ଆତ୍ମଘୋଷିତ ବାବା ଆଶାରାମ୍‌ : ସାବରମତୀରୁ ଯୋଧପୁର ସେଣ୍ଟ୍ରାଲ ଜେଲ୍‌

ଅହମଦାବାଦ : ସାବରମତୀ ନଦୀ ତଟରେ ତପସ୍ୟାରୁ ନିଜ ଆଧ୍ୟାତ୍ମ ଜୀବନର ଯାତ୍ରା ଆରମ୍ଭ କରି ୧୦ ହଜାର କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟ ଛିଡ଼ା କରାଇଥିବା ଆଶାରାମ ବାପୁଙ୍କ ସମ୍ମାନ ମାଟିରେ ମିଶିଯାଇଛି। ଜଣେ ସଫଳ ଧର୍ମଗୁରୁରୁ ନାବାଳିକା ଦୁଷ୍କର୍ମକାରୀ ଭାବେ ଦୋଷୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଆଶାରାମଙ୍କ ଜୀବନ ଯାତ୍ରା ଅନେକ ରହସ୍ୟରେ ଭରପୂର। ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଯୋଧପୁରର ଏକ ଅଦାଲତ ତାଙ୍କୁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରିଥିବା ବେଳେ ତାଙ୍କ ବିରୋଧରେ ଆହୁରି ଅନେକ ଅପରାଧିକ ମାମଲା ରହିଛି। ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ୧୯୪୧ ମସିହା ଏପ୍ରିଲ ୧୭ ତାରିଖରେ ଜନ୍ମ ହୋଇଥିବା ଆଶାରାମ୍‌ଙ୍କ ମୂଳନାମ ଥିଲା ଅସୁମଲ୍‌ ସିରୁମଲାନି। ଦେଶ ବିଭାଜନ ହେବାପରେ ଆଶାରାମଙ୍କ ପରିବାର ପାକିସ୍ତାନରୁ ଗୁଜରାଟକୁ ଚାଲିଆସିଥିଲେ। ସେ ସମୟରେ ଆଶାରାମଙ୍କୁ ମାତ୍ର ୭ ବର୍ଷ ବୟସ ହୋଇଥିଲା। ସେତେବେଳେ ପାକିସ୍ତାନରୁ ଆସି ଅହମଦନଗରର ମଣିନଗରରେ ପରିବାର ରହିଥିଲେ। ଆଶାରାମଙ୍କ ପରିବାରରେ ଅଭାବ ଅନଟନ ଲାଗି ରହୁଥିଲା। ବାପାଙ୍କର ଦେହାନ୍ତ ହୋଇଯିବାପରେ ଆଶାରାମ୍‌ ତୃତୀୟ ଶ୍ରେଣୀରୁ ହିଁ ପଢ଼ା ଛାଡ଼ି ଦେଇଥିଲେ। ହେଲେ ଆଶାରାମ୍‌ଙ୍କ ସ୍ୱପ୍ନ ବଡ଼ ଥିଲା। ସେ ଜୀବନରେ ସଫଳ ହେବାକୁ ଚାହୁଥିଳେ। ଆଶାରାମ ତାଙ୍କ ମା’ଙ୍କ ଠାରୁ ପ୍ରଥମେ ଧ୍ୟାନ ଶିଖିଥିଲେ। ମାତ୍ର ୧୫ ବର୍ଷ ବୟସରେ ସେ ଘର ଛାଡ଼ି ଭାରୁଚର ଏକ ଆଶ୍ରମକୁ ଯାଇଥିଲେ ଏବଂ ପରେ ଅନ୍ୟ ଆଶ୍ରମଗୁଡ଼ିକରେ ମଧ୍ୟ କିଛି ବର୍ଷ କଟାଇଥିଲେ। ପରେ ପରିବାର ସଦସ୍ୟ ତାଙ୍କୁ ବୁଝାସୁଝା କରି ଘରକୁ ଫେରାଇ ଆଣି ତାଙ୍କର ବିବାହ କରାଇଥିଲେ।

୨୩ ବର୍ଷ ବୟସରେ ଆଶାରାମ ହିମାଳୟ ଯାତ୍ରା କରିଥିଲେ। ଏବଂ ନୈନିତାଲ୍‌ରେ ଲୀଲା ଶାହଜିଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ। ଲୀଲା ଶାହଜି ହିଁ ତାଙ୍କ ନାମ ଅସୁମଲ୍‌ ସିରୁମଲାନିରୁ ଆଶାରାମ ବାପୁ ଦେଇଥିଲେ। ୧୯୭୧ ମସିହାରେ ଆଶାରାମ୍‌ ଅହମଦାବାଦ୍‌ର ସାବରମତୀ ନଦୀ ତଟରେ ଏକ କ୍ଷୁଦ୍ର କୁଡ଼ିଆରେ ଅନେକ ଦିନ ଧରି ଧ୍ୟାନମଗ୍ନ ରହିଥିବା ଦେଖାଯାଇଥିଲା। ଏହାପରେ ସେ ପ୍ରବଚନ ଦେବା ଆରମ୍ଭ କରିଥିଲେ। କେତେକ ଧନୀ ଭକ୍ତଙ୍କ ସମର୍ଥନରେ ସେ ଅହମଦାବାଦ ନିକଟସ୍ଥ ମୋଟେରାରେ ୧୦ ଏକର ଜମିରେ ଏକ ଆଶ୍ରମ ଗଢ଼ିଥିଲେ। ଏହାପରେ ତାଙ୍କ ଭକ୍ତଙ୍କ ସଂଖ୍ୟା ବଢ଼ି ଚାଲିଲା। ଦୁଇ ଦଶନ୍ଧୀ ମଧ୍ୟରେ ବାବାଙ୍କର ଲକ୍ଷ ଲକ୍ଷ ଭକ୍ତ ବଢ଼ିଲେ ଏବଂ ଭାରତ ସମେତ ବିଦେଶରେ ଶହ ଶହ ଆଶ୍ରମ ନିର୍ମାଣ ହେଲା। ଏବେ ଆଶାରାମଙ୍କ ୪ ଶହ ଆଶ୍ରମ ରହିଥିବା ବେଳେ ତାଙ୍କ କାରବାର ସାମ୍ରାଜ୍ୟ ୧୦, ୦୦୦ କୋଟି ଟଙ୍କାରେ ପହଞ୍ଚିଛି। ଭାରତ ସମେତ ବିଦେଶରେ ବାବାଙ୍କର ପାଖାପାଖି ୨ କୋଟିରୁ ଊର୍ଦ୍ଧ୍ୱ ସମର୍ଥକ ଥିଲେ। ଧୀରେଧୀରେ ଭକ୍ତଙ୍କ ସଂଖ୍ୟା ବଢ଼ିବାରୁ ବାବା ରାଜନେତାମାନଙ୍କୁ ସତ୍‌ସଙ୍ଗ ଏବଂ ତାଙ୍କ ଧାର୍ମିକ ପ୍ରଚାର ସ୍ଥଳ ଆଡ଼କୁ ଆକର୍ଷିତ କରିଥିଲେ। ତାଙ୍କ ପତ୍ନୀ ଲକ୍ଷ୍ମୀ ଦେବୀ, ପୁଅ ନାରାୟଣ ସାଇ ଏବଂ ଝିଅ ତାଙ୍କୁ ତାଙ୍କ ଆଶ୍ରମ ଏବଂ ଅନ୍ୟ ବ୍ୟବସାୟ ସମ୍ଭାଳିବାରେ ସାହାଯ୍ୟ କରୁଥିଲେ। ତେବେ ୨୦୦୮ ମସିହାରେ ଆଶାରାମଙ୍କ ସମସ୍ୟା ଆରମ୍ଭ ହେଲା। ସେ ସମୟରେ ମୋଟେରା ସ୍ଥିତ ବାବାଙ୍କ ଆଶ୍ରମ ନିକଟସ୍ଥ ସାବରମତୀ ନଦୀ କୂଳରୁ ଦୁଇଜଣ ଆଶ୍ରମ ବାଳକ ଦିବେଶ ବାଘେଲା (୧୦) ଏବଂ ଅଭିିଷେକ ବାଘେଲା (୧୧)ଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ଗୁଣି ଗାରେଡ଼ି ପାଇଁ ବାବା ସେମାନଙ୍କୁ ହତ୍ୟା କରିଛନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଥିଲା ଏବଂ ମୃତ ଅଭିଷେକଙ୍କ ବାପା ଏନେଇ ଅଭିଯୋଗ କରି ଆମରଣ ଅନଶନ କରିଥିଲେ। ଗୁଜରାଟ ପୁଲିସ ଏହି ମାମଲାରେ ଆଶାରାମଙ୍କ ୭ ଜଣ ସମର୍ଥକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏବଂ ଏନେଇ ୨୦୧୨ ମସିହା ସେପ୍ଟେମ୍ବର ମାସରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲେ। ୨୦୧୩ ମସିହା ଅଗଷ୍ଟ ମାସରେ ଆଶାରାମଙ୍କ ବିରୋଧରେ ଜଣେ ଦଳିତ ନାବାଳିକା ଦୁଷ୍କର୍ମ ଅଭିଯୋଗ ଆଣିଲେ। ଏହା ସହିତ ଆଶାରାମଙ୍କ ‘ଅପକର୍ମ’ ନେଇ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହେଲା।

ସାଢ଼େ ୪ ବର୍ଷର ଶୁଣାଣି, ୩ ସାକ୍ଷୀଙ୍କୁ ହତ୍ୟା

ଆଶାରାମ୍‌ ବାପୁ ଦୁଷ୍କର୍ମ ମାମଲାରେ ୨୦୧୩ ମସିହାରୁ ଗିରଫ ହେବାଠାରୁ ତାଙ୍କ ବିରୋଧରେ ଚାଲିଥିବା ସାଢ଼େ ୪ ବର୍ଷର ବିଚାରପ୍ରକ୍ରିୟା ଭିତରେ ୩ ଜଣ ସାକ୍ଷୀଙ୍କୁ ହତ୍ୟା କରାଯାଇଛି ଏବଂ ଜଣେ ନିଖୋଜ ହୋଇଯାଇଛନ୍ତି। ଅନ୍ୟମାନଙ୍କୁ ମଧ୍ୟ ଧମକ ଚମକ ଦେବା ସହ ଆକ୍ରମଣ କରାଯାଇଛି। ୨୦୧୩ ମସିହା ଡିସେମ୍ବରେ ମାସରେ ଆଶାରାମ୍‌ଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ସୁରଟ୍‌ର ଜଣେ ମହିଳାଙ୍କ ସ୍ୱାମୀଙ୍କୁ ଛୁରି ମାଡ଼ ହୋଇଥିଲା। ୨୦୧୪, ମାର୍ଚ୍ଚରେ ଆସାରାମ୍‌ଙ୍କ ପୂର୍ବତନ ସମର୍ଥକ ଦିନେଶ ଭାବଚାନ୍ଦନିଙ୍କୁ ଏସିଡ୍‌ ମାଡ଼ ହୋଇଥିଲା। ମେ’ ୨୦୧୪ରେ ଆଶାରାମ୍‌ଙ୍କ ଆୟୁର୍ବେଦ ଡାକ୍ତର ଅମୃତ ପ୍ରଜାପତି ତାଙ୍କ ବିରୋଧରେ କୋର୍ଟରେ ସାକ୍ଷ୍ୟ ଦେବା ଫଳରେ ତାଙ୍କୁ ତାଙ୍କ କ୍ଲିନିକ୍‌ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ଜାନୁଆରି ୨୦୧୫ରେ ଆଶାରାମ୍‌ଙ୍କ ଅନ୍ୟ ଜଣେ ସହଯୋଗୀ ଏବଂ ରୋଷେୟା ଅଖିଳ ଗୁପ୍ତାଙ୍କୁ ୟୁପିର ମୁଜାଫରନଗରରେ ହତ୍ୟା କରାଯାଇଥିଲା। ଗୁପ୍ତା ମଧ୍ୟ ଆଶାରାମ୍‌ଙ୍କ ବିରୋଧରେ କୋର୍ଟରେ ସାକ୍ଷୀ ଭାବେ ହାଜର ହୋଇଥିଲେ। ଫେବ୍ରୁଆରି ୨୦୧୫ରେ ଆଶାରାମ୍‌ଙ୍କ ପୂର୍ବତନ ଆୟୁର୍ବେଦିକ୍‌ ଡାକ୍ତର ରାହୁଲ କେ ସଚିନ୍‌ଙ୍କୁ ଆକ୍ରମଣ ହୋଇଥିଲା। ୨୦୧୫ ମେ’ରେ ଦୁଇଜଣ ବ୍ୟକ୍ତି ଆଶାରାମ୍‌ଙ୍କ ପୂର୍ବତନ ସହଯୋଗୀ ମହେନ୍ଦ୍ର ଚାଓ୍ଵଲାଙ୍କୁ ଗୁଳି କରିଥିଲେ। ଚାଓ୍ଵଲା ଏହି ମାମଲାରେ ଷଷ୍ଠ ସାକ୍ଷୀ ଥିଲେ। ଜୁଲାଇ ୨୦୧୫ରେ ଏହି ମାମଲାରେ ଜଣେ ସାକ୍ଷୀ ସୁଧା ପାଠକ୍‌ ଭୟଭୀତ ହୋଇ ତାଙ୍କ ବୟାନ ବଦଳାଇ ଦେଇଥିଲେ।

ଘଟଣାକ୍ରମ

୧୫ ଅଗଷ୍ଟ ୨୦୧୩: ଆତ୍ମଘୋଷିତ ବାବା ଆଶାରାମ୍‌ ବାପୁ ତାଙ୍କର ଜଣେ ଭକ୍ତଙ୍କର ନାବାଳିକା ଝିଅକୁ ଯୋଧପୁର ସ୍ଥିତ ମନାଇ ଗ୍ରାମକୁ ଆଣିଥିଲେ। ଭୂତ ଛଡ଼ାଇବା ବାହାନାରେ ଆଶାରାମ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ।
୨୦ ଅଗଷ୍ଟ ୨୦୧୩: ଏହି ମାମଲାରେ ପୀଡ଼ିତା ପରିବାର ଦିଲ୍ଲୀ ପୁଲିସରେ ଅଭିଯୋଗ ଦାଏର କରିଥିଲେ।
୩୧ ଅଗଷ୍ଟ ୨୦୧୩: ଆଶାରାମ୍‌ ବାପୁ ଇନ୍ଦୋର୍‌ରୁ ଗିରଫ ହେଲେ ଏବଂ ଏହାପରେ ତାଙ୍କ ସମର୍ଥକମାନେ ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ।
୧ ସେପ୍ଟେମ୍ବର ୨୦୧୩: ପୁଲିସ ଗିରଫ କରିବାପରେ ଆଶାରାମ୍‌ ବାପୁଙ୍କୁ ଜେରା କରିଥିଲା। ଏସ୍‌ଏନ୍‌ ମେଡିକାଲ୍‌ କଲେଜ୍‌ରେ ପୋଟେନ୍‌ସି ଟେଷ୍ଟ୍‍ କରାଯାଇଥିଲା, ଯେଉଁଥିରୁ ଜଣାପଡ଼ିଥିଲା ଯେ ସେ ଯୌନକ୍ରିୟା କରିବାକୁ ସକ୍ଷମ।
୨ ସେପ୍ଟେମ୍ବର ୨୦୧୩: ଆଶାରାମଙ୍କୁ ନ୍ୟାୟିକ ହାଜତକୁ ପଠାଗଲା
ନଭେମ୍ବର ୬, ୨୦୧୩: ଯୋଧପୁର ପୁଲିସ ଆଶାରାମ୍‌ ଏବଂ ଅନ୍ୟ ୪ ଅଭିଯୁକ୍ତ ସଞ୍ଚିତା ଓରଫ ଶିଳ୍ପୀ, ଶରତ ଚନ୍ଦ୍ର, ପ୍ରକାଶ ଏବଂ ଶିବ ଓରଫ ସବାରାମ ହେତବାଦିୟାଙ୍କ ବିରୋଧରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା। ଆଇପିସିର ଧାରା ୩୪୨, ୩୭୬, ୫୦୬ ଏବଂ ୫୦୯ ଏବଂ ପୋକ୍ସୋ ଆଇନର ଧାରା ୮ରେ ମଧ୍ୟ ତାଙ୍କ ବିରୋଧରେ ମାମଲା ରୁଜୁ ହେଲା।
୭ ଫେବ୍ରୁଆରି ୨୦୧୪: ଦୁଷ୍କର୍ମ ଏବଂ ଅପରାଧିକ ଷଡ଼ଯନ୍ତ୍ର ପାଇଁ ଯୋଧପୁର କୋର୍ଟ ଆଶାରାମ୍‌ଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କଲେ।
୨୩ ମେ’ ୨୦୧୪: ଆଶାରାମ୍‌ଙ୍କ ବ୍ୟକ୍ତିଗତ ସହଯୋଗୀ ଅମୃତ ପ୍ରଜାପତି ତଥା ମାମଲାରେ ପ୍ରମୁଖ ସାକ୍ଷୀଙ୍କୁ ଗୁଳି କରାଯାଇଥିଲା। ଜୁନ୍‌ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା।
୧୩ ଫେବ୍ରୁଆରି ୨୦୧୫: ଦୁଷ୍କର୍ମ ମାମଲାରେ ଅନ୍ୟଜଣେ ସାକ୍ଷୀ ରାହୁଲ ସଚନଙ୍କୁ ଯୋଧପୁର କୋର୍ଟ ପରିସରରେ ଛୁରି ମାଡ଼ କରାଯାଇଥିଲା। ଏହାପରେ ଲକ୍ଷ୍ନୌର କୈସରବଗ୍‌ ବସ୍‌ ଷ୍ଟାଣ୍ଡ୍‌ରୁ ସେ ନିଖୋଜ ହୋଇଯାଇଥିଲେ।
୧୪ ମେ’ ୨୦୧୫: ସାକ୍ଷୀ ମହେନ୍ଦ୍ର ଚାଓ୍ଵଲା ଯିଏ ୨୦୦୧ରୁ ୨୦୦୫ ମସିହା ମଧ୍ୟରେ ଆଶାରାମ୍‌ଙ୍କ ବ୍ୟକ୍ତିଗତ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ ତାଙ୍କୁ ପାନିପତ୍‌ ସ୍ଥିତ ତାଙ୍କ ଗୃହରେ ଗୁଳି କରି ହତ୍ୟା କରାଯାଇଥିଲା।
୧୦ ଜୁନ୍‌ ୨୦୧୫: ଆଶାରାମ୍‌ଙ୍କ ବିରୋଧରେ ସାକ୍ଷୀ ରହିଥିବା କ୍ରିପାଲ ସିଂହଙ୍କୁ ଶାହଜାହାନପୁରରେ ଗୁଳି କରି ହତ୍ୟା କରାଯାଇଥିଲା।
୨୨ ଜୁନ୍‌ ୨୦୧୬: ଆଶାରାମ୍‌ ବାପୁଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଚାରିଟେବଲ୍‌ ଟ୍ରଷ୍ଟ୍‍ର ଆୟକର ବିଭାଗ ତଦନ୍ତରୁ ଜଣାପଡ଼ିଥିଲା ଯେ ୨୦୦୮-୦୯ ମଧ୍ୟରେ ଆଶାରାମ୍‌ଙ୍କ ଅଘୋଷିତ ଆୟ ୨୩୦୦ କୋଟି ଟଙ୍କା ଥିଲା।
ଅଗଷ୍ଟ ୪, ୨୦୧୬: ଯୋଧପୁର ଜେଲ୍‌ ପରିସରକୁ ବିଚାରପ୍ରକ୍ରିୟା ସ୍ଥାନାନ୍ତର କରିବାପାଇଁ ପୁଲିସ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରିଥିଲା।
୭ ଏପ୍ରିଲ ୨୦୧୮: ସ୍ୱତନ୍ତ୍ର ବିଚାରପତି ମଧୁସୂଦନ ଶର୍ମାଙ୍କ ଅଦାଲତରେ ଏହି ମାମଲାର ଶେଷ ଶୁଣାଣି ହୋଇଥିଲା। କୋର୍ଟ ରାୟ ଘୋଷଣା ପାଇଁ ଏପ୍ରିଲ ୨୫ ତାରିଖକୁ ଧାର୍ଯ୍ୟ କରିଥିଲେ।
୧୭ ଏପ୍ରିଲ ୨୦୧୮: ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ରୁ ହିଁ ରାୟ ଶୁଣାଣି ପାଇଁ ରାଜସ୍ଥାନ ହାଇକୋର୍ଟ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ।
୨୫ ଏପ୍ରିଲ ୨୦୧୮: ୭୭ ବର୍ଷୀୟ ଧର୍ମଗୁରୁ ଆଶାରାମ୍‌ ବାପୁ ଆଜି ସ୍ୱତନ୍ତ୍ର ଅଦାଲତରେ ଦୋଷୀସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେଲେ। ଯୋଧପୁର ସେଣ୍ଟ୍ରାଲ ଜେଲ୍‌ର ଅସ୍ଥାୟୀ ଅଦାଲତରେ ସ୍ୱତନ୍ତ୍ର ବିଚାରପତି ମଧୁସୂଦନ ଶର୍ମାଙ୍କ ଦ୍ୱାରା ଆଶାରାମ୍‌ଙ୍କ ବିରୋଧରେ ରାୟ ପ୍ରକାଶ ହୋଇଛି।

ସମ୍ବନ୍ଧିତ ଖବର