ସହିଦଙ୍କ ସ୍ମୃତିରେ ୧୯୬୨ରେ ଆରମ୍ଭ ହୋଇଥିଲା ସହିଦନଗରର ପରକଳ୍ପନା। ୧୯୬୬ରେ ୩୧୩ ନମ୍ବର ପ୍ଲଟ୍ରେ ନିତ୍ୟାନନ୍ଦ ଦେ’ ପ୍ରଥମେ ଘର କରିବା ପରେ ବଢ଼ିଥିଲା ନଗରର କଳେବର। ଘର ବଢ଼ିବାରୁ ବଜାରର ଆବଶ୍ୟକତା ପଡ଼ିଲା। ଏବେ ଭବାନୀ ମଲ୍ ଛିଡ଼ା ହୋଇଥିବା ସ୍ଥାନରେ ସେତେବେଳ କାଁ ଭାଁ ପରିବା ବେପାରୀଙ୍କୁ ନେଇ ଆରମ୍ଭ ହୋଇଥିଲା ଛୋଟିଆ ହାଟ। ୧୯୬୮ରେ ଦୁଇ ଚାରି ଜଣ ବ୍ୟବସାୟୀଙ୍କୁ ନେଇ ଗଢ଼ି ଉଠିଥିବା ଏହି ହାଟଟି ବଢ଼ିବଢ଼ି ୩୦୦ ବ୍ୟବସାୟୀଙ୍କ ବେଉସାର ସ୍ଥାନ ପାଲଟିଥିଲା। ଯେବେ ଏହି ଅଞ୍ଚଳକୁ କାହାର କେହି ସମ୍ପର୍କୀୟ ଆସୁଥିଲେ ତେବେ ତାଙ୍କୁ ବାଟ ବତେଇଦେବା ପାଇଁ ଏହି ହାଟ ଲ୍ୟାଣ୍ଡ୍ ମାର୍କ ପାଲଟିଥିଲା ବୋଲି କୁହନ୍ତି ସହିଦନଗର ଦୁର୍ଗାପୂଜା ସମିତିର ସମ୍ପାଦକ ନାରାୟଣ ମହାପାତ୍ର। ଖାଲି ସହିଦନଗର ନୁହେଁ ରସୁଲଗଡ଼, ବମିଖାଲ, ବାଣୀବିହାର, ୯ନମ୍ବର, ସତ୍ୟନଗର ଓ ପଳାସୁଣିରୁ ବି ଲୋକ ଆସି ଏଇ ହାଟରୁ ସଉଦା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଧୁନିକ ମଲ୍ ଗଢ଼ି ଉଠିବା ପରେ ହାଟର ଚମକ ଟିକେ କମିଗଲା। ମେଘଦୂତ ହୋଟେଲ୍ (ଏବେ-ଏମ୍ପାୟାର୍ସ) ସ୍ଥାପନ ପରଠୁ ଏହି ଅଞ୍ଚଳ ବ୍ୟବସାୟିକ ନଗରରେ ପରିଣତ ହୋଇଛି। କମ୍ପ୍ୟୁଟର ତଥା ଆଇଟି ବ୍ୟବସାୟିକ ହବ୍ ଭାବେ ଏହା ନୂ୍ଆ ପରିଚୟ ପାଇଛି ସହିଦନଗର। କେବଳ ଭୁବନେଶ୍ବର କି ଉପକଣ୍ଠରେ ନୁହେଁ, ପୁରୀ, ଖୋର୍ଧା, ଜଟଣୀ ଏପରିକି କଟକରୁ ମଧ୍ୟ କମ୍ପ୍ୟୁଟର, ଲାପ୍ଟପ୍ ଓ ହାର୍ଡୱେର୍ ସାମଗ୍ରୀ କିଣିବା ପାଇଁ ଆସନ୍ତି। ଯାହା ସାରା ଓଡ଼ିଶାରେ କେଉଁଠି ନମିଳେ ତାହା ଏହି ସହିଦନଗରରେ ମିଳେ। କମ୍ପ୍ୟୁଟର ଜନିତ ସମସ୍ତ ସାମଗ୍ରୀ ସହ ପ୍ରାୟ ସବୁ ବଡ଼ବଡ଼ କମ୍ପାନିର ଡିଲରସିପ୍ ନେଇଥିବା ବ୍ୟବସାୟୀମାନଙ୍କର ହୋଲ୍ସେଲ୍ ସୋ’ରୁମ୍ ବି ଏଠାରେ ରହିଛି। ୬୦ରୁ ଅଧିକ କମ୍ପ୍ୟୁଟର ସୋ’ ରୁମ୍ ସହ କମ୍ପ୍ୟୁଟର ମରାମତି ପାଇଁ ମଧ୍ୟ ଏହା ଉତ୍କୃଷ୍ଟ ସ୍ଥାନ। ଆଇଟିକୁ ଛାଡ଼ି ଅପ୍ଟିକାଲ୍ସ (ଚଷମା) ପାଇଁ ମଧ୍ୟ ଏହା ଏକ ଉତ୍କୃଷ୍ଟ ସ୍ଥଳ ପାଲଟିଛି। ଏହା ବ୍ୟତୀତ ଭବାନୀ ମଲ୍, ଆଇନକ୍ସ, ଜଗନ୍ନାଥ ମଡିକାଲ୍ ସମେତ ଖରାଦିନିଆ ଲସି ପାଇଁ ଲିଙ୍ଗରାଜ ଲସି ନିକଟରେ ଭିଡ଼ ଦେଖିବାକୁ ମିଳେ।