କୁନି ଓଠ, ବଡ଼ ଗାଥା: ଭାଗବତ ଗାନ କରି ଚର୍ଚ୍ଚାରେ ଯାଜପୁରର ୬ବର୍ଷିଅ ବାଳକ

ଯାଜପୁର: କୁନି ପ୍ରବଚକ। କୁନି ଓଠରେ ଭଗବଦ୍‌ ଚର୍ଚ୍ଚା। ଅତି କମ ବୟସରେ ଓଡ଼ିଆ ଜାତିର ପ୍ରାଣ, ଅତିବଡ଼ି ଜଗନ୍ନାଥ ଦାସଙ୍କ ଭାଗବତ ପୂରାପୂରି ମୁଖସ୍ଥ। ଦରୋଟୀ ଓଠରେ ଅନର୍ଗଳ ଭାଗବତ ଗାନ କରୁଛନ୍ତି ଯାଜପୁର ଜିଲ୍ଳାର ମଙ୍ଗରାଜପୁର ଗାଁର ବିରଜା ଶଙ୍କର ପାଢ଼ୀ। ବୟସ ସିନା କମ୍‌ ହେଲେ କଅଁଳ ବୟସରେ ଚାଲିଛି ଆଧ୍ୟାତ୍ମିକ ଚର୍ଚ୍ଚା। ପିଲାବେଳୁ ଭକ୍ତି ରସରେ ଗଦଗଦ୍‌ ବିରଜା। ଭାଗବତର ମାହାତ୍ମ୍ୟ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ। ତଥାପି ମୁହେଁ ମୁହେଁ ଭାଗବତ ବାଣୀ।

ବିରଜା ଶଙ୍କର ପାଢୀ। ବୟସ ମାତ୍ର ୬ବର୍ଷ। ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରଥମ ଶ୍ରେଣୀର ଛାତ୍ର ବିରଜା। ପିଲାବେଳୁ ଆଧ୍ୟାତ୍ମିକ ଭାବରେ ବନ୍ଧା। କୁନି ବୟସର ପୁଅ ଠାରେ ଲୁଚି ରହିଛି ବିରଳ ପ୍ରତିଭା। ଖୁବ କମ୍‌ ବୟସରୁ ଅନର୍ଗଳ ଭାଗବତ ଗାନ କରି ଚର୍ଚ୍ଚାରେ ବିରଜା ଶଙ୍କର। ଯାଜପୁର ବ୍ଲକ ରୁଦ୍ରପୁର ପଂଚାୟତ ବଡ଼ବାଗସାହି ଗାଁର ଅଶୋକ ପାଢୀଙ୍କ ପୁଅ ବିରଜା। ହେଲେ ସେ ପିଲାଟି ଦିନରୁ ମାମୁଁଘର ରସୁଲପୁର ବ୍ଲକ ମଙ୍ଗରାଜପୁରରେ ରହିଆସୁଛନ୍ତି। ପ୍ରତିଦିନ ସକାଳେ ବିରଜାଙ୍କ ମାମୁଁ ଘରେ ହୁଏ ଭାଗବତ ଚର୍ଚ୍ଚା। ଆଧ୍ୟାତ୍ମିକ ପରିବେଶରୁ ଆରମ୍ଭ ହୁଏ ଦିନଚର୍ଯ୍ୟା। ପ୍ରତିଦିନ ସକାଳ,ସନ୍ଧ୍ୟାରେ ତାଙ୍କ ମାମୁଁ, ଆଈ, ମାଉସୀ ଭାଗବତ ପଢ଼ନ୍ତି ଆଉ ତାହା ଦେଖି ଭାଗବତ ପଢ଼ିବା ଓ ଗାଇବା ପ୍ରତି ଆକୃଷ୍ଟ ହୋଇଥିଲେ ବିରଜା। ନିତିଦିନ ଅଭ୍ୟାସ ଯୋଗୁଁ ସମ୍ପୂର୍ଣ୍ଣ ଭାଗବତ ମୁଖସ୍ତ କରିବାରେ ସକ୍ଷମ ହୋଇଛନ୍ତି ବିରଜା। ଖେଳିବା ବୁଲିବା ଆଉ ଦୁଷ୍ଟାମୀ କରିବା ବୟସରେ ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଜଗନ୍ନାଥ ଦାସଙ୍କ ଭାଗବତ ବାଣୀ।

ବିରଜାଙ୍କ ମା ଜଣେ ଭିନ୍ନକ୍ଷମ ମହିଳା। ନା କଥା କହିପାରନ୍ତି ନା ଶୁଣିପାରନ୍ତି । ବାପା ବାହାରେ ରହି ଏକ କମ୍ପାନିରେ ସୁପରଭାଇଜର କାମ କରନ୍ତି। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପିଲାଦିନୁ ବିରଜା ମାଙ୍କ ସହ ମାମୁଁ ଘରେ ରହି ପାଠ ପଢୁଛନ୍ତି। ଭାଗବତ ଗାନ କରି ସେ ଅନେକ ପୁରସ୍କାର ପାଇଛନ୍ତି। ବିରଜା ନିଜ ଆଇଙ୍କ ସହ ଦିଲ୍ଲୀ, ପୁରୀ ଭଳି ସ୍ଥାନରେ ଭାଗବତ ଗାଇ ବେଶ୍‌ ସୁନାମ ଅର୍ଜନ କରିବା ସହ ପୁରସ୍କାର ଓ ମାନପତ୍ର ମଧ୍ୟ ପାଇଛନ୍ତି। ବର୍ତ୍ତମାନ ସମୟରେ ଭାଗବତର ମାହାତ୍ମ୍ୟକୁ ବୁଝିନଥିଲେ ମଧ୍ୟ ବଡ ହେଲେ ଗାଁ ଗହଳିରେ ବୁଲି ଭାଗବତର ପ୍ରଚାର ପ୍ରସାର କରିବେ ବୋଲି ସେ କହିଛନ୍ତି। ଛୋଟପିଲା ବିରଜାଙ୍କ ଏପରି ଆଧ୍ୟାତ୍ମିକ ଚିନ୍ତନ ଭବିଷ୍ୟତରେ ତାଙ୍କୁ ଜଣେ ସଫଳ ମଣିଷ କରି ଗଢ଼ିତୋଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର