୨୫ ବର୍ଷ ହେଲା ଗାଁ ମସଜିଦକୁ ସୁରକ୍ଷା ଦେବା ସହ ଓ ରକ୍ଷଣାବେକ୍ଷଣ କରୁଛନ୍ତି ଏହି ହିନ୍ଦୁ ବ୍ୟକ୍ତି

ଉତ୍ତରପ୍ରଦେଶର ରାମବୀର କାଶ୍ୟପ ଗଲା ପଚିଶ ବର୍ଷ ଧରି ଏକ ପୁରୁଣା ମସ୍‌ଜିଦ୍‌ର ସୁରକ୍ଷା ଓ ରକ୍ଷଣାବେକ୍ଷଣ କରୁଛନ୍ତି। ପ୍ରାୟ ଏକ ଶହ କୋଡ଼ିଏ ବର୍ଷର ପୁରୁଣା ଏହି ମସ୍‌ଜିଦ୍‌, ମୁଜାଫରନଗର ଅନ୍ତର୍ଗତ ନନହେଡ଼ା ଗାଁରେ ଅବସ୍ଥିତ। ମସ୍‌ଜିଦ୍‌ ଠାରୁ ମାତ୍ର ଶହେ ମିଟର୍‌ ଦୂରରେ ରାମବୀରଙ୍କ ଘର। ପ୍ରତି ଦିନ ସକାଳେ ମସ୍‌ଜିଦ୍‌ ପରିସରକୁ ସେ ସଫା-ସୁତୁରା କରନ୍ତି। ସନ୍ଧ୍ୟାରେ ମହମବତି ଜଳାନ୍ତି। ପ୍ରତି ଥର ରମଜାନ୍‌ ପୂର୍ବରୁ ହାତରୁ ଟଙ୍କା ଖର୍ଚ୍ଚ କରି ଚୂନଧଉଳା କରନ୍ତି। ୨୦୧୩ ଦଙ୍ଗା ସମୟରେ ଏହି ମସ୍‌ଜିଦ୍‌ ଭାଙ୍ଗିଦେବାକୁ ଉଦ୍ୟମ ହେଉଥିବାବେଳେ ରାମବୀର ତାହାକୁ ତୀବ୍ର ବିରୋଧ କରିଥିଲେ। ଗାଁ ଲୋକଙ୍କ ସହଯୋଗ ମଧ୍ୟ ମିଳିଥିଲା ଏବଂ ମସ୍‌ଜିଦ୍‌ଟି ବର୍ତ୍ତିଯାଇଥିଲା।

ଉଲ୍ଲେଖନୀୟ କଥା ହେଲା, ଗାଁରେ ଏବେ ଜଣେ ହେଲେ ମୁସଲମାନ ନାହାନ୍ତି। ଦେଶ ସ୍ୱାଧୀନ ହେବା ପରେ ପରେ ସେମାନେ ଅନ୍ୟତ୍ର ଚାଲିଯାଇଛନ୍ତି। କିନ୍ତୁ, ପବିତ୍ର ଧାର୍ମିକ ପୀଠର କ୍ଷତି ଘଟିନାହିଁ। ଅଣଷଠି ବର୍ଷ ବୟସ୍କ ରାମବୀର ଜଣେ ହିନ୍ଦୁ ହେଲେ ହେଁ, ତାଙ୍କ ଶ୍ରଦ୍ଧା ଓ ଧର୍ମ ନିରପେକ୍ଷ ମନୋଭାବ ଦ୍ୱାରା ତାହା ସୁରକ୍ଷିତ। ମସ୍‌ଜିଦ୍‌ର ଯତ୍ନ ନେବାରେ ମଧ୍ୟ ରାମବୀରଙ୍କ ପରିବାର ସଦସ୍ୟମାନେ ସହଯୋଗ କରିଥାନ୍ତି। ବେଳେବେଳେ ନମାଜ ପାଠ ପାଇଁ ଏଠାକୁ ଅନ୍ୟ ଅଞ୍ଚଳରୁୁ କେହି କେହି ଅସୁଥିବାର ଦେଖିବାକୁ ମିଳେ। ଅନନ୍ୟ ଭାଇଚାରା ଓ ସାଂପ୍ରଦାୟିକ ସଦ୍‌ଭାବନାର ଜାଗ୍ରତ ପ୍ରହାରୀ ସାଜିଥିବା ରାମବୀର କହନ୍ତି: ‘ମସ୍‌ଜିଦ୍‌ର ଯତ୍ନ ନେବା ମୋ’ ପାଇଁ ଏକ ପବିତ୍ର ଧାର୍ମିକ କାର୍ଯ୍ୟ। ସବୁ ଧର୍ମ ଓ ଧର୍ମପୀଠକୁ ସମ୍ମାନ ଦେବା ମୁଁ ଶିଖିଛି।’

ସମ୍ବନ୍ଧିତ ଖବର