ଏମିତି ଏକ ଗାଁ, ଯେଉଁଠି ମଣିଷ ଏବଂ କୁମ୍ଭୀରଙ୍କ ମଧ୍ୟରେ ରହିଛି ବନ୍ଧୁତା !

କୁମ୍ଭୀର ସହିତ ମଣିଷର ବନ୍ଧୁତା। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। କିନ୍ତୁ ଏହା ସତ। ଆଫ୍ରିକାରେ ଏମିତି ଏକ ଗାଁ ଅଛି ଯେଉଁଠି ମଣିଷ ଏବଂ କୁମ୍ଭୀର ମଧ୍ୟରେ ରହିଛି ନିବିଡ ସମ୍ପର୍କ। ଏହାସହିତ ଗାଁ ପ୍ରତି କୌଣସି ବିପଦ ଆସିବା ପୂର୍ବରୁ ଏହି କୁମ୍ଭୀର ମଧ୍ୟ ଦେଇଥାନ୍ତି ସଙ୍କେତ।

କୁମ୍ଭୀରକୁ ଦେଖିଲେ ସାଧାରଣତଃ ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥାଏ। କିନ୍ତୁ ପଶ୍ଚିମ ଆଫ୍ରିକାରେ ଏପରି ଏକ ଗାଁ ଅଛି ଯେଉଁଠି କୁମ୍ଭୀର ଏବଂ ମଣିଷ ବନ୍ଧୁ ଅଟନ୍ତି । ରାଜଧାନୀ ଓଆଗାଡୁଗୋ ଠାରୁ ୩୦ କିଲୋମିଟର ଦୂର ବାଜୋଲେ ଗାଁରେ କୁମ୍ଭୀରକୁ କେହି ଭୟ କରିନଥାନ୍ତି। ଗ୍ରାମବାସୀମାନେ କୁମ୍ଭୀରକୁ ଚିକେନ ଖୁଆଇବା ସହ କୁମ୍ଭୀର ଉପରେ ବସିଥାନ୍ତି ଏବଂ ସେମାନଙ୍କ ସହ ଶୋଇଥାନ୍ତି।

ଗ୍ରାମରେ ରହୁଥିବା ଜଣେ ବ୍ୟକ୍ତିଙ୍କ କହିବା ଅନୁଯାୟୀ, ପିଲାବେଳରୁ ହିଁ କୁମ୍ଭୀର ସହ ଖେଳିବା ଏବଂ ପହଁରିବା ଅଭ୍ୟାସ ହୋଇଯାଇଥାଏ। କୁମ୍ଭୀରମାନେ କାହାରିକୁ ମଧ୍ୟ କୌଣସି ପ୍ରକାର କ୍ଷତି ପହଞ୍ଚାଇନଥାନ୍ତି । ଏପରିକି ଗାଁ ଲୋକଙ୍କୁ କୁମ୍ଭୀର ସାହାଯ୍ୟ କରିଥାନ୍ତି । ଥରେ ଗାଁରେ ମରୁଡି ପଡିଥିବା ବେଳେ କୁମ୍ଭୀର ହିଁ ଗ୍ରାମବାସୀଙ୍କୁ ଲୁଚି ରହିଥିବା ଏକ ପୋଖରି ଦେଖାଇଥିଲା। ସେମାନଙ୍କର ଏହି ଉପକାରର ଧନ୍ୟବାଦ ଦେବା ପାଇଁ ଗାଁଲୋକେ ପ୍ରତିବର୍ଷ କୁମ ଲାକରେ ନାମକ ଉତ୍ସବ ପାଳନ କରିଥାନ୍ତି। ଉତ୍ସବ ସମୟରେ ବଳି ଦେଇ ଗାଁଲୋକେ ଗାଁର ବିକାଶ ପାଇଁ କୁମ୍ଭୀର ନିକଟରେ ପ୍ରାର୍ଥନା କରିଥାନ୍ତି।

ତେବେ ଏଠାକାର ଲୋକମାନଙ୍କ ମନରେ ବିଶ୍ୱାସ ରହିଛି ଯେ, କୁମ୍ଭୀର କାନ୍ଦିଲେ ଗାଁ ପାଇଁ ବିପଦ ମାଡି ଆସିଥାଏ। ଗାଁକୁ ଆସୁଥିବା ବିପଦ ପୂର୍ବରୁ କୁମ୍ଭୀର ଗାଁ ଲୋକଙ୍କୁ ସଙ୍କେତ ଦେଇଥାଏ। ମଣିଷ ଏବଂ କୁମ୍ଭୀରମାନଙ୍କ ଏହି ବନ୍ଧୁତା ସାରା ଦୁନିଆର ପର୍ଯ୍ୟଟକଙ୍କୁ ଏହି ଗାଁକୁ ଟାଣିଆଣିଥାଏ।

ସମ୍ବନ୍ଧିତ ଖବର