ଏମିତି ଜଣେ ନିଆରା ମଣିଷ, ଯିଏକି ୬ ବର୍ଷ ହେଲା ମାଗଣାରେ ଗରିବଙ୍କୁ ଯୋଗାଉଛନ୍ତି ଖାଦ୍ୟ!

ଆଜିର ସ୍ୱାର୍ଥପର ଦୁନିଆରେ ବହୁତ କମ ଲୋକ ଅଛନ୍ତି ଯେଉଁମାନେ ଅନ୍ୟର ଦୁଃଖ ବୁଝି ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। କିଏ ଭୋକିଲା ପେଟକୁ ଦାନା ଯୋଗାଇବା ପାଇଁ ତ ଅନ୍ୟ କେହି ଗରିବ ଲୋକଙ୍କର ବିଭିନ୍ନ ସେବା କରି ଆନନ୍ଦ ପାଇଥାନ୍ତି। ଏମିତି ଜଣେ ନିଆରା ମଣିଷ ହେଲେ ହାଇଦ୍ରାବାଦ ବାସିନ୍ଦା ସୈୟଦ ଉସମାନ ଅଜହର ମକସୁଦୀ। ଅଜହର ବିଗତ ଛଅ ବର୍ଷ ଧରି ଭୋକିଲା ପେଟକୁ ଦାନା ଯୋଗାଉଛନ୍ତି। ଫ୍ଲାଇଓଭର ତଳେ ଥାଳିଆ ନେଇ ଚଟାଇ ଉପରେ ବସିଥିବା ଭିକାରୀ, ଭୋକିଲା ଓ ଗରିବ ଲୋକଙ୍କୁ ପ୍ରତିଦିନ ଅପରାହ୍ନରେ ଆସି ଗରମ ଗରମ ଭାତ ଓ ଡାଲି ପରସନ୍ତି।

ହାଇଦ୍ରବାଦର ଦବିରପୁରା ପାଖରେ ଥିବା ଫ୍ଲାଇଓଭରରେ ଏପରି ଦୃଶ୍ୟ ସବୁଦିନ ଦେଖିବା ପାଇଁ ମିଳେ। ଗତ ୨୦୧୨ ମସିହାରୁ ଏହି ଦୃଶ୍ୟ ସୁବୁଦିନ ଦେଖିବା ପାଇଁ ମିଳୁଛି। ଏପରି ଗୋଟିଏ ଦିନ ନାହିଁ ଯେଉଁଦିନ ସହରର ଫ୍ଲାଇଭଓର ତଳେ ଛିଡ଼ା ହୋଇଥିବା ଗରିବ ଭିକାରୀଙ୍କୁ ଖାଇବା ମିଳେନି । ଅଜହରଙ୍କ ମତରେ ଭୋକର କୌଣସି ଧର୍ମ ନଥାଏ। ମାତ୍ର ୪ ବର୍ଷ ବୟସରୁ ତାଙ୍କ ବାପା ଆରପାରିକୁ ଚାଲିଯାଇଥିଲେ। ଆଉ ସେବଠାରୁ ଭୋକିଲା ରହିବାର କଷ୍ଟ ସେ ଅନୁଭବ କରିଛନ୍ତି । ଏଥିପାଇଁ ଭୋକିଲାଙ୍କ କଷ୍ଟକୁ ଦୂର କରିବା ପାଇଁ ସେ ପାରୁପର୍ଯ୍ୟନ୍ତ ଚେଷ୍ଟା କରନ୍ତି ।

ଉକ୍ତ ଫ୍ଲାଇଓଭର ତଳେ ଛଅ ବର୍ଷ ପୂର୍ବରୁ ଜଣେ ଅଚିହ୍ନା ମହିଳାଙ୍କ ସହ ସାକ୍ଷାତ ହୋଇଥିଲା। ଯାହାଙ୍କଠାରୁ ଭୋକିଲାଙ୍କୁ ଖାଦ୍ୟ ଖୁଆଇବାର ପ୍ରେରଣା ମିଳିଥିଲା ବୋଲି ସେ କହନ୍ତି । ୩୬ ବର୍ଷିୟ ଅଜହର ଉକ୍ତ ଘଟଣାକୁ ମନେପକାଇ କୁହନ୍ତି, ଜଣେ ମହିଳା ଭୋକରେ ଛଟପଟ ହେଉଥିଲେ। ଆଉ ସେବେଠାରୁ ତାଙ୍କୁ ଖାଦ୍ୟ ଖୁଆଇବାର ନିଷ୍ପତ୍ତି ନେଇଥିଲେ। ଆଉ ସେବେଠାରୁ ଅଜହର ନଷ୍ପତ୍ତିି ନେଇଥିଲେ ତାଙ୍କ ସୀମିତ ସମ୍ବଳ ଭିତରେ ଯଥାସମ୍ଭବ ଭୋକିଲାଙ୍କ ପେଟ ଭରିବା ପାଇଁ ସେ ଚେଷ୍ଟା କରିବେ।

ପ୍ରାରମ୍ଭରେ ତାଙ୍କ ସ୍ତ୍ରୀ ଘରେ ଖାଦ୍ୟ ରୋଷେଇ କରୁଥିଲେ ଏବଂ ସେ ଭୋକିଲାଙ୍କୁ ଖାଦ୍ୟ ଯୋଗାଉଥିଲେ। ପ୍ରଥମେ ପ୍ରାୟ ୩୦ରୁ ୩୫ ଜଣକୁ ଖାଦ୍ୟ ଖୁଆଉଥିଲେ ଅଜହର। ଏବେ ସେମାନଙ୍କ ସଂଖ୍ୟା ୧୫୦ରେ ପହଞ୍ଚିଛି। ଅଜହର ଏକ ସଂସ୍ଥା ମଧ୍ୟ ଚଳାନ୍ତି, ଯାହାର ନାମ ସନି ୱେଲଫେୟାର ଫାଉଣ୍ଡେସନ୍‌ । ଉକ୍ତ ସଂସ୍ଥା ଖାଦ୍ୟ ରୋଷେଇ କରିବା ପାଇଁ ଏବେ ୨ ଜଣ ରୋଷେଇଆ ନିଯୁକ୍ତ କରିଛନ୍ତି ।

3 ବର୍ଷ ପୂର୍ବରୁ ଅଜହର ସିକନ୍ଦରାବାଦ ସ୍ଥିତ ଗାନ୍ଧି ମେଡ଼ିକାଲରେ ମଧ୍ୟ ଭୋକିଲାଙ୍କୁ ଖାଦ୍ୟ ଖୁଆଇବାର କାମ ଆରମ୍ଭ କରିଦେଇଥିଲେ। ପ୍ରତିଦିନ ସେଠାରେ ୧୫୦ ରୁ ୨୦୦ ଲୋକଙ୍କୁ ଖାଦ୍ୟ ଖୁଆନ୍ତି । ଫାଉଣ୍ଡେସନ କିଛି ଏନଜିଓ ସହ ମିଳତ ଭାବେ ବେଙ୍ଗାଲୁରୁ, ଗୁଆହାଟୀ, ରାୟଚୁର ସହରରେ ପ୍ରତିଦିନି ଆହାର କାର୍ଯ୍ୟକ୍ରମ ସଂଚାଳନ କରନ୍ତି।

ଅଜହର କହନ୍ତି, ସେ ଆଜି ବହୁତ ଖୁସି। ଦିନେ ସେ ଏକା ଏହି କାମ ଆରମ୍ଭ କରିଥିଲେ। କିନ୍ତୁ ଆଜି ଅନେକ ଲୋକ ଓ ସଂଗଠନ ତାଙ୍କ କାମ ଦ୍ୱାରା ପ୍ରେରିତ। ସେ କହନ୍ତି ତାଙ୍କ ସ୍ୱପ୍ନ ସେବେ ସାକାର ହେବ ଯେବେ ଦୁନିଆରେ ଆଉ ଭୋକିଲା ରହିବେ ନାହିଁ । ଦବିରପୁରା ନିକଟରେ ତାଙ୍କର ପ୍ଲାଷ୍ଟର ଅଫ୍‌ ପେରିସର ଦୋକାନ ଅଛି। ଯେଉଁଠି ସେ ସବୁଦିନ ସକାଳ ଓ ସନ୍ଧ୍ୟାରେ କିଛି ସମୟ ବିତାନ୍ତି। ବାକି ସମୟତକ ଭୋଜନ ତିଆରି ହେଉଥିବାସ୍ଥଳରେ ଥାଆନ୍ତି। ଗତ ସପ୍ତାହରେ ବଲିଉଡ଼୍‌ ଅଭିନେତା ସଲମାନ୍‌ ଖାନ୍‌ ତାଙ୍କ କାର୍ଯ୍ୟକ୍ରମ ବିଇଙ୍ଗ୍‌ ହ୍ୟୁମାନରେ ଭାଗ ନେବା ପାଇଁ ତାଙ୍କୁ ମୁମ୍ବାଇ ଆମନ୍ତ୍ରିତ କରିଥିଲେ।

ସମ୍ବନ୍ଧିତ ଖବର