ଏପ୍ରିଲ୍‌ ୧୦ ତାରିଖ: ଆନ୍ତର୍ଜାତିକ ସେଫ୍‌ଟି ପିନ୍‌ ଦିବସ

ଗତକାଲି ଅର୍ଥାତ୍‌ ଏପ୍ରିଲ୍‌ ୧୦ ତାରିଖ ଥିଲା ଆନ୍ତର୍ଜାତିକ ସେଫ୍‌ଟି ପିନ୍‌ ଦିବସ। ଏହି ଦିବସଟି ଅଣଆନୁଷ୍ଠାନିକ ହୋଇଥିବାରୁ ଏହାର ପ୍ରଚାର ପ୍ରସାର ଉପରେ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। ସେଫଟି ପିନ୍‌ ଅତି ସରଳିଆ ଦିଶୁଥିଲେ ଏହା ଏକ ଚତୁର ଉଦ୍ଭାବନ। ପିନ୍ଧା ଲୁଗାକୁ ଜାକି ଏକତ୍ର ସିଇଁକରି ରଖିବା ପାଇଁ ମୁଖ୍ୟତଃ ସେଫ୍‌ଟି ପିନ୍‌ ବ୍ୟବହାର କରାଯାଏ। ଲୁଗାପଟା ସାଜସଜାରେ ମଧ୍ୟ ଏହା କେବେ କେମିତି ବ୍ୟବହାର କରାଯାଏ। ଉଦ୍ଭାବନ ଠାରୁ ଆଜି ଯାଏଁ ସେଫ୍‌ଟି ପିନ୍‌ର ଡିଜାଇନ୍‌ରେ ବିଶେଷ କୌଣସି ପରିବର୍ତ୍ତନ ହୋଇ ନାହିଁ।

ଆନ୍ତର୍ଜାତିକ ସେଫ୍‌ଟି ପିନ୍‌ ଦିବସର ସୃଷ୍ଟି ଓ କାରଣ କଥା ଏବେ କାହାକୁ ଜଣା ନାହିଁ। ସମ୍ଭବତଃ ସେଫ୍‌ଟି ପିନ୍‌ର ପ୍ରତିଷ୍ଠାତା ଓ୍ଵାଲ୍‌ଟର୍‌ ହଣ୍ଟ୍‌ ଏପ୍ରିଲ୍‌ ୧୦ ତାରିଖ ୧୮୪୯ ମସିହାରେ ଏଥିପାଇଁ ପେଟେଣ୍ଟ୍‌ ପାଇଥିବାରୁ ଏହାକୁ ‘ସେଫ୍‌ଟି ପିନ୍‌’ ଦିବସ ଭାବେ ଗ୍ରହଣ କରାଯାଏ। ଓ୍ଵାଲ୍‌ଟର୍‌ ହଣ୍ଟ୍‌ ହେଉଛନ୍ତି ଜଣେ ଆମେରିକୀୟ ମେକାନିକ୍‌। ତାଙ୍କର ଜଣେ ବନ୍ଧୁଙ୍କ ଠାରୁ ଉଧାର ଆଣିଥିବା ୧୫ ଡଲାର୍‌ ପରିଶୋଧ କରିବାକୁ ସେ ଏହି ଡିଜାଇନ୍‌ କରିଥିଲେ। ବିଶ୍ୱାସ କରାଯାଏ, ଖଣ୍ଡେ ୮ ଇଞ୍ଚ୍‌ ଲମ୍ବ ପିତଳ ତାର ମୋଡ଼ାମୋଡ଼ି କରୁ କରୁ ସେ ଦୈବାତ୍‌ ସେଫ୍‌ଟି ପିନ୍‌ କରି ପକାଇଥିଲେ। ସେ ସମୟ ଓ୍ଵାଲ୍‌ଟ୍‌ ସେଫ୍‌ଟି ପିନ୍‌ ପାଇଁ କୌଣସି ପ୍ରସିଦ୍ଧି କିଂବା ଅର୍ଥ ପାଇ ନ ଥିଲେ। ତେଣୁ ସେ ୪୦୦ ଡଲାର୍‌ରେ ଏହାର ପେଟେଣ୍ଟ୍‌ ଡବ୍ଲୁ. ଆର୍‌. ଗ୍ରେସ୍‌ ଆଣ୍ଡ୍‌ କମ୍ପାନିକୁ ବିକ୍ରୟ କରି ଦେଇଥିଲେ। ଋଣ ପରିଶୋଧ କରିବା ପରେ ବାକି ଅର୍ଥ ହଣ୍ଟ୍‌ ନିଜ ପାଖରେ ରଖିଥିଲେ। ପରେ ଡବ୍ଲୁ. ଆର୍‌. ଗ୍ରେସ୍‌ ଆଣ୍ଡ୍‌ କମ୍ପାନି ତାଙ୍କର ଏହି ସରଳ ଉଦ୍ଭାବନରୁ କୋଟି କୋଟି ଟଙ୍କା ଲାଭ କରିଥିଲା।

ଆନ୍ତର୍ଜାତିକ ସେଫ୍‌ଟି ପିନ୍‌ ଦିବସ ପାଳନ କରିବାର ତାତ୍ପର୍ଯ୍ୟ ହେଉଛି: ବିଶ୍ୱର ସମସ୍ତ କ୍ଷୁଦ୍ରାତିକ୍ଷୁଦ୍ର ଜିନିଷ ପ୍ରତି ମଧ୍ୟ ସମସ୍ତେ କୃତଜ୍ଞ ରହିବା ଉଚିତ।

ସମ୍ବନ୍ଧିତ ଖବର