ଯୁବତୀଙ୍କୁ ବଦନାମ କରିବା ପାଇଁ ଭିଡିଓ ଭାଇରାଲ୍‌ କରୁଥିବା ଦୁର୍ବୃତ ଏବେ ଆପଣାଇଛନ୍ତି ନୂଆ କୌଶଳ

ସୋସିଆଲ ମିଡିଆରେ ଦିନକୁ ଦିନ ବୃଦ୍ଧି ପାଉଛି ଭାଇରାଲ ଭିଡିଓ । ଏହାକୁ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏହା କମିବା ବଦଳରେ ବଢ଼ିବାରେ ଲାଗିଛି। ମାତ୍ର କେଇ ସେକେଣ୍ଡ ଭିତରେ ମୋବାଇଲରୁ ମୋବାଇଲ୍‌ ଘୁରି ବୁଲୁଛି ଅନ୍ତରଙ୍ଗ ମୂହୁର୍ତର ଭିଡିଓ। ଗତ ଦୁଇ ମାସ ଭିତରେ ଏଭଳି ୫ ଶହରୁ ଅଧିକ ଭିଡିଓ ଭାଇରାଲ୍‌ ହେଲାଣି। ଭିଡିଓ ଭାଇରାଲ୍‌ କରୁଥିବା ଦୁର୍ବୃତ ଏବେ ଆପଣାଇଛନ୍ତି ନୂଆ କୌଶଳ। ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଭାଇରାଲ ଭିଡିଓର ନୂଆ ଟ୍ରେଣ୍ଡ। ବଦନାମ କରିବାର ନୂଆ ତରିକା। ଏଠାରେ ଭାଇରାଲ କରୁଥିବା ବ୍ୟକ୍ତିର ନାଁ କି ଠିକଣା ରହୁ ନଥିବା ବେଳେ, ଭାଇରାଲ ଭିଡିଓରେ ଥିବା ବ୍ୟକ୍ତିକୁ ସହଜରେ ଚିହ୍ନଟ କରାଇ ଦିଆଯାଉଛି। ସେଥିପାଇଁ ଅଭିଯୁକ୍ତମାନେ ନୂଆ ତରିକାର ବ୍ୟବହାର କରୁଛନ୍ତି। ତେବେ କେମିତି କରାଯାଉଛି ଯୁବତୀଙ୍କ ଭିଡିଓକୁ ଭାଇରାଲ୍‌ । ପ୍ରଥମେ ଭାଇରାଲ ଭିଡିଓରେ ଥିବା ଯୁବତୀଙ୍କ ଫେସବୁକ୍‌ ଆଇଡିକୁ ଯାଇ ତାଙ୍କର କିଛି ଫଟୋକୁ ଡାଉନଲୋଡ୍‌ କରାଯାଉଛି। ଯୁବତୀଙ୍କ ଫେସବୁକ୍‌ ଆଇଡିର ସ୍କ୍ରିନସଟ୍‌ ନିଆ ଯାଉଛି । ଏହାସହ ସେ କେଉଁ ଅନୁଷ୍ଠାନରେ କଣ କାମ କରୁଛନ୍ତି ତାକୁ ମଧ୍ୟ ହାଇଲାଇଟ୍‌ କରାଯାଉଛି ।

ଯାହାଦ୍ୱାରା ଭାଇରାଲ ହୋଇଥିବା ଭିଡିଓରେ କିଏ ଅଛନ୍ତି, ସେ କଣ କାମ କରୁଛନ୍ତି ଏବଂ ସେ କେଉଁ ଅଞ୍ଚଳରେ ଅଛନ୍ତି ତାହା ସହଜରେ ଜଣା ପଡିଯାଉଛି। ଗତ ତିନି ଦିନରେ ତିନିଟି ଭିଡିଓ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଭିଡିଓରେ ଅଛନ୍ତି ସିଙ୍ଗର,ଡ୍ୟାନ୍‌ସର ଏବଂ ଇନସ୍ୟୁରାନ୍‌ସ କମ୍ପାନୀର ମ୍ୟାନେଜର। ଏହି ୩ ଜଣଙ୍କ ଭିଡିଓ ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲୁଛି ।

ଗତ କିଛି ମାସ ହେବ ଏହି ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିବା ବେଳେ, ପାଖାପାଖି ୫ଶହରୁ ଅଧିକ ଭିଡିଓ ଭାଇରାଲ ହୋଇଥିବା ନଜିର ରହିଛି। ଖାଲି ସେତିକି ନୁହେଁ ପର୍ଣ୍ଣ ସାଇଟରୁ ଫେକ୍‌ ଭିଡିଓ ଡାଉନଲୋଡ୍‌ କରାଯାଇ, ଫେସବୁକରେ ଥିବା କିଛି ଯୁବତୀଙ୍କୁ ବଦନାମ କରାଯାଉଥିବା ଅଭିଯୋଗ ବି ରହିଛି। ହେଲେ ଭାଇରାଲ ଭିଡିଓର ମାଷ୍ଟରମାନେ କିନ୍ତୁ ଧରା ପଡୁ ନାହାଁନ୍ତ।

ସମ୍ବନ୍ଧିତ ଖବର