ସମୁଦ୍ରରେ ବୁଡ଼ି ଯାଉଥିବା ବ୍ୟକ୍ତିକୁ ଉଦ୍ଧାର କଲେ ପତ୍ନୀଙ୍କ ସହ ସମୁଦ୍ରକୂଳରେ ବୁଲୁଥିବା ନୌସେନା ଅଧିକାରୀ

ତିରୁବନନ୍ତପୁରମ: କେରଳର ଭାଇପିନ୍‌ ସମୁଦ୍ରରେ ବୁଡ଼ି ଯାଉଥିବା ଜଣେ ବ୍ୟକ୍ତିକୁ ଉଦ୍ଧାର କରି ଚର୍ଚ୍ଚାରେ ରହିଛନ୍ତି  ଭାରତୀୟ ନୌସେନାର ଜଣେ ଅଧିକାରୀ। ଭାରତୀୟ ନୌସେନା ଉଦ୍ଧାର କରିବା ବେଳର ଏକ ଫଟୋକୁ ଭାରତୀୟ ନୌସନା ତା’ର ଅଫିସିଆଲ୍‌ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରିବା ପରେ ଅଧିକାରୀ ଜଣକ ଏବେ ସମସ୍ତଙ୍କ ଆଖିରେ ଜଣେ ହିରୋ ବନି ଯାଇଛନ୍ତି।

ଜାଣିବାକୁ ମିଳିଛି ଯେ ଲ୍ୟୁଟନାଣ୍ଟ୍‌ ରାହୁଲ ଦଲାଲ ତାଙ୍କ ପତ୍ନୀଙ୍କ ସହ ଏପ୍ରିଲ୍‌ ୫ ତାରିଖ ଅପରାହ୍ନରେ ଭାଇପିନ୍ ସମୁଦ୍ରକୂଳକୁ ବୁଲିବାକୁ ଯାଇଥିଲେ। ଦଲାଲ ଦେଖିବାକୁ ପାଇଲେ ଯେ ଜଣେ ବ୍ୟକ୍ତି ପାଣିରେ ବୁଡ଼ିଯାଇ ବଞ୍ଚିବା ଲାଗି ସଂଘର୍ଷ କରୁଛି। ବୁଡ଼ି ଯାଉଥିବା ବ୍ୟକ୍ତି ଜଣକ ସାହାଯ୍ୟ ପାଇଁ କାନ୍ଦୁଥିଲେ। ମାତ୍ର ବ୍ୟକ୍ତି ଜଣଙ୍କୁ ସାହାଯ୍ୟ କରିବା ପାଇଁ ସମୁଦ୍ରକୂଳରେ କେହି ହେଲେ ନଥିଲେ।

ଦଲାଲ କିଛି ଚିନ୍ତା ନକରି ପୀଡ଼ିତଙ୍କୁ ଉଦ୍ଧାର କରିବା ପାଇଁ ପାଣି ଭିତରକୁ ପଶି ଯାଇଥିଲେ। ପାଣି ଭିତରୁ ବ୍ୟକ୍ତି ଜଣଙ୍କୁ ଉଦ୍ଧାର କରି ଉପରକୁ ଆଣିବା ପାଇଁ ଦଲାଲଙ୍କୁ ୨୫ ମିନିଟ୍‌ ସମୟ ଲାଗିଥିଲା। ଅଧିକାରୀ ଜଣକ କହିଛନ୍ତି କି ପୀଡ଼ିତ ତାଙ୍କ କାନ୍ଧକୁ ଧରିଥିଲେ ଓ ସେ ପହଁରି କରି କୂଳକୁ ଆସିଥିଲେ।  ପୀଡ଼ିତ ଜଣକ ହେଉଛନ୍ତି ଔରଙ୍ଗାବାଦ୍‌ର ଦୀଲିପ କୁମାର। ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲ୍‌କୁ ପଠାଯାଇଛି।

ସମ୍ବନ୍ଧିତ ଖବର