ହାର ମାନିଲା ମୃତ୍ୟୁ : ଶରୀରର ୭୦ ପ୍ରତିଶତ ଅଙ୍ଗ ଅଚଳ ହୋଇଥିବା କ୍ୟାଡ଼େଟ୍‌ ଡ଼ାକ୍ତରଖାନାରୁ ବାହାରି ସିଆଚେନ୍‌ରେ ଦେଶ ପାଇଁ ଲଢ଼ୁଛନ୍ତି

ଚେନ୍ନାଇ: କୁହାଯାଏ ପ୍ରବଳ ଇଛାଶକ୍ତି ସାମ୍ନାରେ ମୃତ୍ୟୁ ବି ହାର ମାନେ। ଏଭଳି ଏକ ଘଟଣା ଦେଖିବାକୁ ମିଳଛି ଡେରାଡୁନ୍‌ର ଇଣ୍ଡିଆନ୍‌ ମିଲିଟାରି ଏକାଡେମି (ଆଇଏମ୍‌ଏ)ରେ। ଏକଦା ଜୀବନର ଆଶା ଛାଡ଼ି ଦେଇଥିବା କ୍ୟାଡେଟ୍‌ ରାଜଶେଖର ଏବେ ଲେଫ୍ଟନାଣ୍ଟ ଭାବେ ଦେଶର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଅବସ୍ଥାପିତ ହୋଇଛନ୍ତି। କଥାଟି ଆଲୌକିକ ମନେ ହେଉଥିଲେ ବି ବାସ୍ତବ । କିଛି ଦିନ ପୂର୍ବରୁ ଏକାଧିକ ଅଙ୍ଗ କାର୍ଯ୍ୟ କରୁନଥିବା ହେତୁ ରାଜଶେଖର ଡେରାଡୁନ୍‌ ମିଲିଟାରି ହସ୍ପିଟାଲ୍‌ର ଆଇସିୟୁରେ ଭର୍ତ୍ତି ହୋଇଥିଲେ। ସେଠାରେ ଡ଼ାକ୍ତରମାନେ ତାଙ୍କ ବଞ୍ଚବା ଆଶା ବି ଛାଡ଼ି ଦେଇଥିଲେ। କିନ୍ତୁ ଜଣେ ସୈନିକ ହେବାର ଇଛା ଓ ଆଗ୍ରହ ଯୋଗୁଁ ରାଜଶେଖର ହସ୍ପିଟାଲ ବିଛଣାରୁ ଯୁଦ୍ଧକ୍ଷେତ୍ରକୁ ଆସିପାରିଛନ୍ତି।

ଜୀବନ ସଂଗ୍ରାମର କାହାଣୀ ବର୍ଣ୍ଣନା କରି ଲେଫ୍ଟନାଣ୍ଟ ରାଜଶେଖର କହନ୍ତି, ମୁଁ ଆଇଏମ୍‌ଏରେ ଭର୍ତ୍ତି ହେବାପରେ ପହଲା କଦମ୍‌ ବ୍ୟାୟାମ୍‌ ସମୟରେ ହଠାତ୍‌ ଚେତା ହରାଇ ପଡ଼ିଯାଇଥିଲି। କାରଣ ପିଠିରେ ଓଜନିଆ ଜିନିଷ ବୋହି ୧୦ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା। ଡ଼ାକ୍ତରମାନେ ମୋ ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ ମୋ ଶରୀରର ଏକାଧିକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ୭୦ ପ୍ରତିଶତ ଖରାପ ହୋଇଯାଇଛି। ତା’ପରେ ମୋର ଚିକିତ୍ସା ଚାଲିଲା। ମୁଁ କିଛି ମାତ୍ରାରେ ସୁସ୍ଥ ହେବା ପରେ ଡ଼ାକ୍ତର ମତେ ପରାମର୍ଶ ଦେଲେ ଆଇଏମ୍‌ଏ ଛାଡ଼ିଦେବା ପାଇଁ। ଥରେ ଏମିତି ବି ହୋଇଥିଲା କି ଡ଼ାକ୍ତରଖାନାରେ ମୋ’ର ମୃତ୍ୟୁ ହୋଇଛି ବୋଲି ପ୍ରଚାରିତ ହୋଇଯାଇଥିଲା। ମୋ ମା’ ଏବଂ ବଡ଼ ଭାଇ ମଧ୍ୟ ତାହା ଚାହୁଁଥିଲେ।

‘ମୁଁ କିନ୍ତୁ ଆଇଏମ୍‌ଏ ଛାଡ଼ିବା ସପକ୍ଷରେ ନ ଥିଲି। ସୁସ୍ଥ ହୋଇ ଟ୍ରେନିଂକୁ ଫେରିଲି। ମୋ’ର କମ୍ପାନି କମାଣ୍ଡର ଏବଂ ପ୍ଲାଟୁନ୍‌ କମାଣ୍ଡର ମତେ ମନୋବଳ ଦେଲେ। ମୁଁ ସଫଳତାର ସହ ଟ୍ରେନିଂ ସମାପ୍ତ କରି, ଶେଷରେ ପାସିଂ ଆଉଟ୍‌ ପ୍ୟାରେଡ଼୍‍ରେ ବେଷ୍ଟ ମୋଟିଭେଟର କ୍ୟାଡେଟ୍‌ ଭାବେ ପୁରସ୍କୃତ ହେଲି। ନିଜ ଜୀବନ ପ୍ରେରଣାଦାୟୀ କାହାଣୀ ବଖାଣି ଏକଥା କହନ୍ତି ରାଜଶେଖର।

ରାଜଶେଖରଙ୍କ ଘର ତାମିଲନାଡ଼ୁର ମଦୁରାଇରେ। ସେ ୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କ ବାପାଙ୍କ ପରଲୋକ ହୋଇଗଲା। ମା’ ସିଲେଇ କରି ତାଙ୍କୁ ପାଠ ପଢ଼ାଇ ଥିଲେ। ସେବେ ଠାରୁ ଜୀବନ ସହ ଯୁଝିବା ଶିଖି ଥିଲେ ରାଜଶେଖର। ଏବେ ସେ ସିଆଚେନ୍‌ରେ ଭାରତୀୟ ସେନାର ଜଣେ ଅଧିକାରୀ ଭାବେ ଅବସ୍ଥାପିତ ହୋଇଛନ୍ତି।

ସମ୍ବନ୍ଧିତ ଖବର