୪୦୦ କିଲୋ କୋବି ବିକି ୪୪୨ ଟଙ୍କା ମିଳିବାରୁ ପୂରା ଫସଲକୁ ନଷ୍ଟ କଲେ କୃଷକ

ମୁମ୍ବାଇ : ଏସି ରୁମ୍‌ରେ ବସି କେବେ ଆପଣମାନେ କୃଷକମାନଙ୍କର ଭାଗ୍ୟ ବିଷୟରେ ଭାବିଛନ୍ତି କି? ବର୍ଷ ସାରା ପରିଶ୍ରମ କରିବା ପରେ ସେମାନଙ୍କର ଆୟ କେତେ ଏବଂ ସେମାନେ ନିଜ ପରିବାର କିପରି ଚଳାଉଛନ୍ତି ତାହା ବୋଧ ହୁଏ ଆପଣମାନେ କେବେ ଭାବି ନ ଥିବେ। ଖରା, ବର୍ଷା ଏବଂ ଶୀତ ସହି ଜଣେ କୃଷକ ପୂରା ଦେଶକୁ ଖାଦ୍ୟ ଯୋଗାଉଥିବା ବେଳେ ତାହାର ମୂଲ୍ୟ ତା’କୁ ମିଳୁଛି କି ନାହିଁ ସେ ବିଷୟରେ କେହି ବି ଭାବୁ ନାହାନ୍ତି । ବର୍ଷ ସାରା ଫସଲ ଚାଷ କରି ସେଥିରୁ କିଛି ଟଙ୍କା ଆୟ କରିବା ପରେ ନିଜ ଘର ପାଇଁ କିଛି କରିବାର ସ୍ୱପ୍ନ ସେମାନଙ୍କର ସ୍ୱପ୍ନରେ ହିଁ ରହି ଯାଉଛି ।

୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ଗଲା ଭଳି ବର୍ଷ ତମାମ କଷ୍ଟ କଲା ପରେ ମଧ୍ୟ କୃଷକମାନଙ୍କୁ ସେମାନଙ୍କ କଷ୍ଟର ଉଚିତ୍‌ ମୁଲ୍ୟ ମିଳୁ ନାହିଁ । ସେଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ଜଣେ କୃଷକ ୪୦୦କେଜି କୋବି ବିକ୍ରି କରିଥିବା ବେଳେ ତାଙ୍କୁ ଏହାର ମୂଲ୍ୟ ମାତ୍ର ୪୪୨ଟଙ୍କା ମିଳିଛି । ଲାଭ ତ ଦୂରର କଥା ଖର୍ଚ୍ଚ କରିଥିବା ଟଙ୍କା ମଧ୍ୟ ତାଙ୍କୁ ମିଳିପାରି ନାହିଁ । ଏଥିରେ କୃଷକ ଜଣକ ରାଗି ଯାଇ ନିଜ ଫସଲକୁ ନଷ୍ଟ କରି ଦେଉଥିବା ଏକ ଭିଡ଼ିଓରେ ଦେଖିବାକୁ ମିଳିଛି । ମାସ ମାସ ଧରି କଷ୍ଟ କରି ଫସଲ କରିଥିବା ଜମିକୁ ରାଗରେ ଜଲ୍‌ନା ଜିଲ୍ଲାର ଜଣେ କୃଷକ ନଷ୍ଟ କରି ଦେଇଛନ୍ତି ।

ତାଙ୍କ ପରିଶ୍ରମର ମୂଲ୍ୟ ତାଙ୍କୁ ନ ମିଳିବାରୁ ସେ ଏପରି କରିଥିବା ଜଣା ପଡ଼ିଛି । ଏହି ଭିଡ଼ିଓକୁ ଫେସ୍‌ବୁକ୍‌ରେ ପୋଷ୍ଟ କରି ସୁରେଶ ଏଡ଼ିଗା ନାମକ ଜଣେ ଯୁବକ ଏହାର କାରଣ ଦର୍ଶାଇଥିଲେ । ମାର୍ଚ୍ଚ ୧୬ରେ କୋବିର ମୂଲ୍ୟ ହ୍ରାସ ପାଇବାରୁ କୃଷକଙ୍କୁ ୪୦୦କେଜି କୋବି ଲାଗି ୪୪୨ଟଙ୍କା ମିଳିଥିଲା । ଗୋଟେ ଏକର ଜମିରେ ୭୫୦୦ଟଙ୍କା ଖର୍ଚ୍ଚ କରିଥିବା ବେଳେ କୃଷକଙ୍କୁ ଏତେ କମ ଟଙ୍କା ମିଳିବାରୁ ସେ ରାଗରେ ଏପରି କରିଛନ୍ତି । ବିକିବା ଅପେକ୍ଷା ଏହାକୁ ନଷ୍ଟ କରିବାକୁ ସେ ଠିକ୍‌ ବୋଲି ଭାବିଛନ୍ତି ବୋଲି ସୁରେଶ କହିଛନ୍ତି ।

ସମ୍ବନ୍ଧିତ ଖବର