ପୂରା ବିଶ୍ୱରେ ସର୍ବାଧିକ ମହିଳା ପାଇଲଟ୍‌ ଅଛନ୍ତି ଭାରତରେ; ଆହୁରି ବଢ଼ାଇବାର ରହିଛି ଲକ୍ଷ୍ୟ

ନୂଆନିଲ୍ଲୀ: ବିଭିନ୍ନ ଦିଗରେ ଆମ ଦେଶ ଭାରତ ବିକାଶମୁଖୀ ହୋଇଥିବା ବେଳେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ବି ବିକାଶ ସ୍ପଷ୍ଟ ଦେଖିବାକୁ ମିଳୁଛି। ବିଶ୍ୱର ଅନ୍ୟ ସମସ୍ତ ଦେଶ ଅପେକ୍ଷା ଭାରତରେ ଅଧିକ ସଂଖ୍ୟାରେ ମହିଳା କମର୍ସିଆଲ୍ ପାଇଲଟ୍‌ ରହିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଜାଣିବାକୁ ମିଳିଛି ଯେ କେବଳ ଭାରତରେ ହିଁ ୧୨ ପ୍ରତିଶତ କମର୍ସିଆଲ୍ ମହିଳା ପାଇଲଟ ରହିଛନ୍ତି। ଇଣ୍ଟର୍‌ନ୍ୟାସ୍‌ନାଲ ସୋସାଇଟି ଅଫ୍‌ ଓ୍ଵମେନ୍‌ ଏୟାର୍‌ଲାଇନ୍‌ ପାଇଲଟ୍‌ର ରିପୋର୍ଟ ମୁତାବକ, ପୂରା ବିଶ୍ୱରେ ୫ ପ୍ରତିଶତରୁ କମ୍‌ ମହିଳା ପାଇଲଟ୍‌ ଅଛନ୍ତି। ଆମେରିକା ଓ ଅଷ୍ଟ୍ରେଲିଆ ପରି ବିକାଶ ଦେଶଗୁଡ଼ିକଠାରୁ ମଧ୍ୟ ଭାରତ ଏହି କ୍ଷେତ୍ରରେ ଆଗୁଆ ପ୍ରମାଣିତ ହୋଇଛି।

ଭାରତୀୟ ମହିଳାମାନଙ୍କର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଅଗ୍ରଗତି ସଂପର୍କରେ ଜେଟ୍‌ ଏୟାର୍‌େଓ୍ଵଜ୍‌ର ବରିଷ୍ଠ ମହିଳା ପ୍ରଶିକ୍ଷକ ଶ୍ୱେତା ସିଂହ କହନ୍ତି, ‘କୋଡ଼ିଏ ବର୍ଷ ପୂର୍ବରୁ ମୁଁ ଯେତେବେଳେ ପାଇଲଟ୍‌ ଭାବେ ମୋ କ୍ୟାରିୟର୍‌ ଆରମ୍ଭ କରିଥିଲି ସେ ସମୟରେ ମହିଳା ପାଇଲଟ୍‌ ବନିବା ଏକ ଅସାଧାରଣ କଥା ଥିଲା। ପୁରୁଷ ସହକର୍ମୀଙ୍କ ମେଳରେ କାମ କରିବାକୁ ସେ ସମୟରେ ବହୁତ ଅସହଜ ମନେ ହେଉଥିଲା। ତଥାପି ବି ଆମ ବୃତ୍ତିର ଭଲ କଥା ହେଉଛି ଏଠାରେ ଆମେ ମହିଳା ହୋଇଥିବାରୁ କୌଣସି ଅସୁବିଧାର ସମ୍ମୁଖୀନ କରିନାହୁଁ।’

ଏବେ ସୁଦ୍ଧା ଇଣ୍ଡିଗୋର ୩୦ ପ୍ରତିଶତ ପାଇଲଟ୍‌ ମହିଳା। ଏୟାର୍‌ଲାଇନ୍‌ସର ୩୩୦ ଜଣ ମହିଳା ପରିଚାଳିକା ଅଛନ୍ତି। ସ୍ପାଇସ୍‌ଜେଟ୍‌ରେ ୧୨ ପ୍ରତିଶତ ମହିଳା ପାଇଲଟ୍‌ ରହିଛନ୍ତି। ଆଗାମୀ ୩ ବର୍ଷ ମଧ୍ୟରେ କମ୍ପାନି ମହିଳା ପାଇଲଟ୍‌ ୩୩ ପ୍ରତିଶତ କରିବାର ଲକ୍ଷ ରଖିଛି। ଗର୍ଭବତୀ ମହିଳାମାନଙ୍କୁ କମ୍ପାନି ପକ୍ଷରୁ ଉପଯୁକ୍ତ ସହାୟତା ମିଳିଥାଏ। ସେ ସମୟରେ ମହିଳାଙ୍କୁ ଲ୍ୟାଣ୍ଡ୍‌ର ଅଫିସ୍‌ କାମରେ ନିୟୋଜିତ କରାଯାଇଥାଏ।

ସମ୍ବନ୍ଧିତ ଖବର