ସମ୍ପର୍କର ସେତୁ ଗୁରୁପ୍ରିୟା

ତିନି ଆଡୁ ଅଥଳ ଜଳରାଶି ଘେରି ରହିଛି। ଅନ୍ୟପଟେ ପାହାଡ଼। ତା’ରି କୋଳରେ ରହିଛି ବହୁଚର୍ଚ୍ଚିତ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ। ବର୍ଷେ, ଦୁଇ ବର୍ଷ କି ଦଶବର୍ଷ ନୁହେଁ, ଦୀର୍ଘ ସାତ ଦଶନ୍ଧି ପରେ ବିଚ୍ଛିନ୍ନାଞ୍ଚଳ ଏବେ ସଡ଼କପଥରେ ମାଲକାନଗିରି ସହର ମୁଖ୍ୟାଳୟ ସହିତ ଯୋଡ଼ି ହେବ। ଦୀର୍ଘ ୩୮ବର୍ଷ ଧରି ସରକାର ଦେଖୁଥିବା ସ୍ୱପ୍ନ ସାକାର ରୂପ ନେଇଛି। ସିଲେରୁ ନଦୀ ଉପରେ ନିର୍ମାଣ ହୋଇଛି ଗୁରୁପ୍ରିୟା ସେତୁ। ସ୍ଥାନୀୟ ଅଞ୍ଚଳବାସୀ ତ ସ୍ୱାଭାବିକ ଭାବେ ଖୁସି। ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର ମଧ୍ୟ ଆଶ୍ୱସ୍ତ। ସବୁଠାରୁ ବଡ଼ କଥା ହେଲା, ନକ୍ସଲ ଏହି ସ୍ଥାନକୁ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିିଥିଲେ। ଏଠି ଓଡ଼ିଶା ସରକାରଙ୍କର ନିର୍ଦ୍ଦେଶ କମ୍‌, ବରଂ ନକ୍ସଲଙ୍କ ରାଜ୍‌ ଅଧିକ ଚାଲିଥିଲା। ବହୁ ପ୍ରତୀକ୍ଷିତ ଏହି ଗୁରୁପ୍ରିୟା ସେତୁ ବିଚ୍ଛିନ୍ନାଞ୍ଚଳର ଏହି ୧୫୧ଟି ଗାଁକୁ ନକ୍ସଲଙ୍କ କବଳରୁ ମୁକ୍ତ କରିବ ବୋଲି ଆଶା କରାଯାଉଛି। ପରାଧୀନ ଜୀବନ ବିତାଉଥିବା ବିଚ୍ଛିନ୍ନାଞ୍ଚଳବାସୀ ବିକାଶର ସ୍ୱାଦ ଚାଖିବେ। ଯବାନ ଓ ସ୍ଥାନୀୟ ବାସିନ୍ଦାଙ୍କ ବଳିଦାନ ଏବଂ ସରକାରଙ୍କ ପ୍ରତିବଦ୍ଧତା ବଳରେ ଛିଡ଼ା ହୋଇଛି ଗୁରୁପ୍ରିୟା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦ୍‌ଘାଟନ କରିବା ଅବସରରେ ଶତାଦ୍ଦୀର ଏହି ପ୍ରକଳ୍ପକୁ ନେଇ ସମ୍ବାଦର ସ୍ୱତନ୍ତ୍ର ପ୍ରତିବେଦନ।

ରିପୋର୍ଟ: ଭବାନୀ ଶଙ୍କର ତ୍ରିପାଠୀ, ସହଯୋଗ: ପ୍ରେମେନ୍ଦ୍ର ପରିଚ୍ଛା

ଚରମ ବଳିଦାନର ଫଳ

ଗୋଟିଏ ସମୟରେ ସମଗ୍ର ଭାରତବର୍ଷକୁ ଥରାଇ ଦେଇଥିଲା ବିଚ୍ଛିନ୍ନାଞ୍ଚଳ। ଜଣେ କି ଦୁଇଜଣ ନୁହେଁ, ୩୮ ଜଣ ଆନ୍ଧ୍ର ଗ୍ରେ ହାଉଣ୍ଡ ସହିଦ ହୋଇଥିଲେ ଆଲମ୍‌ପକା ନିକଟରେ। ୨୦୦୮ ମସିହା ଜୁନ୍‌ ୨୯ ତାରିଖ ଦିନ ଆନ୍ଧ୍ରପ୍ରଦେଶ ପୁଲିସର ୫୯ ଜଣ ଗ୍ରେ-ହାଉଣ୍ଡ ଯବାନ ଲଞ୍ଚ୍‌ରେ ଚିତ୍ରକୋଣ୍ଡାକୁ ଫେରୁଥିବା ବେଳେ ଆଲମ୍‌ପାକା ନିକଟରେ ନକ୍ସଲ ସେମାନଙ୍କ ଉପରେ ଦୁଇ ପଟ ପାହାଡ଼ ଉପରୁ ଆଖିବୁଜା ଗୁଳି ଓ ଗ୍ରେନେଡ୍‌ ମାଡ଼ କରିଥିଲେ। ଆକ୍ରମଣ ଏତେ ଅତର୍କିତ ଓ ପ୍ରଚଣ୍ଡ ଥିଲା ଯେ ଯବାନମାନଙ୍କୁ ଆତ୍ମରକ୍ଷା କିମ୍ବା ପାଲଟା ଆକ୍ରମଣ ପାଇଁ କୋଣସି ସୁଯୋଗ ମିଳି ନ ଥିଲା। ଗ୍ରେନେଡ୍‌ ମାଡ଼ରେ ଲଞ୍ଚ ବୁଡ଼ି ଯାଇଥିଲା। ସହିଦ ହେଲେ ଯବାନ, ଲଞ୍ଚର ଡ୍ରାଇଭର ଈଶ୍ୱର ରାଓ ବି ବୁଡ଼ି ପ୍ରାଣ ହରାଇଥିଲେ। ତାର କିଛି ଦିନ ଅନ୍ତରରେ ପୁଣି ୧୭ ଜଣ ଯବାନ ସହିଦ ହୋଇଥିଲେ ଏ ଅଞ୍ଚଳରେ। ଏହି ଗୋଟିଏ ଦୁଇଟି ଘଟଣା ନୁହେଁ, ଅନେକ ସାଧାରଣ ଲୋକଙ୍କୁ ବି ଜୀବନ ଦେବାକୁ ପଡ଼ିଛି। ପୁଲିସ ସହିତ ସଂପର୍କ ରଖିଥିବା ଅଭିଯୋଗରେ କେତେକଙ୍କୁ ନକ୍ସଲ ତଡ଼ିପାର କରିଛନ୍ତି। ଆଉ କାହାକୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ଅନେକ ସରକାରୀ କର୍ମଚାରୀ ଓ ପୁଲିସ ବି ଏମାନଙ୍କ ନିର୍ଯାତନାର ଶିକାର ହୋଇଛନ୍ତି। ୨୦୧୨ରେ ଜାନବାଇରେ ଏକ ବିଏସଏଫ କ୍ୟାମ୍ପ ସ୍ଥାପନ ଲାଗି ପରିକକଳ୍ପନା କରାଯାଇଥିଲା। ହେଲେ କ୍ୟାମ୍ପ ଅନୁଧ୍ୟାନ କରି ଫେରବା ସମୟରେ ବିଏସ୍‌ଏଫ୍‌ କମାଣ୍ଡରଙ୍କ ସମେତ ୪ଜଣ ଅଧିକାରୀ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ୨୦୧୫ ଅଗଷ୍ଟ ମାସରେ ପାଲଙ୍ଗରାଏରେ ମାଓବାଦୀଙ୍କ ଆକ୍ରମଣରେ ୩ ବିଏସଏଫ ଯବାନ ସହିଦ ହୋଇଥିଲେ। ଏମାନଙ୍କ ବଳିଦାନର ଫଳ ସ୍ୱରୂପ ଆଜି ଗୁରୁପ୍ରିୟା ସେତୁ ନିର୍ମାଣ ହୋଇପାରିଛି ବୋଲି ବହୁ ବରିଷ୍ଠ ପୁଲିସ ଅଧିକାରୀ ମତ ଦିଅନ୍ତି।

ବିଚ୍ଛିନ୍ନାଞ୍ଚଳର ଜନ୍ମ

ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତ ଡୁଡୁମା ଜଳପ୍ରପାତ ନିକଟରେ ରହିଛି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ। ଉଭୟ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ତତ୍କାଳୀନ ଜୟପୁର ମହାରାଜା ୧୯୨୮ ମସିହାରେ ଏହି ଡ୍ୟାମ୍‌ ପାଇଁ ସ୍ୱପ୍ନ ଦେଖିଥିଲେ। ୧୯୩୦ ବେଳକୁ ଏହାର ନକ୍ସା ପ୍ରସ୍ତୁତ ହୋଇଥିଲା। ହେଲେ ୧୯୪୦ ଦଶକରେ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ଓ ଆରମ୍ଭ ହେଲା ବିସ୍ଥାପନ ପ୍ରକ୍ରିୟା। ଏହି ପ୍ରକଳ୍ପ କାରଣରୁ ମାଲକାନଗିରିର କିଛି ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିଲା।

ଗୋଦାବରୀ ନଦୀର ଶାଖା ସିଲେରୁ ଉପରେ ୧୯୬୪ ମସିହାରେ ଆଉ ଏକ ଜଳବିଦ୍ୟୁତ ପ୍ରକଳ୍ପର ପରିକଳ୍ପନା ହୋଇଥିଲା। ୧୯୮୮ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଲୋକାର୍ପିତ ଏହି ବାଲିମେଳା ପ୍ରକଳ୍ପ କାରଣରୁ ୬୯ଟି ଗାଁ ବୁଡ଼ିଯାଇଛି ଓ ୧୫୧ଟି ଗାଁ ମାଲକାନଗିରି ଜିଲ୍ଲାରୁ ବିଚ୍ଛିନ୍ନ ହୋଇଯାଇଛି। ଯାହା ଆଜି ବିଚ୍ଛିନ୍ନାଞ୍ଚଳ ଭାବେ ଜଣାଶୁଣା। ସ୍ଥିତି ଏତେ ଗମ୍ଭୀର ଯେ କୁହାଯାଏ, ବାଲିମେଳା ଫେରିଘାଟରୁ ଯନ୍ତ୍ରୀ ଯିବାକୁ ହେଲେ ପାଖାପାଖି ୬୨ କିଲୋମିଟର ପର୍ଯ୍ୟନ୍ତ ଡଙ୍ଗା ବା ବୋଟ୍‌ରେ ଯିବାକୁ ପଡେ। ୭ରୁ ୮ ଘଣ୍ଟା ସମୟ ଲାଗେ।

ବିକାଶ ଅପହଞ୍ଚ, ଶିକ୍ଷା ନାହିଁ

ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବ ବିଚ୍ଛିନ୍ନାଞ୍ଚଳର ଦୁଃଖକୁ ବଢ଼ାଇ ଦେଇଛି। କ୍ରମାଗତ ଭାବେ ସରକାରମାନେ ଏ ଅଞ୍ଚଳ ପ୍ରତି ଯେତିକି ଦୃଷ୍ଟି ଦେବା କଥା ଦେଇନାହାନ୍ତି। ମାଲକାନଗିରିର କୁଡୁମୁଲୁୁଗୁମା ଅନ୍ତର୍ଗତ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଠାରୁ ବିକାଶ ଦୂରେଇ ଯାଇଛି। ୨୦୧୩ ମସିହା ବେଳକୁ ରାଜ୍ୟ ସରକାର ଚିତ୍ରୋକୋଣ୍ଡାକୁ ସ୍ୱତନ୍ତ୍ର ବ୍ଲକ ମାନ୍ୟତା ଦେଲେ। ୧୫ଟି ପଞ୍ଚାୟତକୁ ନେଇ ଗଠିତ ଏହି ବ୍ଲକର ସାତଟି ପଞ୍ଚାୟତ ରହିଲା ବିଚ୍ଛିନ୍ନାଞ୍ଚଳରେ। ଏବେ ଏହାକୁ ୯କୁ ବୃଦ୍ଧି କରାଯାଇଛି। ଯଦିଓ ୨୦୧୧ ଜନଗଣନା ଅନୁସାରେ, ଏହି ବ୍ଲକରେ ହିନ୍ଦୁ, ମୁସଲିମ୍‌, ଶିଖ୍‌, ଖ୍ରୀଷ୍ଟିୟାନ ଓ ଜୈନ ଧର୍ମାବଲମ୍ବୀ ବାସ କରୁଥିବା କୁହାଯାଉଛି, କିନ୍ତୁ ପରିସଂଖ୍ୟାନ ସୂଚାଉଛି ଯେ ୮୦% ଲୋକ ଗାଁରେ ବାସକରନ୍ତି। ବିଚ୍ଛିନ୍ନାଞ୍ଚଳର ସଂଖ୍ୟାଧିକ ଅନୁସୂଚିତ ଜନଜାତି ବର୍ଗର। ପ୍ରଭାବହୀନ ପ୍ରଶାସନ ଓ ନକ୍ସଲଙ୍କର ଦବ୍‌ଦବାର ପ୍ରଭାବ ସାଂଘାତିକ। ସାକ୍ଷରତା ହାର ୫୦% ଡେଇଁ ନାହିଁ। ଗ୍ରାମାଞ୍ଚଳରେ ସାକ୍ଷରତା ହାର ୩୪.୪% ରହିଛି, ଯେଉଁଥିରେ ମହିଳା ସାକ୍ଷରତା ହାର ପାଖାପାଖି ୨୦%। କେବଳ ଶିକ୍ଷା କ୍ଷେତ୍ରରେ ଏ ଅଞ୍ଚଳ ପଛୁଆ ତା ନୁହେଁ, ସ୍ୱାସ୍ଥ୍ୟ ସେବା ଏଠି ବିପନ୍ନ। କେହି ଅସୁସ୍ଥ ହେଲେ କେବଳ ଭଗବାନ ହିଁ ଭରସା। ଦାରିଦ୍ର୍ୟର ସ୍ଥିତି ଅତି ଉତ୍କଟ। ବିଚ୍ଛିନ୍ନାଞ୍ଚଳର ଅଧାରୁ ଅଧିକଙ୍କ ହାତରେ କାମ ନାହିଁ। ଯେହେତୁ ପାହାଡ଼ ଓ ଜଳରାଶି ଘେରା ବନ୍ଦୀ ଜୀବନ ନିର୍ବାହ କରୁଛନ୍ତି, ଏଣୁ ସ୍ୱାଭାବିକ ଭାବେ କୃଷି ଉପରେ ସେମାନେ କମ୍‌ ନିର୍ଭରଶୀଳ। ମାତ୍ର ୮ଶହ ପାଖାପାଖି କୃଷି ଶ୍ରମିକ ଅଛନ୍ତି। ୧୦ ହଜାରରୁ ଅଧିକ ଲୋକଙ୍କ ହାତରେ କାମ ନାହିଁ, ଯାହାର ଫାଇଦା ନେଇଛନ୍ତି ନକ୍ସଲ।

ନକ୍ସଲଙ୍କ ଆର୍‌ ଆଣ୍ଡ ଡି ୟୁନିଟ୍‌ ବି ବିଚ୍ଛିନ୍ନାଞ୍ଚଳରେ

ସବୁଠାରୁ ବଡ଼ କଥା ହେଲା, କିଛି ବର୍ଷ ତଳେ ଛତିଶଗଡ଼ର ବସ୍ତର ଅଞ୍ଚଳରେ ଥିବା ଅବୁଝମଦ୍‌ ଜଙ୍ଗଲରୁ ନକ୍ସଲ ମାନେ ସେମାନଙ୍କ ‘ରିସର୍ଚ ଏଣ୍ଡ ଡେଭଲପ୍‌ମେଣ୍ଟ ୟୁନିଟ୍‌’ ଓ ବିସ୍ଫୋରକ ପ୍ରସ୍ତୁତ କାରଖାନାକୁ ମାଲ୍‌କାନଗିରିର ଏହି ଅଞ୍ଚଳକୁ ସ୍ଥାନାନ୍ତର କରିଥିବା ଖବର ମିଳିଥିଲା। ନୂଆ କ୍ୟାଡରଙ୍କୁ ସାମିଲ କରିବା , ନକ୍ସଲ ପ୍ରତିରକ୍ଷା ଶୈଳୀକୁ ରୀତିମତ ଅନୁଧ୍ୟାନ କରିବା ଏବଂ ସେମାନଙ୍କ ଗୁଇନ୍ଦା ଶାଖାକୁ ଗତିଶୀଳ କରାଯିବା କାର୍ଯ୍ୟ ମଧ୍ୟ ଏହି ଆର୍‌-ଏଣ୍ଡ-ଡି କେନ୍ଦ୍ରରୁ ତଦାରଖ ହୋଇଥାଏ। କେବଳ ସେତିକି ନୁହେଁ, କିଛି ବର୍ଷ ପୂର୍ବେ ନକ୍ସଲ ସେଠାରେ ‘ବାଲ୍‌ ସଂଗଠନ’ର ର‍୍ୟାଲି ଆୟୋଜନ କରିଥିଲେ। ଏଥିରେ ୫୦୦ରୁ ୭୦୦ ପର୍ଯ୍ୟନ୍ତ ୧୮ ବର୍ଷରୁ କମ୍‌ କିଶୋର କିଶୋରୀ ଯୋଗ ଦେଇଥିଲେ । ଏହା ଯେ କୌଣସି ରାଜ୍ୟ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ନିଶ୍ଚୟ।

ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି ନକ୍ସଲ

ସମୟ ସ୍ରୋତରେ ଅବିଭକ୍ତ କୋରାପୁଟ ଜିଲ୍ଲା ଅନ୍ତର୍ଗତ ମାଲକାନଗିରିକୁ ୧୯୯୨ ମସିହାରେ ବିଜୁ ପଟ୍ଟନାୟକ ସରକାର ସମୟରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ମିଳିଲା। ରାଜ୍ୟ ସରକାରଙ୍କ ସହିତ ଜିଲ୍ଲା ପ୍ରଶାସନର ଯୋଗାଯୋଗ ଓ ସଂପର୍କ ବଢ଼ିଲା। କିନ୍ତୁ ମାଲକାନଗିରି ଜିଲ୍ଲାରୁ ବିଚ୍ଛିନ୍ନ ହୋଇ ରହିଥିବା ଅଞ୍ଚଳ ସହିତ ସଂପର୍କ ବଢ଼ିପାରିଲାନାହିଁ, ବରଂ ଛିଡ଼ିଲା। ଧୀରେଧୀରେ ବିଚ୍ଛିନ୍ନାଞ୍ଚଳ ସରକାରଙ୍କ ହାତରୁ ଖସିଗଲା। ସରକାରୀ ଅଧିକାରୀ ପାଦ ପକାଇଲେ ନାହିଁ। ଫାଇଦା ନେଲେ ନକ୍ସଲ। ୧୯୯୦ ଦଶକ ଶେଷରେ ସେମାନେ ଏଠାରେ ପାଦ ଥାପିଲେ। ସରକାରଙ୍କ ଅନୁପସ୍ଥିତିର ସୁଯୋଗ ନେଇ କରାୟତ କରିନେଲେ ସମଗ୍ର ଅଞ୍ଚଳ। ଏ ଅଞ୍ଚଳର ଅଧିକାଂଶ ସ୍ଥାନକୁ ଆଜି ଦିନରେ ସରକାରୀ ଅଧିକାରୀ ଯାଉନାହାନ୍ତି। ସରକାରଙ୍କ ମାଳମାଳ ଯୋଜନାର ନାଁ ଗନ୍ଧ ଏଠାରେ ନାହିଁ। ଧମକ ଚମକ ଦେଇ ନିର୍ବାଚନ ବନ୍ଦ କରାଇ ଦେଇଛନ୍ତି। ଲୋକପ୍ରତିନିଧି ତାଙ୍କ ଇଚ୍ଛାରେ ଉଠ୍‌ବସ୍‌ ନ ହେଲେ, ପ୍ରଜା କୋର୍ଟରେ ଦଣ୍ଡ ମିଳୁଛି। ଏହି ଅଞ୍ଚଳକୁ ନକ୍ସଲ ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରିଛନ୍ତି। କହିବାକୁ ଗଲେ, ଏଠାରେ ସେମାନଙ୍କ ଶାସନ ଚାଲିଛି। ସମସ୍ତଙ୍କୁ ମାନିବାକୁ ପଡୁଛି ଦୁର୍ଦ୍ଦାନ୍ତ ନକ୍ସଲ ନେଲା ରାମକ୍ରିଷ୍ଣାର ହୁକୁମ୍‌।

କେନ୍ଦ୍ରର ଅବଦାନ ୨୭ କୋଟି

ନକ୍ସଲ ମୁକାବିଲା କ୍ଷେତ୍ରରେ ଏହି ସେତୁର ଭୂମିକା ପ୍ରଭାବୀ ହେବ ବୋଲି ସୂଚାଇ ରାଜ୍ୟ ସରକାର ପ୍ରକଳ୍ପ ବାବଦ ଖର୍ଚ୍ଚ କେନ୍ଦ୍ର କରୁ ବୋଲି ଚାହିଁଥିଲେ। ବ୍ୟାପକ ବାଦ ବିବାଦ ପରେ କେନ୍ଦ୍ର ସରକାର ଏଥିପାଇଁ ୨୭ କୋଟି ଟଙ୍କା ଦେଇଥିଲେ। ହେଲେ ସେହିଠାରେ ହିଁ ଅନୁଦାନ ଅଟକି ଗଲା। ବାରମ୍ବାର ଆପତ୍ତି ପରେ ବି କେନ୍ଦ୍ର ସରକାର ଆବଶ୍ୟକ ଦୃଷ୍ଟି ନ ଦେବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଣ୍ଠିରେ ଏହି ପ୍ରକଳ୍ପ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜାନକୀଙ୍କ ସ୍ୱପ୍ନ, ନବୀନ ସାକାର କଲେ

୧୯୮୦ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ବିଚ୍ଛିନ୍ନାଞ୍ଚଳକୁ ସଡ଼କ ପଥରେ ଯୋଡ଼ିବା ପାଇଁ ଏକ ସେତୁ ନିର୍ମାଣର ପରିକଳ୍ପନା କରାଯାଇଥିଲା। ଜାନବାଇ ଠାରେ ଏଥିପାଇଁ ୧୯୮୨ ମସିହା ବେଳକୁ ଶୁଭ ଦେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ଗୁରୁପ୍ରିୟା ଉପରେ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ଝୁଲା ପୋଲ ନିର୍ମାଣ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ହେଲେ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିନଥିଲା। ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ପୁଣି ଥରେ ଏହି ପ୍ରକଳ୍ପ ନେଇ ସ୍ୱପ୍ନ ଦେଖାଇଥିଲେ ରାଜ୍ୟବାସୀଙ୍କୁ। ୨୦୦୪ରୁ ରାଜ୍ୟ ସରକାର ଏହି ସେତୁ ନିର୍ମାଣକୁ ଗୁରୁତ୍ୱ ଦେଇ ଆସିଛନ୍ତି। କେତେବେଳେ ରାଜ୍ୟ ସରକାରଙ୍କ ସଂସ୍ଥା ଓବିସିସି ତ ଆଉ କେତେବେଳେ ଓସିସିକୁ କାର୍ଯ୍ୟ ଦିଆଯାଇଥିଲା। କିନ୍ତୁ ସେତୁ ନିର୍ମାଣ ହୋଇପାରିନଥିଲା। ଅଗଭୀର ଏହି ନଦୀର ପାଖାପାଖି ୨୪୦ ମିଟର ଅଞ୍ଚଳରେ ସବୁ ବେଳେ ୭୦ରୁ ୯୦ଫୁଟ ପର୍ଯ୍ୟନ୍ତ ପାଣି ରହୁଥିଲା। ୨୦୦୬ ମସିହାରେ ରାଜ୍ୟ ସରକାର ମୁମ୍ବାଇର ମେସର୍ସ ଗାମନ୍‌ ଇଣ୍ଡିଆକୁ ଏହି କାମ ଦେଇଥିଲେ। ୪୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ସଂସ୍ଥା କାମ ଆରମ୍ଭ କଲା। ମାତ୍ର ନକ୍ସଲ ଏହି ସେତୁ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ। ସଂସ୍ଥାର ସମସ୍ତ ସରଞ୍ଜାମକୁ ପୋଡ଼ିଦେଲେ। ବାରମ୍ବାର ସେମାନଙ୍କ କ୍ୟାମ୍ପ ଉପରେ ଆକ୍ରମଣ ହେଲା। ସ୍ଥିତି ଗମ୍ଭୀର ଦେଖି ସଂସ୍ଥା ଏହି ପ୍ରକଳ୍ପରୁ ଓହରି ଯାଇଥିଲା। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ସେନାର ସହାୟତା ନେବା ପାଇଁ ଚିନ୍ତା କରିଥିଲେ, କାରଣ, ପାଖାପାଖି ୧୧ଥର ପ୍ରକଳ୍ପ ପାଇଁ ନିଲାମ ଡକାଗଲା, କିନ୍ତୁ କିଛି ନା କିଛି ବାଧା ସୃଷ୍ଟି ହେଲା। ଶେଷରେ ୨୦୧୪ ମସିହାରେ କୋଲକାତାର ରୟାଲ ଇନ୍‌ଫ୍ରା କନଷ୍ଟ୍ରକସନ୍‌ ଲିମିଟେଡ୍‌ ଏହି କାର୍ଯ୍ୟ ହାତକୁ ନେଲେ। ୧୭୨ କୋଟି ୫୮ଲକ୍ଷ ଟଙ୍କାର ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭରୁ ରାଜ୍ୟ ସରକାର ବିଏସ୍‌ଏଫ୍‌ର ସହାୟତା ନେଇଥିଲେ। ବିଏସ୍‌ଏଫ୍‌ ସେତୁର ଉଭୟ ପାର୍ଶ୍ୱରେ ଜଗି ରହିଲେ ଓ ଶେଷରେ ସଂସ୍ଥା ୩ବର୍ଷ ୩ମାସରେ ପ୍ରକଳ୍ପ ନିର୍ମାଣ ଶେଷ ହୋଇଛି।

ଭିନିଲକ୍ରିଷ୍ଣାଙ୍କୁ ଅପହରଣରୁ ନକ୍ସଲଙ୍କ ଫାଇଦା

ଏକଦା ବିଚ୍ଛିନ୍ନାଞ୍ଚଳରେ ନକ୍ସଲ ମାଲକାନଗିରି ଜିଲ୍ଲାପାଳ ଆର୍‌. ଭିନିଲ୍‌ କ୍ରିଷ୍ଣା ଏବଂ କନିଷ୍ଠ ଯନ୍ତ୍ରୀ ପବିତ୍ର ମାଝୀଙ୍କୁ ଅପହରଣ କରିନେଇଥିଲେ। ନକ୍ସଲ ଏମାନଙ୍କୁ ପଣବନ୍ଦୀ ରଖି ମୁକ୍ତି ପାଇଁ ଦୁଇଟି ସର୍ତ ରଖିଥିଲେ। ସେଗୁଡ଼ିକ ହେଲା, ଗିରଫ ହୋଇ ଜେଲ୍‌ରେ ଥିବା ସମସ୍ତ ଆଦିବାସୀ ମାଓବାଦୀଙ୍କୁ ତୁରନ୍ତ ମୁକ୍ତି ଦିଅ ଓ ଓଡ଼ିଶା କିମ୍ବା ଆନ୍ଧ୍ର ପୁଲିସ ଦ୍ଵାରା କୌଣସି ତଲାସି ଅଭିଯାନ ହେବ ନାହିଁ। ଏକ ଜନସମ୍ପର୍କ ଶିବିରରେ ଯୋଗ ଦେବାକୁ ବଡ଼ପଡ଼ା ଗାଁକୁ ଯାଇଥିଲେ ତତ୍କାଳୀନ ଜିଲ୍ଲାପାଳ ଆର୍‌ ଭିନିଲ୍‌ କ୍ରିଷ୍ଣା। ସେଠାରୁ ସେ ମୋଟର ସାଇକେଲ ଯୋଗେ କିଛି ବିକାଶମୂଳକ କାମ ତଦାରଖ କରିିବା ପାଇଁ ଯିବା ବେଳେ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଶେଷରେ ଗାଣ୍ଟି ପ୍ରସାଦ ଓ ପଦ୍ମାଙ୍କ ସମେତ ୫ ଜଣ କ୍ୟାଡର୍‌ଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରି ଖଲାସ୍‌ କରିବ ଲାଗି ସମ୍ମତି ଦିଆଯାଇଥିଲା। ଶ୍ରୀରାମୁଲୁ ଶ୍ରୀନିବାସ ଏବଂ କେନ୍ଦ୍ରୀୟ କମିଟି ସଦସ୍ୟ ଆଶୁତୋଷଙ୍କ ବିରୋଧରେ ଥିବା ମାମଲାକୁ ମଧ୍ୟ ସମୀକ୍ଷା କରିବେ ବୋଲି ସରକାର କହିଥିଲେ। କେବଳ ସେତିକି ନୁହେଁ, ନାରାୟଣ ପାଟଣା ଆଦିବାସୀଙ୍କ ବିରୋଧରେ ଥିବା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିବେ ବୋଲି କୁହାଯାଇଥିଲା। ଏପରିିକି ନକ୍ସଲଙ୍କ ବିରୋଧରେ ସରକାର ବଳ ପ୍ରୟୋଗ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଆନ୍ଧ୍ର ପୁଲିସ ବେଶି ସକ୍ରିୟ ଥିଲା

ଓଡ଼ିଶା ସୀମାରେ ଥିବା ଜାନବାଇ, ପେପର୍‌ମେଟ୍‌ଲା ଅଞ୍ଚଳ ଓଡ଼ିଶା ପୁଲିସ ଅକ୍ତିଆରରେ ଏକ ପ୍ରକାର ନାହିଁ କହିଲେ ଚଳେ। ଚିତ୍ରକୋଣ୍ଡା ଥାନାଠାରୁ ପ୍ରାୟ ୧୭ କିଲୋମିଟର ଦୂରରେ ରହିଛି ଜାନବାଇ। ଚିତ୍ରକୋଣ୍ଡାର ଦକ୍ଷିଣ ପଟୁ ସଡ଼କ ପଥରେ ଗଲେ ଜଙ୍ଗଲ ଭିତରେ ପ୍ରାୟ ୧୭ କିଲୋମିଟର, କିନ୍ତୁ ବାଲିମେଳା ଡ୍ୟାମ୍‌ରୁ ଜଳପଥରେ ଗଲେ ପ୍ରାୟ ୫ କିଲୋମିଟର ପରେ ଜାନାବାଇ ପହଞ୍ଚି ହେବ। କିନ୍ତୁ ଓଡ଼ିଶା ପୁଲିସ ଏ ଭିତରକୁ ଯିବାକୁ ବିଶେଷ ଆଗ୍ରହ ଦେଖାଇନାହିଁ। ବରଂ ଆନ୍ଧ୍ର ପୁଲିସକୁ ଛାଡ଼ି ଦେଇଥିଲାଏହି ଅଞ୍ଚଳ। ଆନ୍ଧ୍ର ପୁଲିସ ଦକ୍ଷିଣ ପଟୁ ନର୍‌ସିପାଟନମ୍‌ ଜଙ୍ଗଲ ଦେଇ ଏହି ଅଞ୍ଚଳକୁ ପ୍ରବେଶ କରନ୍ତି ଏବଂ ନିୟମିତ ଭାବେ ତଲାସି ଅଭିଯାନ କରନ୍ତି। ଫେରିବା ବେଳେ ସେମାନେ ଜଳପଥ ଦେଇ ଡ୍ୟାମ୍‌ ଏବଂ ଡ୍ୟାମ୍‌ରୁ ଚିତ୍ରକୋଣ୍ଡା ଦେଇ ସଡ଼କ ପଥରେ ଆନ୍ଧ୍ରକୁ ଫେରନ୍ତି। ଯଦିଓ ଏହି ଅଭିଯାନକୁ ଓଡ଼ିଶା ଓ ଆନ୍ଧ୍ର ପୁଲିସର ଜଏଣ୍ଟ ଅପରେସନ୍‌ ଆଖ୍ୟା ଦିଆଯାଏ, ତଲାସି ଦଳରେ କେବେ ବି ଓଡ଼ିଶା ଯବାନ ବାହିନୀ ଯୋଗ ଦିଅନ୍ତି ନାହିଁ ବୋଲି କୁହାଯାଏ। କେବଳ ଆନ୍ଧ୍ର ପୁଲିସକୁ ବାଟ ଚିହ୍ନାଇବା ପାଇଁ କିଛି ପୁଲିସ କର୍ମଚାରୀ ସହଯୋଗ କରିଥାନ୍ତି। ୨୦୧୬ ଅକ୍ଟୋବର ୨୪ ତାରିଖରେ ରାମଗୁଡ଼ା ଜଙ୍ଗଲରେ ଆନ୍ଧ୍ର ଓ ଓ଼ଡ଼ିଶା ପୁଲିସ ମିଳିତ କମ୍ବିଂ କରି ୩୦ ଜଣ ନକ୍ସଲଙ୍କୁ ଏନକାଉଣ୍ଟର କରିଥିଲେ।

ବିବାଦରେ ଥିଲା ସେତୁ, ମିଳିଲା ସାର୍ଟିଫିକେଟ୍‌

ଗୁରୁପ୍ରିୟା ସେତୁକୁ ନେଇ ସାଧାରଣରେ ଯେତିକି ଉତ୍କଣ୍ଠା ବଢୁଥିଲା, ପ୍ରକଳ୍ପକୁ ନେଇ ସେତିକି ବିବାଦ ତେଜିଥିଲା। ୯୧୦ ମିଟର ଲମ୍ବ ସେତୁ ପାଇଁ ଗଭୀର ପାଣିରେ ୧୦୨ଟି ପାଇଲ ଉପରେ ୨୩ଟି ପିଲାର ନିର୍ମାଣ ପାଇଁ ପ୍ରଥମେ ସ୍ଥିର ହୋଇଥିଲା। ୬୬ଟି କଂକ୍ରିଟ ଗାଡାର ଓ ୨୨ଟି କଂକ୍ରିଟ ସ୍ଲାବ ନିର୍ମାଣ ଲାଗି ଡିଜାଇନ ପ୍ରସ୍ତୁତ ହୋଇଥିଲା। ସେତୁ ନିର୍ମାଣ କାମ ୩ ବର୍ଷ ମଧ୍ୟରେ ଶେଷ କରିବା ଲାଗି ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିଲା କଂପାନି। ହେଲେ ସେତୁ ନିର୍ମାଣ ସହିତ ସମସ୍ୟା ବି ବଢିଥିଲା। ୨୦୧୬ ଏପ୍ରିଲ ୩ରେ ୩ଟି ପାଇଲ ଢଳି ପଡ଼ିଥିଲା। ଡିଜାଇନରେ କର୍ତ୍ତୃପକ୍ଷ ପରିବର୍ତ୍ତନ କରିଥିଲେ। ପାଇଲ ସଂଖ୍ୟା ବଢାଇ ୧୩୮ କରାଗଲା। ୨୦୧୭ ଜୁଲାଇ ୨୫ରେ ପବନ ମାଡ଼ରେ ୧୦ ଓ ୧୧ ନମ୍ବର ସ୍ପାନ ମଧ୍ୟରେ ଥିବା ୩ଟି କଂକ୍ରିଟ ଗାଡାର ଢଳି ପଡିଥିଲା। ପୁଣି ଡିଜାଇନରେ ପରିବର୍ତନ କରାଯାଇ ୬୬ଟି କଂକ୍ରିଟ ଗାଡାର ମଧ୍ୟରେ ୧୮ଟି ଷ୍ଟିଲ ଗାଡାର ସ୍ଥାପନ କରାଗଲା। ଫଳରେ ଏହାର ସ୍ଥାୟୀତ୍ୱ ନେଇ ବିଛିନ୍ନାଞ୍ଚଳବାସୀ ପ୍ରଶ୍ନ କରିଥିଲେ। ଏତେ ଟଙ୍କା ଖର୍ଚ୍ଚ କରି ଏହି କାର୍ଯ୍ୟ କରାଯିବା ପରେ ମଧ୍ୟ ପାଇଲ ବଙ୍କା ହେବା କେଉଁଠି ନା କେଉଁଠି କାମରେ ଢିଲା କରାଯାଉଥିବା ଆଲୋଚନା ହୋଇଥିଲା। ସ୍ଥିତି ଏମିତି ଗମ୍ଭୀର ହେଲା ଯେ ପୂର୍ତ ସଚିବ ନଳିନୀକାନ୍ତ ପ୍ରଧାନ ପ୍ରକଳ୍ପର ଉଦ୍‌ଘାଟନ ପୂର୍ବରୁ ତୃତୀୟ ପକ୍ଷ ଦ୍ୱାରା ଅଡିଟ୍‌ କରିବାକୁ ଚାହିଁଥିଲେ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସିଆରଆରଆଇ ତରଫରୁ ଏକ ଟିମ୍‌ ଆସି ସେତୁ କାର୍ଯ୍ୟ ଅନୁଧ୍ୟାନ କରିଥିଲା। ଗତ ୨୯ ତାରିଖରେ ଏହି ସଂସ୍ଥା ସବୁଜ ସଙ୍କେତ ଦେବା ପରେ ପ୍ରକଳ୍ପ ଉଦ୍‌ଘାଟନ ଲାଗି ତାରିଖ ଧାର୍ଯ୍ୟ ହୋଇଥିଲା।

ମନିଷ ଅଗ୍ରୱାଲ, (ଜିଲ୍ଲାପାଳ, ମାଲକାନଗିରି)
ଗୁରୁପ୍ରିୟା ସେତୁ ଉଦଘାଟନ ହେବା ପରେ ବିଚ୍ଛିନ୍ନାଞ୍ଚଳରେ ରହିଥିବା ସମସ୍ତ ସମସ୍ୟା ଦୂର ହେବ। ବିଶେଷକରି ପାନୀୟ ଜଳ ଏବଂ ରାସ୍ତାର ସମସ୍ୟାକୁ ନେଇ ଲୋକେ ହଇରାଣ ହେଉଥିଲେ।ଏବେ ସ୍ଥଳପଥ ଦେଇ ସବୁ ଯନ୍ତ୍ରପାତି ବିଛିନ୍ନାଞ୍ଚଳରେ ପହଞ୍ଚିବ। ଜଳପଥ ଦ୍ୱାରା ଏସବୁ ସମ୍ଭବ ହେଉନଥିଲା। ସ୍ୱାସ୍ଥ୍ୟ ସେବା ଏବଂ ଶିକ୍ଷା ବିଛିନ୍ନାଞ୍ଚଳରେ ଚାଲୁ ରହିଥିବା ବେଳେ ଲୋକଙ୍କ ପାଖରେ ଏବେ ପ୍ରଶାସନ ପହଞ୍ଚିବ। ଆଗାମୀ ଦିନରେ ନିର୍ବାଚନ ମଧ୍ୟ କରାଯିବ। ଭିତ୍ତିଭୂମି ନଥିବା ଯୋଗୁଁ ଏସବୁ ସମ୍ଭବ ହୋଇପାରୁନଥିଲା।

ଜଗମୋହନ ମୀନା (ଏସ୍‌ପି, ମାଲକାନଗିରି)
ଗୁରୁପ୍ରିୟା ସେତୁ ଉଦଘାଟନ ପୂର୍ବରୁ ହିଁ ଆମେ ସେତୁ ଠାରୁ ୭ କିଲୋମିଟର ବିଚ୍ଛିନ୍ନାଞ୍ଚଳରେ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଏତେ ଗୋପନ ଭାବେ ଏହା କରାଯାଇଥିଲା ଯେ ନକ୍ସଲ ଟେର ମଧ୍ୟ ପାଇପାରିଲେ ନାହିଁ। ଉଦ୍‌ଘାଟନ ପରେ ବିଛିନ୍ନାଞ୍ଚଳରେ ସମସ୍ତ ବିକାଶ କାର୍ଯ୍ୟ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡ଼ି କରାଯିବ। ପେପର ମେଟଲା ଥାନା ବର୍ତ୍ତମାନ ବଡପଡେରେ ଚାଲୁଥିବା ବେଳେ ଭବିଷ୍ୟତରେ ଏହାକୁ ଯନ୍ତାପାଇ ଠାରେ କରାଯିବାର କାର୍ଯ୍ୟକ୍ରମ ରହିଛି।ଏବେ ବିକାଶକୁ କେହି ରୋକି ପାରିବେ ନାହିଁ।

ଭୀମା ମାଢୀ-(ବିଛିନ୍ନାଞ୍ଚଳବାସୀ)
ଦୀର୍ଘ ଦିନ ଧରି ଆମେ ଯାହା ସ୍ୱପ୍ନ ଦେଖୁଥିଲୁ ତାହା ପୂରଣ ହେବାକୁ ଯାଉଛି। ଆଗକୁ ଆମକୁ ଡଂଗାରେ ନଦୀ ପାର ହେବାକୁ ପଡ଼ିବ ନାହିଁ।ଆମ ଗ୍ରାମକୁ ମଧ୍ୟ ରାସ୍ତା ହେବ,ବ୍ରିଜ ହେବ ଓ ଗାଡ଼ି ଆସିବ। ତେଣୁ ଆମେ ସରକାର ଏବଂ ପ୍ରଶାସନକୁ ଧନ୍ୟବାଦ ଜଣାଉଛୁ।

ମଦନ ଖରା-(ବିଛିନ୍ନାଞ୍ଚଳବାସୀ)
ବିଛିନ୍ନାଞ୍ଚଳକୁ ଯୋଗାଯୋଗ ହେବା ପରେ ସମସ୍ତ ବିକାଶ ମୂଳକ କାମ ହେବା ନେଇ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଆଉ କିଛି ଦିନ ପରେ ଆମ ଅଂଚଳକୁ ଗାଡ଼ି ଗଡ଼ିବ।ଏଥିସହ ଆମକୁ ସୁରକ୍ଷାର ବ୍ୟବସ୍ଥା ମଧ୍ୟ କରାଯିବା ପାଇଁ ପ୍ରତିଶ୍ରୁତି ଦିଆଯାଇଛି।

ଆଇତୁ ବାଞ୍ଜାମି(ବିଛିନ୍ନାଞ୍ଚଳବାସୀ)
ଜିଲ୍ଲାର ସବୁ ସ୍ଥାନରେ ନିର୍ବାଚନ ହେଲା।କିନ୍ତୁ ଆମ ଚିତ୍ରକୋଣ୍ଡା ବ୍ଲକରେ ନିର୍ବାଚନ ହୋଇପାରିଲା ନାହିଁ। ବିଛିନ୍ନାଞ୍ଚଳର ସାତୋଟି ପଞ୍ଚାୟତରେ କୌଣସି ସରପଞ୍ଚ ନଥିବାରୁ ଉନ୍ନୟନ କାମ ଠପ୍‌ ହୋଇ ପଡିରହିଛି।

ସମ୍ବନ୍ଧିତ ଖବର