ଗୁରୁଗ୍ରାମରେ ଖୋଲିଲା ଦେଶର ପ୍ରଥମ ପୋଷାକୁକୁରଙ୍କ ହୋଟେଲ୍‌ : ଯେଉଁଠି ମଣିଷଙ୍କୁ ମିଳୁଥିବା ସବୁ ସୁବିଧା ଉପଲବ୍ଧ

ଗୁରୁଗ୍ରାମ: ଆପଣ ଅନେକ ସମୟରେ ଗ୍ରୀଷ୍ମ ଛୁଟିରେ ପରିବାର ନେଇ ବାହାରକୁ ଯିବାଲାଗି ଯୋଜନା କରିଥାଆନ୍ତି। କିନ୍ତୁ ସେହି ସ୍ଥାନକୁ ଆପଣଙ୍କ ପୋଷାକୁକୁରକୁ ନେଇଯିବା ପାଇଁ ସୁବିଧା ନ ଥାଏ । ଏପରି କ୍ଷେତ୍ରରେ ଛୁଟି ଯୋଜନାକୁ ଅଟକାଇବା ପାଇଁ ପଡ଼ିଥାଏ ଅଥବା କୁକୁରଟିକୁ ଘରେ ଛାଡ଼ି ଯିବା ପାଇଁ ପଡ଼ିଥାଏ। ତେବେ ଏସବୁ ପାଇଁ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। କୁକୁର ରଖିବା ସଉକ ଥିବା ଲୋକମାନଙ୍କ ପାଇଁ ଗୁରୁଗ୍ରାମରେ ଏକ ବିଳାସପୂର୍ଣ୍ଣ ହୋଟେଲ ଖୋଲା ଯାଇଛି, ଯାହାର ନାମ ରଖାଯାଇଛି ‘କ୍ରିଟେରାଟି’।

ଗୁରୁଗ୍ରାମର ଦୀପକ ଚାଓ୍ଵଲା ଓ ତାଙ୍କ ପତ୍ନୀଙ୍କ ମିଳିତ ଉଦ୍ୟମରେ କୁକୁରଙ୍କ ପାଇଁ ଏଭଳି ଏକ ହୋଟେଲ ନିର୍ମାଣ କରାଯାଇଛି। ଏହି ହୋଟଲରେ କୁକୁରଙ୍କ ପାଇଁ ରହିଛି ମଖମଲି ବେଡ, ଆରାମଦାୟକ ସ୍ପା, ୨୪ଘଣ୍ଟିଆ ଡାକ୍ତରୀ ଚିକିତ୍ସା ସୁବିଧା ଓ ବିନା ଅଲକୋହୋଲର ବିୟର। କୁକୁରଙ୍କୁ ଏଭଳି ସୁବିଧା ଦେଉଥିବା ଭାରତରେ ଏହା ହେଉଛି ପ୍ରଥମ ହୋଟେଲ। ପୂର୍ବରୁ କୁକୁରଙ୍କୁ ଏଭଳି ସୁବିଧା ଦେଉଥିବା ହୋଟେଲ କେବଳ ବେଲଜିୟମରେ ଥିଲା।

ତେବେ ଏହି ହୋଟେଲରେ ଗୋଟିଏ ରାତି ପାଇଁ ଯଦି ଆପଣଙ୍କ କୁକୁରକୁ ରଖୁଛନ୍ତି ତେବେ ୧,୪୯୯ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେବାକୁ ପଡ଼ିବ। ସାତ ରାତି ରହିଲେ ୯୯୯ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବାର ସୁବିଧା ରହିଛି।

ଆପଣ ଏହି ହୋଟେଲର ବାର୍ଷିକ ସଦସ୍ୟ ମଧ୍ୟ ହୋଇପାରିବେ। ଏହା ଆପଣଙ୍କ କୁକୁରର ଆକାର ଉପରେ ନିର୍ଭର କରିଥାଏ। ଛୋଟ ଆକାରର କୁକୁର ପାଇଁ ୨୩,୯୯୯ଟଙ୍କା, ମଧ୍ୟମ ଆକାର କୁକୁର ପାଇଁ ୨୮,୯୯୯ ଓ ବଡ ଆକାରର କୁକୁର ପାଇଁ ୩୩,୯୯୯ ଟଙ୍କାରୁ ୩୮,୯୯୯ଟଙ୍କା ପର୍ଯ୍ୟନ୍ତ ଦେୟ ରହିଛି।

କୁକୁରଙ୍କ ପାଇଁ ଏହି ହୋଟେଲରେ କେଫ୍‌, ସୁଇମିଂ ପୁଲ, ସ୍ପା, ଖେଳପଡ଼ିଆ, ପଶୁ ଚିକିତ୍ସକ, ମସାଜ୍‌, ଟେଲିଭିଜନ୍‌ ଲାଉଞ୍ଜ, ଡିଲକ୍ସ ସୁଟ, ସେଲୁନ୍‌, ବିବାହ, ଜନ୍ମଦିନ, ଭୋଜି ଓ ଏକ ଦୋକାନ ମଧ୍ୟ ରହିଛି। ଏହି ଦୋକାନରେ କୁକୁରଙ୍କ ପାଇଁ ଖେଳନାଠାରୁ ଖାଦ୍ୟ ଆଦି ଉପଲବ୍ଧ ଅଛି।

ସମ୍ବନ୍ଧିତ ଖବର