ମାନବିକତା ଦେଖାଇଲେ ଆଇଏଏସ୍ : ଖାଲି ପାଦରେ ତତଲା ରାସ୍ତାରେ ଚାଲୁଥିବା ଯୁବତୀଙ୍କୁ ନିଜ ହାତରେ ପିନ୍ଧାଇଲେ ଚପଲ୍
ନୂଆଦିଲ୍ଲୀ: ଲକ୍ଡାଉନ୍ ସମୟରେ ପ୍ରବାସୀ ଶ୍ରମିକମାନେ ନିଜ ଘରକୁ ଫେରିବା ପାଇଁ ଚାଲିଚାଲି ଶହଶହ କିଲୋମିଟର ଅତିକ୍ରମ କରି ଆସୁଛନ୍ତି। ଏହି ସମୟରେ ଅନେକଲୋକ ଶ୍ରମିକମାନଙ୍କୁ ସାହାଯ୍ୟ କରୁଥିବା ବି ଦେଖିବାକୁ ମିଳିଛି। ରାସ୍ତାରେ ଚାଲିଚାଲି ନିଜ ଘରକୁ ଫେରୁଥିବା ଶ୍ରମିକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ, ପିନ୍ଧିବାକୁ ପୋଷାକ ନାହିଁ, ଚାଲିଚାଲି ଚପଲ ବି ଘୋରି ହୋଇଗଲାଣି ପୁଣି ଏପଟେ ପ୍ରଚଣ୍ଡ ତାତି।
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ପରିସ୍ଥିତିରେ ଚାଲୁଚାଲୁ ଗୋରଖପୁର ସୀମା ନିକଟରେ କିଛି ପ୍ରବାସୀ ବିଶ୍ରାମ ପାଇଁ ଅଟକି ଯାଇଥିଲେ। ଏହି ସମୟରେ ଉକ୍ତ ପ୍ରବାସୀ ଶ୍ରମିକଙ୍କ ପାଖରେ ଆଇଏଏସ୍ ଅନୁଜ ମଲିକ ଆସି ପହଞ୍ଚିଥିଲେ। ତାଙ୍କ ନଜର ତତଲା ଖରାରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କ ଉପରେ ପଡ଼ିଥିଲା। ଆଇଏଏସ୍ ଯୁବତୀଙ୍କ କଷ୍ଟ ସହି ନ ପାରି ସଙ୍ଗେସଙ୍ଗେ ଚପଲ ମଗାଇ ଉକ୍ତ ଯୁବତୀଙ୍କୁ ନିଜ ହାତରେ ପିନ୍ଧାଇ ଦେଇଥିବାର ଏକ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା।
ଯେଉଁ ଯୁବତୀଙ୍କୁ ଆଇଏଏସ୍ ଚପଲ ପିନ୍ଧାଇଥିଲେ ତାଙ୍କ ନାମ ଶ୍ରେୟା ବୋଲି ଜଣାପଡ଼ିଛି। ଶ୍ରେୟା ବିହାରର ବାସିନ୍ଦା। ସେ ପରିବାରଲୋକଙ୍କ ସହିତ ଘରକୁ ଫେରୁଥିବା ସମୟରେ ରାସ୍ତାରେ ତାଙ୍କର ଚପଲ ଛିଣ୍ଡି ଯାଇଥିଲା। ତେବେ ଚପଲ କିଣିବା ପାଇଁ ଅର୍ଥ ନ ଥିବାରୁ ସେ ଖାଲି ପାଦରେ ତତଲା ରାସ୍ତାରେ ଚାଲିବା ପାଇଁ ବାଧ୍ୟ ହୋଇଥିଲେ।
ଘଟଣାସ୍ଥଳରେ ଆଇଏଏସ୍ଙ୍କ ସହିତ ଅନ୍ୟ ଅଧିକାରୀ ଓ କର୍ମଚାରୀ ବି ଉପସ୍ଥିତ ଥିଲା। ଆଇଏଏସ୍ଙ୍କ ଏଭଳି ସାହାଯ୍ୟ ପରେ ଅନ୍ୟମାନେ ବି ବିଶ୍ରାମ ନେଉଥିବା ଶ୍ରମିକଙ୍କୁ ସାହାଯ୍ୟର ହାତ ବଢ଼ାଇଥିଲେ। ଯେଉଁ ପ୍ରବାସୀ ଶ୍ରମିକଙ୍କ ପାଖରେ ପିନ୍ଧିବାକୁ ଚପଲ ନଥିଲା, ସେମାନଙ୍କୁ ତୁରନ୍ତ ଚପଲ ଯୋଗାଇ ଦିଆଯାଇଥିଲା ଓ ଖାଦ୍ୟ ପାନୀୟର ବି ବ୍ୟବସ୍ଥା କରାଯାଇଥିଲା।