ଆଇଏଏସ୍‌ ଚାକିରି ଛାଡ଼ି ପରିବା ବ୍ୟବସାୟ

ତିନି ଦଶନ୍ଧି ଧରି ଭାରତୀୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିବା ପରେ, ଚାକିରି ଛାଡ଼ି ପରିବା ବ୍ୟବସାୟ କରିବାକୁ କେହି ହୁଏତ ଇଚ୍ଛା ପ୍ରକାଶ କରି ନ ପାରନ୍ତି; କିନ୍ତୁ ପ୍ରବେଶ ଶର୍ମାଙ୍କ କ୍ଷେତ୍ରରେ ତାହା ବ୍ୟତିକ୍ରମ। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ପରିଚାଳନା ନିର୍ଦେଶକ ଭାବେ ସେ ଅବସ୍ଥାପିତ ଥିଲେ। ୨୦୧୬ ଜୁନ୍‌ରେ ଅବସର ନେଇଥା’ନ୍ତେ। ଚାରି ବର୍ଷ ପୂର୍ବରୁ ଚାକିରି ଛାଡ଼ି, ଏକ ଷ୍ଟାଟ୍‌ର୍-ଅପ୍‌ ମାଧ୍ୟମରେ ପରିବା ବ୍ୟବସାୟ କରୁଛନ୍ତି। ତାଙ୍କ ଦ୍ୱାରା ପରିଚାଳିତ ଷ୍ଟାଟ୍‌ର୍-ଅପ୍‌ର ନାଁ ‘ସବ୍‌ଜିଓ୍ଵାଲା’। ଚାଷୀ ଓ ଖାଉଟିଙ୍କ ମଧ୍ୟରେ ଦୂରତା କମାଇବା ତଥା ଚାଷୀଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପ୍ରଦାନ, ଏହି ଆଇଏଏସ୍‌ ଅଧିକାରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ। ଚାଷୀ ଠାରୁ ସେ ସିଧାସଳଖ ପରିବା କିଣି, ଖାଉଟିଙ୍କୁ ବିକ୍ରି କରୁଛନ୍ତି। ଏହା ଦ୍ୱାରା ମଧ୍ୟସ୍ଥି ବା ଦଲାଙ୍କ ଦ୍ୱାରା ଚାଷୀକୁ ଆଉ ଶୋଷଣ ହେବାକୁ ପଡ଼ୁନାହିଁ। ଅଧିକ ଲାଭ ମିଳୁଥିବାରୁ ଚାଷୀ ଋଣ କରୁନାହାନ୍ତି; ବରଂ ଚାଷ ପାଇଁ ଆଗଭର ହେଉଛନ୍ତି। ପ୍ରବେଶ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ଛାତ୍ର ଥିଲେ ଏବଂ ଜଣେ ପଦସ୍ଥ ଅଧିକାରୀ ଭାବେ କୃଷି ବିଭାଗରେ କାର୍ଯ୍ୟ କରିବାରେ ତାଙ୍କର ଦୀର୍ଘ ଅଠର ବର୍ଷର ଅଭିଜ୍ଞତା ରହିଛି। ଚାଷୀଙ୍କ ସ୍ୱାର୍ଥ ରକ୍ଷା ତଥା ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ ଜ୍ଞାନ ଓ ଅଭିଜ୍ଞତାକୁ ଖଟାଉଛନ୍ତି। ଉତ୍ତମ ମାନର ପରିବା ଉତ୍ପାଦନର ପଦ୍ଧତି ବାବଦରେ ସେ ଚାଷୀଙ୍କୁ ତାଲିମ ଦେଉଛନ୍ତି। ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ‘ସବ୍‌ଜିଓ୍ଵାଲା’ ଷ୍ଟାଟ୍‌ର୍-ଅପ୍‌ ଅଧୀନରେ ଏବେ ବତିଶଟି ବିକ୍ରୟ କେନ୍ଦ୍ର ଥିବା ଜଣାଯାଏ।

ସମ୍ବନ୍ଧିତ ଖବର