ଜାଣନ୍ତୁ, ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ହେଲେ କିପରି ପାଇବେ ବୀମା ସୁବିଧା!

ବର୍ତ୍ତମାନ ସମାଜରେ ବିଭିନ୍ନ ପ୍ରକାରର ବୀମା ଯୋଜନା କାର୍ଯ୍ୟକାରୀ ହେଉଛି। ଯେପରିକି ଜୀବନ ବୀମା, ଘରର ବୀମା, ଦୋକାନର ବୀମା ଓ ଫୋନର ବୀମା ଇତ୍ୟାଦି। କିନ୍ତୁ ଆମେ ଦୈନନ୍ଦିନ ବ୍ୟବହାର କରୁଥିବା ଗ୍ୟାସ ସିଲିଣ୍ଡରରେ ମଧ୍ୟ ବୀମା ସୁବିଧା ରହିଛି। ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ହେଲେ ଏହି ବୀମା ସୁବିଧା ମିଳିଥାଏ। ସୂଚନା ଅଭାବରୁ ଅନେକ ଗ୍ରାହକ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ। ସବୁଠୁ ବଡ଼ କଥା ହେଲା, ଏହି ବୀମା ସୁବିଧା ଗ୍ରାହକଙ୍କୁ ମାଗଣାରେ ଉପଲବ୍ଧ କରାଯାଇଥାଏ। ଆସନ୍ତୁ ଜାଣିବା କିଭଳି ଭାବେ ଏହି ସୁବିଧା ପାଇପାରିବେ।

ଗ୍ୟାସ ସିଲିଣ୍ଡରରେ ମିଳିଥାଏ ବୀମା ସୁବିଧା :

ଗ୍ୟାସ ସିଲିଣ୍ଡର ମୋଟ ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ମିଳିଥାଏ। ସମସ୍ତ ପଞ୍ଜୀକୃତ ଉପଭୋକ୍ତାଙ୍କୁ ଏହି ବୀମା ସୁବିଧା ମିଳିଥାଏ। ପଞ୍ଜୀକୃତ ହୋଇଥିବା ଘରେ ଗ୍ୟାସ ସିଲିଣ୍ଡର ଦୁର୍ଘଟଣା ହେଲେ ଏହି ବୀମା ସୁବିଧା ମିଳିଥାଏ। ଏହି ବୀମା ସୁବିଧାର ଲାଭ ପରିବାରର ସମସ୍ତ ସଦସ୍ୟଙ୍କୁ ମିଳିଥାଏ। ଏହାଛଡ଼ା ଗ୍ୟାସ ଦୁର୍ଘଟଣାରେ ମୃତ୍ୟୁ ହେଲେ ପରିବାର ଲୋକ କ୍ଷତିପୂରଣ ପାଇଁ ଅଦାଲତର ଆଶ୍ରୟ ନେଇପାରିବେ। ଅଦାଲତରେ ଗ୍ୟାସ ଦୁର୍ଘଟଣାରେ ଆହତ କିମ୍ବା ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ବୟସ, ଦରମା ଓ ଅନ୍ୟାନ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି କ୍ଷତିପୂରଣ ବାବଦକୁ କେତେ ଟଙ୍କା ଦିଆଯିବ ତାହା ସ୍ଥିର କରିଥାନ୍ତି ।

କ୍ଷତିପୂରଣ ପାଇବାକୁ କଣ କରିବାକୁ ପଡ଼ିବ :

ଯଦି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡରକୁ ନେଇ କୌଣସି ଦୁର୍ଘଟଣା ହୋଇଥାଏ, ତେବେ ସର୍ବପ୍ରଥମେ ଏହାର ସୂଚନା ପୁଲିସ ଥାନାରେ ଦେବା ଆବଶ୍ୟକ। ଏହାଛଡ଼ା ଗ୍ୟାସ ପ୍ରଦାନ କରୁଥିବା ବିତରକଙ୍କୁ ମଧ୍ୟ ପାଞ୍ଚ ଦିନ ମଧ୍ୟରେ ଦୁର୍ଘଟଣା ବାବଦରେ ସୂଚନା ଦେବାକୁ ପଡ଼ିବ। ଏହାପରେ ଡ଼ିଷ୍ଟିବ୍ୟୁଟର ବା ବିତରକ ସମ୍ପୃକ୍ତ କମ୍ପାନି ଓ ବୀମା କମ୍ପାନିକୁ ସୂଚନା ଦେଇଥାନ୍ତି। ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲେ ଜରୁରୀ ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ପଡ଼ିଥାଏ। ଏହାପରେ ମାମଲାଟି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଯାଇଥାଏ। ସେଠାରୁ ଏହି ରିପୋର୍ଟ ବୀମା କମ୍ପାନିକୁ ଦିଆଯାଇଥାଏ।

ବୀମା ପାଇବାକୁ ପୂରଣ କରିବାକୁ ପଡ଼ିଥାଏ କିଛି ସର୍ତ୍ତ :

ସର୍ତ୍ତ ଅନୁଯାୟୀ, ଆପଣଙ୍କ ଘରେ ବ୍ୟବହାର ହେଉଥିବା ଗ୍ୟାସ ସଂଯୋଗ ବୈଧ ହୋଇଥିବା ଆବଶ୍ୟକ। ଏହାଛଡ଼ା ଗ୍ରାହକ ଆଇଏସଆଇ ମାର୍କ ଥିବା ଗ୍ୟାସ ଚୁଲା ଉପଯୋଗ କରିବା ନିହାତି ଆବଶ୍ୟକ। ଏପରିକି ଗ୍ୟାସ ଏଜେନ୍‌ସି ଠାରୁ ମିଳୁଥିବା ପାଇପ-ରେଗୁଲେଟର ଗ୍ରାହକ ବ୍ୟବହାର କରୁଥିବେ। ଗ୍ୟାସ ସଂଯୋଗ ହୋଇଥିବା ସ୍ଥାନରେ ଖୋଲା ବିଦ୍ୟୁତ ତାର ନଥିବ। ଗ୍ୟାସ ଚୁଲା ଓ ସିଲିଣ୍ଡର ରଖିବା ପାଇଁ ଉଚ୍ଚ ସ୍ଥାନ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର