ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ପ୍ରତିଦିନ ରୋଜଗାର କରି ଖାଉଥିବା ଲୋକଙ୍କୁ ଓ ପଶୁପକ୍ଷୀମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଏଭଳି ଅସହାୟ ଲୋକମାନଙ୍କୁ ପ୍ରଶାସନ ବିଭିନ୍ନ ପ୍ରକାର ସାହାଯ୍ୟର ହାତ ବଢ଼ାଇଥିବା ବେଳେ ଅନେକ ଲୋକ ବି ଏଭଳି ନିରାଶ୍ରୟ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। କିନ୍ତୁ ଏଭଳି ପରିସ୍ଥିତିରେ ପଶୁପକ୍ଷୀ ଖାଇବାକୁ ପିଇବାକୁ ନପାଇ ଭୋକରେ ଆଉଟୁ ପାଉଟୁ ହୋଇଯାଉଛନ୍ତି। ଆଉ ନିଜର ଏ କଷ୍ଟକୁ ବି ସେମାନେ କାହାରିକୁ କହି ପାରୁନାହାନ୍ତି। ଏମିତିରେ ଚେନ୍ନାଇର ଜଣେ ମହିଳା ପୁଲିସ କର୍ମଚାରୀ ପଶୁପକ୍ଷୀଙ୍କୁ ନିଜ ହାତରେ ଖାଇବାକୁ ଦେଉଥିବାର ଏକ ହୃଦୟସ୍ପଶୀ ଦୃଶ୍ୟ ସାମ୍ନାକୁ ଆସିଛି।

ପ୍ରକାଶିତ ଖବର ମୁତାବକ, ଉକ୍ତ ମହିଳା କର୍ମଚାରୀଙ୍କ ନାମ ଜି ଶୁଭଲକ୍ଷ୍ମୀ। ଶୁଭଲକ୍ଷ୍ମୀ ପ୍ରତିଦିନ ରାତିରେ ଡିୟୁଟିରୁ ଘରକୁ ଫେରୁଥିବା ସମୟରେ ୧୦୦ରୁ ଅଧିକ ବାରବୁଲା ଭୋକିଲା କୁକୁରଙ୍କୁ ବିସ୍କୁଟ ଦେଇ ସେମାନଙ୍କ କଥା ବୁଝିଥାଆନ୍ତି। ମାର୍ଚ୍ଚ ୨୪ରୁ ଶୁଭଲକ୍ଷ୍ମୀ ଏଭଳି କାମ କରି ଆସୁଛନ୍ତି।
ଡେପୁଟି କମିସନର ଅଫ୍ ପୁଲିସ ଶୁଭଲକ୍ଷ୍ମୀଙ୍କ କହିବାନୁସାରେ, ‘ ଏଭଳି ଏକ ସୁନ୍ଦର କାମ କରିବା ପାଇଁ ମୁଁ ଝିଅ ଠାରୁ ପ୍ରେରଣା ପାଇଛି। ୨୦୧୫ରେ ଯେତେବେଳେ ବନ୍ୟା ଆସିଥିଲା ତାଙ୍କ ଝିଅ ଭି ଜି ତମିଜହ୍ ଅନେକ ବାରବୁଲା କୁକୁରଙ୍କ ଜୀବନ ବଞ୍ଚାଇଥିଲା। ଏମିତି କି ସେ ନିଜ ସାଙ୍ଗମାନଙ୍କ ସହ ମିଶି ଅସହାୟ ଭୋକିଲା କୁକୁରଙ୍କୁ ଖାଇବାକୁ ବି ଦେଇଥିଲା। ଝିଅର ଏଭଳି କାମକୁ ସେ ସମର୍ଥନ ବି କରିଥିଲେ। ଏହାପରେ ସେ ବି ସେହିଦିନ ଠାରୁ ପୁଲିସ ଷ୍ଟେସନ୍ ସାମ୍ନାରେ କୁକୁରମାନଙ୍କ ପାଇଁ ଏକ କୁଣ୍ଡରେ ପାଣି ଭରି ରଖିବା ସହିତ ଅନେକ କୁକୁରଙ୍କୁ ଖାଇବାକୁ ଦେଇଥାଆନ୍ତି। କେବଳ ଏତିକି ନୁହେଁ, ରାସ୍ତାରେ କୌଣସି ଅସୁସ୍ଥ କୁକୁରଙ୍କୁ ଦେଖିଲେ, ତାର ଫଟୋ ଉଠାଇ ସେ ଝିଅ ପାଖକୁ ପଠାଇ ଦେଇଥାଆନ୍ତି। ଡାକ୍ତରଙ୍କ ସାହାଯ୍ୟ ନେଇ ସେ ଅସୁସ୍ଥ କୁକୁରଙ୍କ ଚିକିତ୍ସା କରିଥାଏ ।