ଭାରତର ମୁକ୍ତି ସଂଗ୍ରାମ ୧୮୫୭-୧୯୪୭

ଇଉରୋପୀୟମାନେ ପ୍ରଥମେ ବ୍ୟବସାୟୀ ଭାବେ ୧୪୯୮ରେ ଭାରତକୁ ଆସିଥିଲେ। ପରବର୍ତ୍ତୀ କାଳରେ ସେମାନେ ଭାରତର ବିଭିନ୍ନ ଅଞ୍ଚଳର ଶାସନ ବ୍ୟାପାରରେ ମୁଣ୍ଡ ଖେଳାଇଥିଲେ। ଏହାକୁ ନେଇ ଫରାସୀ, ଡଚ୍‌ ଓ ବ୍ରିଟିସ୍‌ମାନଙ୍କ ଭିତରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଶେଷରେ ସମସ୍ତଙ୍କୁ ପରାଜିତ କରି ସାରା ଭାରତ ଦଖଲ କରିଥିଲା ବ୍ରିଟିସ୍‌ ଶକ୍ତି। ବ୍ରିଟିସ୍‌ମାନଙ୍କ ଶାସନ ଦ୍ୱାରା ଭାରତର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବାରୁ ସମ୍ମିଳିତ ବିଦ୍ରୋହ ଆରମ୍ଭ ହୋଇଥିଲା। ଇଂରେଜ୍‌ମାନଙ୍କ ବିରୋଧରେ ଭାରତର ପ୍ରଥମ ସଂଗ୍ରାମ ଥିଲା ୧୮୫୭ର ‘ସିପାହି ବିଦ୍ରୋହ’। ତା’ ପରଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ ସଂଘଟିତ ହୋଇଥିଲା, ଅନେକ ବିପ୍ଳବ ଓ ସଂଗ୍ରାମ। ଶେଷରେ ୧୯୪୭ ଅଗଷ୍ଟ୍‍ ୧୪-୧୫ ମଧ୍ୟରାତ୍ରରେ ଭାରତ ବିଦେଶୀ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱାଧୀନତା ଲାଭ କରିଥିଲା। ଭାରତ ଆକାଶରେ ଫର ଫର ହୋଇ ଉଡ଼ିଥିଲା ତ୍ରିରଙ୍ଗା ପତାକା। ଆଜି ଭାରତ ସ୍ୱାଧୀନତାର ଏକସ୍ତରି ବର୍ଷ ପୂରଣ କରି ବାସ୍ତରିତମ ଦିବସ ପାଳନ କରୁଛି। ଏହି ଅବସରରେ ଭାରତର ମୁକ୍ତି ସଂଗ୍ରାମ ଇତିହାସର ମୂକ ସାଖୀ ପାଲଟିଥିବା କିଛି ପ୍ରମୁଖ ଅବିସ୍ମରଣୀୟ ଘଟଣାକୁ ନେଇ ‘ସୁପ୍ରଭାତ’ ପୃଷ୍ଠାରେ ଉପସ୍ଥାପନା।

ପ୍ରଥମ ସ୍ୱାଧୀନତା ସଂଗ୍ରାମ

ପ୍ରାଚ୍ୟ ଭୂଖଣ୍ଡରେ ବାଣିଜ୍ୟ କରିବା ଉଦ୍ଦେଶ୍ୟରେ ଇଂରେଜ୍‌ମାନେ ୧୬୦୦ ମସିହାରେ ଗଠିତ କରିଥିଲେ ‘ଇଷ୍ଟ୍‌ ଇଣ୍ଡିଆ କମ୍ପାନି’। ଭାରତରେ ସେତେବେଳେ ବ୍ରିଟିସ୍‌ଙ୍କ ସହ ଫରାସୀ, ଡଚ୍‌ ଆଦି ଗୋଷ୍ଠୀ ବ୍ୟବସାୟ କରୁଥିଲେ। ତେବେ, ୧୭୫୭ରେ ରବଟ୍‌ର୍ କ୍ଲାଇବ୍‌ଙ୍କ ନେତୃତ୍ଵରେ ବ୍ରିଟିସ୍‌ମାନେ ପଲାଶୀ ଯୁଦ୍ଧରେ ନବାବ ସିରାଜ୍‌-ଉଦ୍‌-ଦୌଲାଙ୍କୁ ପରାସ୍ତ କରିବା ପରେ, ‘ଇଷ୍ଟ୍‌ ଇଣ୍ଡିଆ କମ୍ପାନି’ ବିରୋଧରେ ଅସନ୍ତୋଷ ବଢ଼ିଥିଲା। ଧୀରେ ଧୀରେ କମ୍ପାନିର ଶକ୍ତି ବୃଦ୍ଧି ପାଇଥିଲା। ଭାରତୀୟ ଶାସକମାନେ ଏକତ୍ର ନ ହୋଇ ନିଜ ନିଜର ସ୍ୱାର୍ଥ ରକ୍ଷା ଲାଗି ବ୍ରିଟିସ୍‌ ପକ୍ଷର ସାହାଯ୍ୟ ନେଇଥିଲେ। ବ୍ରିଟିସ୍‌ମାନଙ୍କ ଶାସନ ଦ୍ୱାରା ଭାରତର ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି କ୍ରମଶଃ ଭୁଶୁଡ଼ି ପଡ଼ିବାରୁ କମ୍ପାନି ବିରୋଧରେ ଆରମ୍ଭ ହୋଇଥିଲା ବିଦ୍ରୋହ। ୧୮୦୬ର ଭେଲୋର ବିଦ୍ରୋହ, ୧୮୧୬ର ବରେଲୀ ବିଦ୍ରୋହ, ୧୮୧୭ର ପାଇକ ବିଦ୍ରୋହ, ୧୮୨୪ର ବାରକପୁର ବିଦ୍ରୋହ, ୧୮୩୧ର ଛୋଟନାଗପୁର କୋଲ ବିଦ୍ରୋହ ଆଦିର ବିଶେଷ ପ୍ରଭାବ କମ୍ପାନି ଉପରେ ପଡ଼ି ନ ଥିଲା। ତେବେ, ୧୮୫୭ର ‘ସିପାହି ବିଦ୍ରୋହ’ ପ୍ରଥମ ଥର ପାଇଁ କଂପାନି ମଜଭୁତ ସ୍ଥିତିକୁ ଦୋହଲାଇ ଦେଇଥିଲା। ଏହା ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ବିଭିନ୍ନ କାରଣରୁ ଏହା ମଧ୍ୟ ବିଫଳ ହୋଇଥିଲା। କେବଳ ବଙ୍ଗ ପ୍ରେସିଡେନ୍‌ସିର ସିପାହିମାନେ ବିଦ୍ରୋହରେ ଯୋଗଦେଇଥିଲେ। ମାନ୍ଦ୍ରାଜ ଓ ବମ୍ବେ ପ୍ରେସିଡେନ୍‌ସିର ସିପାହିମାନେ ସମର୍ଥନ ଦେଇ ନ ଥିଲେ। ପଞ୍ଜାବ ଭଳି ଶକ୍ତିଶାଳୀ ରାଜ୍ୟର ଶାସକ, ବିଦ୍ରୋହ ବିପକ୍ଷରେ ଯାଇଥିଲା। ବିଦ୍ରୋହ କେବଳ ଉତ୍ତର ଭାରତ ମଧ୍ୟରେ ସୀମିତ ରହି, ଶେଷରେ ଦବିଯାଇଥିଲା।

ଅସହଯୋଗ ଆନ୍ଦୋଳନ

ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଇଂରେଜ୍‌ ବିରୋଧୀ ‘ଅସହଯୋଗ ଆନ୍ଦୋଳନ।’ ଏହା ପୂର୍ବରୁ, ୧୯୧୯ରେ ବ୍ରିଟିସ୍‌ ବିଚାରପତି ସାର୍‌ ସିଡ୍‌ନି ରୌଲେଟ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦ୍ୱାରା ‘ରୌଲେଟ୍‌ ଆଇନ’କୁ ସୁପାରିଶ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିନା ବିଚାରରେ ସଂଗ୍ରାମୀମାନଙ୍କୁ ଜେଲ୍‌ରେ ଦୁଇ ବର୍ଷ ଅଟକ ରଖିବା। ଏହି ଆଇନକୁ କଂଗ୍ରେସ୍‌ ତୀବ୍ର ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲା। ଏହି ଅବସରରେ ଅମୃତସରର ଜଲିୟାଁଓ୍ଵାଲା ବାଗ ମଇଦାନରେ ୧୯୧୯ ଏପ୍ରିଲ୍‌ ୧୩ରେ ଶତାଧିକ ନରନାରୀ ଏକତ୍ର ହୋଇଥିଲେ। ଜେନ୍‌ରଲ୍‌ ଡାୟାର୍‌ଙ୍କ ନିର୍ଦେଶରେ ନିରୀହ ଜନତା ଉପରକୁ ଆଖିବୁଜା ଗୁଳି ଚଳାଯାଇଥିଲା। ଏହା ଦ୍ୱାରା ୩୭୯ ଜଣଙ୍କର ପ୍ରାଣ ଯାଇଥିବା ସରକାରୀ ସୂତ୍ରରୁ କହାଯାଇଥିଲେ ମଧ୍ୟ ପ୍ରକୃତ ମୃତ୍ୟୁ ସଂଖ୍ୟା ଥିଲା ବହୁ ଅଧିକ। ଏହି ହତ୍ୟାକାଣ୍ଡ ବିରୋଧରେ ଗାନ୍ଧୀ ୧୯୨୦ରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ।

ସ୍ୱଦେଶୀ ଆନ୍ଦୋଳନ

୧୯୦୫ରେ ଭାଇସ୍‌ରଏ ଲଡ୍‌ର୍ କର୍ଜନ୍‌ ବଙ୍ଗ ପ୍ରଦେଶକୁ ଭାଙ୍ଗି ଦୁଇଟି ପ୍ରଦେଶରେ ପରିଣତ କରିଥିଲେ। ହିନ୍ଦୁ ଓ ମୁସଲମାନବହୁଳ ଅଞ୍ଚଳକୁ ଅଲଗା କରିବା ଥିଲା ମୁଖ୍ୟ ଉଦ୍ଦେଶ୍ୟ। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦକୁ ଭାରତୀୟ ଜାତୀୟ କଂଗ୍ରେସ୍‌ କର୍ତ୍ତୃପକ୍ଷ ଗ୍ରହଣ କରିପାରି ନ ଥିଲେ। ବଙ୍ଗ-ଭଙ୍ଗ ବିରୋଧରେ ସମଗ୍ର ଦେଶରେ ଜନ ଆନ୍ଦୋଳନ ସୃଷ୍ଟି କରାଯାଇଥିଲା। ‘ବନ୍ଦେ ମାତରଂ’ ଧ୍ୱନି ଦେଇ, ବ୍ରିଟିସ୍‌ ଦ୍ରବ୍ୟ ବର୍ଜନ ଓ ପୋଡ଼ି ପାଇଁ ଲୋକଙ୍କୁ ଉତ୍ସାହିତ କରାଯାଇଥିଲା। ତେଣୁ, ଏହାକୁ ‘ସ୍ୱଦେଶୀ ଆନ୍ଦୋଳନ’ କହାଯାଏ।

ଲବଣ ସତ୍ୟାଗ୍ରହ

ଜାତୀୟ ସଂଗ୍ରାମରେ ‘ଲବଣ ସତ୍ୟାଗ୍ରହ’ ବା ‘ଲୁଣ ଆଇନ ଅମାନ୍ୟ’ ଥିଲା ଅନ୍ୟ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ। ବ୍ରିଟିସ୍‌ ସରକାର ଲୁଣ ଉପରେ ଟିକସ ବସାଇବାରୁ ଆଇନ ଅମାନ୍ୟ କରି ଲୁଣ ମାରିବାକୁ ମହାତ୍ମା ଆହ୍ଵାନ ଦେଇଥିଲେ। ଲୁଣ-ମରା ଆଇନକୁ ବିରୋଧ କରି ୧୨ ମାର୍ଚ୍‌ ୧୯୩୦ରେ ଗାନ୍ଧୀଜି ସାବରମତୀ ଆଶ୍ରମରୁ ପ୍ରସିଦ୍ଧ ଦାଣ୍ଡୀ ଯାତ୍ରା ଆରମ୍ଭ କରିଥିଲେ। ଚବିଶ ଦିନ ଧରି ୨୪୦ ମାଇଲ୍‌ ଚାଲିବା ପରେ ଏପ୍ରିଲ୍‌ ୬ ତାରିଖରେ ଅନ୍ୟ ସତ୍ୟାଗ୍ରହୀଙ୍କ ସହ ସେ ଦାଣ୍ଡୀରେ ପହଞ୍ଚି ଲୁଣ ମାରିଥିଲେ। ସମଗ୍ର ଭାରତରେ ତାଙ୍କୁ ଅନୁସରଣ କରି ଲୁଣ ମରାଯାଇଥିଲା। ଏହାକୁ ‘ଆଇନ ଅମାନ୍ୟ ଆନ୍ଦୋଳନ’ ମଧ୍ୟ କୁହାଯାଏ।

ସମ୍ବନ୍ଧିତ ଖବର