‘ସୁକନ୍ୟା ସମୃଦ୍ଧି ଯୋଜନା’ରେ ନିବେଶ କରନ୍ତୁ, ୨୧ ବର୍ଷ ପରେ ମିଳିବ ୬୪ ଲକ୍ଷ ଟଙ୍କା!

ଝିଅମାନଙ୍କ ଉଜ୍ଜଳ ଭବିଷ୍ୟତ, ପାଠପଢ଼ା ଓ ବାହାଘର ଖର୍ଚ୍ଚ ନେଇ ଅଧିକାଂଶ ବାପା ମା’ ଚିନ୍ତିତ ଥାଆନ୍ତି। ସେମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବାପାମା’ମାନେ ପ୍ରତିମାସରେ କିଛି କିଛି ଟଙ୍କା ସଞ୍ଚୟ କରି ରଖିଥାନ୍ତି। ଯାହାଫଳରେ ଭବିଷ୍ୟତ ସୁରକ୍ଷିତ ରହିପାରିବ। ତେବେ ବାଳିକାମାନଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ‘ସୁକନ୍ୟା ସମୃଦ୍ଧି ଯୋଜନା’ ପ୍ରଣୟନ କରିଛନ୍ତି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଝିଅମାନଙ୍କର ଭବିଷ୍ୟତ ପାଇଁ ପିତାମାତାଙ୍କ ଦ୍ୱାରା ନିବେଶ।

ଏହି ଯୋଜନାର ଲାଭ କେବଳ ସେଇମାନେ ପାଇପାରିବେ ଯେଉଁମାନେ ଭାରତରେ ଜନ୍ମ ହୋଇଥିବେ ଏବଂ ଭାରତରେ ରହୁଥିବେ। ଭାରତ ବାହାରେ ରହୁଥିବା ବାଳିକାମାନେ ଏହି ଯୋଜନାର ଲାଭ ପାଇପାରିବେ ନାହିଁ। ଏହି ଯୋଜନା କେବଳ ୧୦ ବର୍ଷରୁ କମ୍‌ ବୟସର ବାଳିକାମାନଙ୍କ ଲାଗି ଉଦ୍ଦିଷ୍ଟ।

ଏହି ଯୋଜନାରେ ଯଦି ନିୟମିତି ଭାବେ ୧୨,୫୦୦ ଟଙ୍କା ଲେଖାଏଁ ପ୍ରତି ମାସରେ ଜମା କରିବେ ତେବେ ଖାତାର ଅବଧି ପୂରଣ ହେବାପରେ ୬୪.୮୦ ଲକ୍ଷ ଟଙ୍କା ମିଳିବ। ଯେକୌଣସି ବ୍ୟକ୍ତି ନିଜର ଦୁଇଜଣ ଝିଅଙ୍କ ପାଇଁ ଏହି ଯୋଜନାରେ ଖାତା ଖୋଲିପାରିବେ। ସବୁଠୁ ବଡ଼ କଥା ହେଲା ଏହି ଯୋଜନାରେ ଅନ୍ୟ ସ୍କିମ ଠାରୁ ଅଧିକ ସୁଧ ମିଳିଥାଏ।

ଆୟକର ଛାଡ଼ : କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ନିବେଶ କରାଯାଉଥିବା ଟଙ୍କା ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ। ଆୟକର ଧାରା ୮୦ସି ଅନୁଯାୟୀ, ଏହି ଯୋଜନାରେ ଜମା କରାଯାଉଥିବା ଟଙ୍କା ଉପର ଆୟକର ରିହାତି ମଧ୍ୟ ମିଳିଥାଏ। ଏହି ଖାତକୁ ସର୍ବାଧିକ ୧୪ ବର୍ଷ ଯାଏଁ ଚଳାଇ ହେବ।

ଏହି ଯୋଜନା ଅନୁଯାୟୀ, ବର୍ଷକୁ ସର୍ବାଧିକ ୧.୫ ଲକ୍ଷ ଟଙ୍କା ଜମା କରାଯାଇପାରିବ। ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ସୁକନ୍ୟା ଯୋଜନାରେ ଖାତା ଖୋଲିବା ସହ ଜମା ରାଶି ଉପରେ ୮.୩ ପ୍ରତିଶତ ସୁଧ ହାସଲ କରିପାରିବେ। ପ୍ରତି ୬ ମାସରେ ସୁଧ ମିଳିଥାଏ, ଯାହାଫଳରେ ଅନ୍ୟ ଜମାରାଶି ଠାରୁ ଏଥିରେ ଅଧିକ ରିଟର୍ଣ୍ଣ ମିଳିଥାଏ।

୧୪ ବର୍ଷ ପର୍ଯ୍ୟନ୍ତ ୧.୫ ଲକ୍ଷ ଟଙ୍କା ଜମା କଲେ ୧୫ ବର୍ଷ ବେଳକୁ ଏହା ୪୦ ଲକ୍ଷ ଟଙ୍କାରେ ପହଞ୍ଚିଥିବ। ଏହି ଜମା ରାଶିକୁ ଖାତା ଖୋଲିବାର ୨୧ ବର୍ଷ ଯାଏଁ ଉଠା ନଯାଏ ତେବେ ଯୋଜନାର ଅବଧି ଶେଷ ହେବା ବେଳକୁ ୬୪.୮ ଲକ୍ଷ ଟଙ୍କା ଜମାକାରୀଙ୍କୁ ମିଳିବ। ଏହାଛଡ଼ା ଆକାଉଣ୍ଟକୁ ଝିଅଙ୍କ ବିବାହ ବୟସ ୧୮ ବର୍ଷରେ ମଧ୍ୟ ବନ୍ଦ କରାଯାଇପାରିବ। ଯଦି ଏପରି କରୁନାହାନ୍ତି ତେବେ ଝିଅକୁ ୨୧ ବର୍ଷ ହେବା ପରେ ଏହି ଯୋଜନାର ଆପଣାଛାଏଁ ଅବଧି ପୂରଣ ହୋଇଯିବ। ସେହିଭଳି ବର୍ଷକୁ ସର୍ବନିମ୍ନ ୧୦୦୦ ଟଙ୍କା ଡିପୋଜିଟ ମଧ୍ୟ କରାଯାଇପାରିବ ଏବଂ ଜମା ରାଶି ଅନୁଯାୟୀ ସୁଧ ମିଳିବା ସହ ମାଚ୍ୟୁରିଟି ଟଙ୍କା ମଧ୍ୟ ମିଳିବ। ତେବେ ଝିଅ ଜନ୍ମ ହେବାର ୧୦ ବର୍ଷ ମଧ୍ୟରେ ହିଁ ଏହି ଆକାଉଣ୍ଟ ଖୋଲାଯାଇପାରିବ।

ସମ୍ବନ୍ଧିତ ଖବର