ବାଲ୍ୟବିବାହକୁ ରୋକିବା ପାଇଁ ଅଭିନବ ପ୍ରୟାସ : ବାହାଘର କାର୍ଡରେ ଛପାହେବ ବରକନ୍ୟାଙ୍କ ବୟସସୀମା!

ବାଲ୍ୟବିବାହ ରୋକିବାକୁ ସରକାର ଆଇନ ପ୍ରଣୟନ କରିବା ସହ ବହୁ ସଚେତନତା କାର୍ଯ୍ୟକ୍ରମ କରୁଥିଲେ ମଧ୍ୟ ଏବେବି ଭାରତରେ ବାଲ୍ୟବିବାହ ପ୍ରଥା ଚାଲୁ ରହିଛି। ପିତାମାତାଙ୍କ ମଧ୍ୟରେ ଶିକ୍ଷାର ଅଭାବ ଯୋଗୁଁ ଭାରତର ପ୍ରାୟ ଅଧିକାଂଶ ଅଞ୍ଚଳରେ ପାଠ ପଢିବା ବୟସରେ ପିଲାଙ୍କୁ ବିବାହ ଦିଆଯାଇଥାଏ। ଭାରତରେ ବାଲ୍ୟ ବିବାହ ପ୍ରଥା କିଛି ମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଏପରି ଅନେକ ସ୍ଥାନ ଅଛି ଯେଉଁଠି ୧୩ ରୁ ୧୭ ବୟସର ପିଲାଙ୍କ ବିବାହ କରି ଦିଆଯାଇଥାଏ। ବିଭିନ୍ନ ପ୍ରୟାସ ସତ୍ତ୍ୱେ ମଧ୍ୟ ସମାଜରୁ ଏଭଳି ଭୟାବହତାକୁ ଏପର୍ଯ୍ୟନ୍ତ ଦୂର କରାଯାଇପାରିନାହିଁ।

ଏଭଳି ସମସ୍ୟାକୁ ଦୂର କରିବା ପାଇଁ ଏବେ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏକ ଅଭିନବ ପନ୍ଥା ଜାରି କରାଯାଇଛି। ଏବେ ପ୍ରତ୍ୟେକ ବିବାହ କାର୍ଡରେ ବର ବଧୂଙ୍କ ବୟସସୀମା ଏବଂ ତାଙ୍କ ଜନ୍ମ ତାରିଖକୁ ଛପାଯିବ। କେବଳ ଏତିକି ନୁହଁ କାର୍ଡ ପ୍ରଣ୍ଟିିଂ ପ୍ରେସର ସଞ୍ଚାଳକଙ୍କ ପାଖରେ ବରବଧୂଙ୍କ ଆୟୁ ପ୍ରମାଣ ପତ୍ର ସମ୍ବନ୍ଧୀତ ଅଭିଲେଖ ମଧ୍ୟ ରହିବ। ଏଥିପାଇଁ ସବୁ ପ୍ରିଣ୍ଟିଂ ପ୍ରେସର ସଞ୍ଚାଳକଙ୍କ ସହ ଏହାକୁ ନେଇ ଏକ ବୈଠକ କରାଯିବ।

ଉଲ୍ଲେଖଯୋଗ୍ୟ ଯେ, ହିମାଳୟର ସାୱତୀ ଜିଲ୍ଲାରେ ବାଲ୍ୟ ବିବାହ ଭଳି କିଛି କୁପ୍ରଥା ବହୁ ବର୍ଷରୁ ଚାଲି ଆସିଛି । ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେରୁ ଜଣାପଡିଛି ଯେ ଏଠାକାର ୭୦ରୁ ଅଧିକ ଝିଅ ବାଲ୍ୟ ସମୟରୁ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । କେବଳ ଏତିକି ନୁହଁ ଏହି ଛୋଟ ଝିଅମାନେ କମ୍‌ ବୟସରୁ ବିବାହ କରି ୧୫ ରୁ ୧୮ ବର୍ଷ ବୟସ ଭିତରେ ମା’ ମଧ୍ୟ ହୋଇଯାଆନ୍ତି । କିଛି ଝିଅ ଛୁଆ ଜନ୍ମ କରିବା ସମୟରେ ଅସହ୍ୟ ଯନ୍ତ୍ରଣା ସହ୍ୟ ନକରି ପାରି ମୃତ୍ୟୁମୁଖରେ ମଧ୍ୟ ପଡିଥିବାର ଦୃଷ୍ଟାନ୍ତ ରହିଛି। କିନ୍ତୁ ଏବେ ଯଦି ବରକନ୍ୟାଙ୍କ ବୟସସୀମା କମ୍‌ ଥିବ ତେବେ ପ୍ରେସ୍‌ ସଞ୍ଚାଳକ ସୂଚନା ମନ୍ତ୍ରାଳୟକୁ ଏହାର ଖବର ଦେବେ। ଯାହାଦ୍ୱାରା ଏଭଳି ବିବାହ ଉପରେ ଉଭୟ ପରିବାର ସଦସ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର