ନିଜ ପକେଟରୁ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରି ମହିଳା ରୋଗୀଙ୍କର ସର୍ଜରି କରୁଥିବା ଯୋଗୁଁ ଚର୍ଚ୍ଚାରେ ହିମାଚଳ ପ୍ରଦେଶର ଡାକ୍ତର ଉଦୟ

ସିମଲା: ହିମାଚଳ ପ୍ରଦେଶର ଜଣେ ଚିକିତ୍ସକ ଗତ କିଛି ଦିନ ହେବ ଖୁବ୍ ଚର୍ଚ୍ଚାରେ ରହିଛନ୍ତି। ସେ କେବଳ ଜଣେ ଭଲ  ଚିକିତ୍ସକ ହୋଇଥିବା କାରଣରୁ ନୁହେଁ ,ବରଂ ଜଣେ ଦୟାଳୁ ମଣିଷ ଏବଂ ନିଜ ଅର୍ଥରେ ମହିଳା ରୋଗୀଙ୍କର ସର୍ଜରି କରୁଥିବା କାରଣରୁ ବେଶ ଲୋକପ୍ରିୟ ହୋଇଛନ୍ତି। ଏହି ଡାକ୍ତରଜଣକ ହେଲେ ଡ଼ାକ୍ତର ଉଦୟଭାନୁ ରାଣା ।

ସେ ହେଉଛନ୍ତି ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ। ସେ ହିମାଚଳ ପ୍ରଦେଶର ମଣ୍ଡି  ଜିଲ୍ଲାରେ ନିଯୁକ୍ତ ହୋଇଛନ୍ତି। ସେ ନିଜ ପକେଟରୁ  ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ରୋଗୀମାନଙ୍କୁ ଟୋଟାଲ୍‌ ଲାପାରୋସ୍କୋପିକ୍‌ ହିଷ୍ଟରେକ୍ଟୋମି(ଟିଏଲଏଚ) ସର୍ଜରି କରିଛନ୍ତି। ହିମାଚଳ ପ୍ରଦେଶର ସବୁଠାରୁ ଆଧୁନିକ ଚିକିତ୍ସାଳୟ  ଯଥା ଆଇଜିଏମ୍‌ସି,ସିମଲା ଓ ଡ଼ ରାଜେନ୍ଦ୍ର ପ୍ରସାଦ ସରକାରୀ ମେଡିକାଲ କଲେଜ୍‌ରେ ମଧ୍ୟ ଏହି ଚିକିତ୍ସାର ସୁବିଧା ନାହିଁ।

photo-amarujala

ହିମାଚଳ ପ୍ରଦେଶରେ ଏହି ସର୍ଜରି ଲାଗି ଜଣେ ରୋଗୀକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। କିନ୍ତୁ ସେ ନିଜ ଖର୍ଚ୍ଚରେ ରୋଗୀମାନଙ୍କୁ ଏହି ସୁବିଧା ଯୋଗାଉଥିବାରୁ ଚର୍ଚ୍ଚାରେ ଅଛନ୍ତି।ଏବେ ଅଳ୍ପ ଆୟ କରୁଥିବା ଲୋକେ ସେମାନଙ୍କ ରୋଗୀମାନଙ୍କର ଚିକିତ୍ସା ଲାଗି ଡ଼ାକ୍ତର ଉଦୟଙ୍କ ପାଖକୁ ଯାଉଥିବା ଜଣାଯାଇଛି।

 

ଗତ ସପ୍ତାହରେ ଡ଼ାକ୍ତର ଉଦୟ (୩୫) ସାତଜଣ ରୋଗୀଙ୍କୁ ନିଃଶୁଳ୍କ ଭାବେ ଟିଏଲଏଚ ସର୍ଜରି କରାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପିତାମାତା ଚାହୁଁଥିଲେ ପୁଅ ଚିକିତ୍ସକ ହେଉ। ଉଦୟ ନିଜେ ବି ଡ଼ାକ୍ତର ହୋଇ ରୋଗୀଙ୍କୁ ସୁସ୍ଥ କରିବା ଲକ୍ଷ୍ୟ ରଖିଛନ୍ତି। ସର୍ଜରି ତାଙ୍କର ସବୁଠାରୁ ପ୍ରିୟ କାମ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର