିଭିନ୍ନ ଶିବପୀଠରେ ଜୋରଦାର ପ୍ରସ୍ତୁତି ଚାଲିଛି । ଏହି କ୍ରମରେ କୋରାପୁଟର ଗୁପ୍ତେଶ୍ୱର ପୀଠରେ ଆଜିଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଗଲାଣି। ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଥିବା ଏହି ପୀଠରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଜମିଥାଏ । ସାବେରି ନଦୀ ୨ ରାଜ୍ୟକୁ ସଯୋଂଗ କରୁଥିବା ବେଳେ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ପୀଠର ରହିଛି ସତନ୍ତ୍ର ମାହାତ୍ମ୍ୟ ।

ଗୁପ୍ତେଶ୍ୱର ରାଜ୍ୟର ପ୍ରସିଦ୍ଧ ଶୈବପୀଠମାନଙ୍କଠାରୁ ଅନ୍ୟତମ । ଓଡ଼ିଶା ଓ ଛତିଶଗଡ଼ ରାଜ୍ୟର ସୀମାନ୍ତରେ ଥିବା ଏହି ପୀଠରେ ପ୍ରତିଦିନ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଅନେକ ଭକ୍ତ ପାହାଡ଼ ଉପରେ ରହିଥିବା ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ସାରି ଫେରି ଆସନ୍ତି। କିନ୍ତୁ ଏମିତି ଅନେକ ଭକ୍ତ  ଅଛନ୍ତି ଯେଉଁମାନେ ବାବା ଗୁପ୍ତେଶ୍ୱରଙ୍କ ଲିଙ୍ଗ  ତଳେ ଯେ ୮ ଟି ଗୁମ୍ପା ରହିଥିବା  କେହି ଜାଣି ନାହାନ୍ତି । ଏହି ପୀଠର ଅନେକ ପୌରାଣିକ କାହାଣୀ ରହିଥିବା ବେଳେ ରାମାୟଣ ସହ ମଧ୍ୟ ଏହାର କିଛି କାହଣୀ ଜଡ଼ିତ ରହିଛି। ରାମଙ୍କ ବନବାସ ସମୟରେ ଏହି ପୀଠରେ ରାମ ସୀତା ଓ ଲକ୍ଷ୍ମଣ କିଛି ସମୟ ବିତାଇଥିବା ପୂଜକ କହୁଛନ୍ତି।

ଗୁମ୍ପାର ପ୍ରଥମ ଦ୍ୱାର ଭିତରେ ଗୁପ୍ତ ଲିଙ୍ଗ ରହିଛି । ଆଉ ତା’ ଭିତରକୁ ରହିଛି ଅନେକ ଦେବାଦେବୀଙ୍କ ପୂଜାସ୍ଥଳୀ। ଏପରି ୮ରୁ ଅଧିକ ଗୁମ୍ପା ପ୍ରାୟ ୪ କିମି ପର୍ଯ୍ୟନ୍ତ ଲମ୍ବିଥିବା ଗୁମ୍ପା ଭିତରେ ପୂଜା କରୁଥିବା ପୂଜକ କହିଛନ୍ତି। ତେବେ ରାମାୟଣରେ ବର୍ଣ୍ଣିତ କାହାଣୀକୁ ନେଇ ଏଠାରେ ରହିଥିବା ବହୁ ଦେବାଦେବୀଙ୍କ ମୂର୍ତ୍ତି ଯାହାକୁ ଦୁରୁଆ ସମ୍ପ୍ରଦାୟର ଲୋକମାନେ ନିୟମିତ ପୂଜା କରିଆସୁଥିବା ବେଳେ କିଛି ଗୁମ୍ପାରେ କେଉଁଠି ଝରଣା ରହିଛି ତ କେଉଁଠି ଶିିବ ଲିଙ୍ଗ ପୂଜା ପାଉଛନ୍ତି । ତେବେ ଏଠାକୁ ଆସୁଥିବା ମାନସିକଧାରୀଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ସ୍ଥାନୀୟ ବାସିନ୍ଦା କୁହନ୍ତି ।

ଆସନ୍ତାକାଲି ଶିବରାତ୍ରୀ ଥିବାରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଏଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି । ଏହା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି । ସେପଟେ ଶିବରାତ୍ରୀ ପାଇଁ ଗୁପ୍ତେଶ୍ୱରଙ୍କ ପୀଠରେ ବିଭିନ୍ନ ପୂଜା ସାମଗ୍ରୀ ଏବଂ ଅନ୍ୟାନ ଦୋକାନର ଭିଡ଼ ଦେଖିବାକୁ ମିଳିଛି ।

ସମ୍ବନ୍ଧିତ ଖବର