ଜଗତ ଜଗନ୍ନାଥ ମୟ

କୁହାଯାଇଛି- ‘‘ସୁହୃଦଂ ସର୍ବଭୂତାନାମ୍‌’’। ପରାମାତ୍ମା ନିରନ୍ତର ନିଜ ଆଡ଼କୁ ସମସ୍ତଙ୍କୁ ଟାଣୁଛନ୍ତି, ଡାକୁଛନ୍ତି। ମୁଁ ସମସ୍ତଙ୍କ ହୃଦୟରେ ତିଷ୍ଠି ରହିଛି, ସମସ୍ତ ହୃଦୟରେ ବିରାଜମାନ, ସର୍ବସ୍ୟ ଚାହଂ ହୃଦି ସଂନିବିଷ୍ଟଃ… ଏଣୁ ସେ ସର୍ବଘଟରେ ସମାନ ଭାବରେ ରହିଛନ୍ତି। ଯିଏ ନିତ୍ୟ ନିରନ୍ତର ଅଛନ୍ତି ତାଙ୍କୁ ହିଁ ପ୍ରାପ୍ତି କରିବାକୁ ହେବ। ସେ ଦିଗ ପ୍ରତି ଆମର ତୀକ୍ଷ୍‌ଣ ଦୃଷ୍ଟି ନାହିଁ- ତେଣୁ ସେ ଦୂରେଇ ଯାଉଛନ୍ତି। ତେଣୁ ତ ତାଙ୍କ ଆମ ଭିତରେ ପ୍ରଭେଦ ବେଶ୍‌ ପ୍ରତୀୟମାନ ହେଉଛି। ଶରୀର, ମନ, ବୁଦ୍ଧି, ଇନ୍ଦ୍ରିୟ ପ୍ରଭୃତି ତ ନିଜର ନୁହନ୍ତି। ଏ ସବୁ ପରାମାତ୍ମାଙ୍କର।

ଭଗବାନ ସଦା ଆମର ମାଆଠାରୁ ଅଧିକ ଆପଣାର। ସେ ଆମର ମାତା, ପିତା, ଭାଇ ବଂଧୁ ଓ କୁଟୁମ୍ବ। ଭଗବାନ ଓ ଭକ୍ତଙ୍କର ଅଭେଦ ସଂପର୍କ, ତେଣୁ ତ ଶଙ୍ଖ କ୍ଷେତ୍ରରେ ଏ ଅପୂର୍ବ ଘୋଷଯାତ୍ରା- ଭକ୍ତଙ୍କୁ ନିଜର କରିବାର ଏ ଯାତ୍ରା।

ସେ ଡାକୁଛନ୍ତି ବଡ଼ଦାଣ୍ଡରେ ରଥ ଉପରେ ବସିଛନ୍ତି। ତେଣୁ ଏ ଯାତ୍ରାର ପ୍ରାଧାନ୍ୟ ସ୍ୱୀକାର କରି କୁହାଯାଇଛି-
‘‘ସବୁ ଯାତ ବାରେ ରଥ ଯାତ ସାର
ବରଷକେ ଥରେ ଆସେ
ରତନ ବେଦୀକୁ ତେଜି ତିନି ଦିଅଁ
ଆସନ୍ତି ଭକତ ପାଶେ।’’

ସାଧାରଣ ମଣିଷ ପରି ମିଶିବାର ଆନନ୍ଦକୁ ଦ୍ୱିଗୁଣିତ କରି ସେମାନଙ୍କର ସୁଖଦୁଃଖରେ ଭାଗୀ ହେବା ପାଇଁ ତାଙ୍କର ଏ ଯାତ୍ରା ହେଉଛି ମହାମିଳନ ଯାତ୍ରା। ଏହି ଯାତ୍ରାର ବିଭିନ୍ନ ନାମକରଣ ମଧ୍ୟ କରାଯାଇଛି। ସେ ଗୁଡ଼ିକ ହେଲା ଗୁଣ୍ଡିଚା ଯାତ୍ରା, ଘୋଷ ଯାତ୍ରା, ପତିତପାବନ ଯାତ୍ରା, ଦଶାବତାର ଯାତ୍ରା, ଦକ୍ଷିଣାଭିମୁଖୀ ଯାତ୍ରା, ଅନ୍ତର୍ବେଦୀ ମହୋତ୍ସବ, ଆଡ଼ପ ଯାତ୍ରା, ନବଦିନାତ୍ମକ ଯାତ୍ରା ଇତ୍ୟାଦି। ଏହି ଯାତ୍ରା ସମୟରେ ସେ ଏକାଧାରରେ ଦଶାବତାର ରୂପ ଧାରଣ କରିଥାନ୍ତି, ତେଣୁ ଏଇ ଯାତ୍ରା ଦଶାବତାର ଯାତ୍ରା ନାମରେ ଖ୍ୟାତ।

ପ୍ରଭୁଙ୍କର ରଥଯାତ୍ରା ସମୟରେ କସ୍ତୁରୀ ଲାଗି ବେଳେ ମୀନ ଅବତାର, ତୂଳୀ ଲାଗି ବେଳେ କୁର୍ମାବତାର, କାନୁଧରୀଲାଗି ବେଳେ ଯଜ୍ଞବରାହ ଅବତାର, ସେନାପଟା ବାହୁଟି ଲଗାଇଲା ବେଳେ ନରସିଂହ ଅବତାର। ରଥାରୂଢ଼ ବେଳେ ବାମନ ଅବତାର, ଆଡ଼ପ ତୋର ଲାଗି ବେଳେ ପରଶୁରାମ ଅବତାର, ଆଡ଼ ପରିଖାରେ ରାଘବେନ୍ଦ୍ର ଅବତାର, ଆଡ଼ପରସ ତଥା ହୀରୋତ୍ସବରେ ବ୍ରଜେନ୍ଦ୍ର ନନ୍ଦନ ଅବତାର ଧାରଣ କରି ଜନମନକୁ ହରଣ କରନ୍ତି। ରଥାରୂଢ଼ ଶ୍ରୀ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ସର୍ବ ପାପ କ୍ଷୟ ହୁଏ ବୋଲି କୁହାଯାଇଥାଏ-
କୁହାଯାଏ- ଦୋଳେନ ଦୋଳ ଗୋବିନ୍ଦଂ
ଚାପେଚ ମଧୁସୂଦନମ୍‌
ରଥେତୁ ବାମନଂ ଦୃଷ୍ଟ୍ଵା
ପୁନର୍ଜନ୍ମ ନ ବିଦ୍ୟତେ।’’

ସେ ହେଉଛନ୍ତି ପୂର୍ଣ୍ଣର ପ୍ରତୀକ। ସେ ଶୂନ୍ୟ ପୁଣି ସେ ପୂର୍ଣ୍ଣ। ଏ ଯାତ୍ରାରେ ପ୍ରଭୁଙ୍କର ଶୌର୍ଯ୍ୟ, ଗାମ୍ଭୀର୍ଯ୍ୟ, ମାଧୁର୍ଯ୍ୟ, ଔଦାର୍ଯ୍ୟ ସବୁ କିଛି ପ୍ରକଟିତ ହୋଇଥାଏ। ସେ ପୁଣି ଅନାଥର ନାଥ, ଦୀନବଂଧୁ, ସେ ପୁଣି ରାଜାଧିରାଜ ସମ୍ରାଟ।

ନିର୍ଗୁଣ ବ୍ରହ୍ମର ପ୍ରତୀକ ଶ୍ରୀ ଶ୍ରୀ ଜଗନ୍ନାଥ ସକଳ ଶକ୍ତିର ଆଧାର। ସେ ସତ୍ୟ, ଶିବ, ସୁନ୍ଦରର ଅପୂର୍ବ, ଅନନ୍ୟ ଲୀଳାମୟ ପୁରୁଷ। ବିଶ୍ୱପ୍ରେମ, ଶାନ୍ତି, ମୈତ୍ରୀ, ମୁକ୍ତି ଚେତନା ଓ ଅନନ୍ତ ବ୍ୟାପ୍ତିର ସେ ପ୍ରତୀକ।

ପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବ ବ୍ୟାପକ। ତାଙ୍କର ଆଦି ନାହିଁ କି ଅନ୍ତ ନାହିଁ। ତେଣୁ ସେ ଅନାଦି ଅନନ୍ତ ମଧ୍ୟ। ଅଣୁ ଠାରୁ ପରମାଣୁ ଯାଏ ତାଙ୍କରି ରୂପ। ବ୍ରହ୍ମାଣ୍ଡ ନାଥଙ୍କର ଦିବ୍ୟ ଦୃଷ୍ଟି କଥା ଚିନ୍ତା କଲେ ମୁହ୍ୟମାନ ହେବାକୁ ପଡ଼ିଥାଏ।

ଏହି ପରିପ୍ରେକ୍ଷୀରେ ପଞ୍ଚସଖା ଯୁଗର ବରଣ୍ୟ କବି ଶିଶୁ ଅନନ୍ତ ଦାସ କହନ୍ତି-
‘‘ନିଜ ମାୟା ଧରି ଜୀବ ପ୍ରାୟ ହୋଇ
କରଇ ମୁଁ ଲୀଳା ଖେଳା
ଜୀବ ହିଁ ପରମ ଜୀବଟି
ଅନନ୍ତ ତତ୍ତ୍ୱର ଭେଳା।’’

ପ୍ରଭୁ ଜଗନ୍ନାଥଙ୍କୁ ଯେ ଯଦି ମନ ଧ୍ୟାନ ଦେଇ ବିସ୍ଫାରିତ ନେତ୍ରରେ ଦର୍ଶନ କରିବ, ତା ମନ ଭିତରେ ପ୍ରଭୁଙ୍କର ରୂପକାନ୍ତି ଝଲସି ଉଠିବ। ପ୍ରଭୁଙ୍କର ଦୁଇଟି ବଡ଼ ବଡ଼ ଆଖି, ପ୍ରସାରିତ ହସ୍ତପଦ ବିହୀନ ଦୁଇ ବାହୁ। ଏହା ପ୍ରଭାବବାଦୀ ଚିତ୍ରକଳାର ଚରମ ଦୃଷ୍ଟାନ୍ତ।

ଭାରତୀୟ ଧର୍ମ ପରମ୍ପରାରେ ଦେବତାମାନଙ୍କୁ ମଣିଷଠାରୁ କେବେ ଅଲଗା କରି ହୁଏନା; ସେହି ଏକାକାର ହେବାର ପଣିଆ ନିହିତ, ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କଠାରେ। ସେଥିପାଇଁ ସେ ମଣିଷର ଅତି ଆପଣାର। ସେ ବିଶ୍ୱ ମଣିଷର ଅନ୍ତର୍ବେଦନାରେ ପରିବ୍ୟାପ୍ତ। ମଣିଷର ସକଳ ସ୍ୱର୍ଗୀୟ ଗୁଣାବଳୀ ମଧ୍ୟରେ ସେ ଯୁଗଯୁଗ ଧରି ଉଦ୍ଭାସିତ। ଜଗନ୍ନାଥ ଚେତନାର ବୈଶିଷ୍ଟ୍ୟ ହେଲା ବିଶ୍ୱମାନବିକତାର ମହାମନ୍ତ୍ର ଓ ଭାରତୀୟ ମୂଲ୍ୟବୋଧର ତଥା ପରଂପରାର ମର୍ମବାଣୀ।

ଭଗବାନ ଓ ଭକ୍ତ ମଧ୍ୟରେ ନିଗୂଢ଼ ସଂପର୍କ। ସେଇ ନିଗୂଢ଼ ସଂପର୍କ ହିଁ ଆତ୍ମା ପରମାତ୍ମାଙ୍କ ମିଳନରେ ସହଜସାଧ୍ୟ ହୁଏ। ସମସ୍ତ ଜାଗତିକ ସୁଖ, ସମ୍ଭୋଗ, ମାୟାକୁ ପରିତ୍ୟାଗ କରି ସେଇ ଅଣାକାର, ନିରାକାର ପରଂବ୍ରହ୍ମଙ୍କ ସାନ୍ନିଧ୍ୟ ଲାଭ ପାଇଁ ଭକ୍ତ ବ୍ୟାକୁଳ ହୋଇ ଉଠେ। ରଥରେ ଚତୁର୍ଦ୍ଧା ମୂର୍ତ୍ତି ଶୋଭା ପାଇଥାନ୍ତି। ତେଣୁ ଭାବାବେଗରେ କବି ଗାଇଛନ୍ତି-
‘‘ବଳଭଦ୍ର, ଜଗନ୍ନାଥ, ସୁଭଦ୍ରାଞ୍ଚ ସୁଦର୍ଶନ
ଦାରୁବ୍ରହ୍ମ ସ୍ୱରୂପାୟ ଚତୁର୍ଦ୍ଧା ମୂତ୍ତୟେ ନମଃ।’’

ଦେଖିବାକୁ ଗଲେ ଜଗନ୍ନାଥଙ୍କଠାରେ ସତ୍ତ୍ୱ। ସୁଭଦ୍ରାଙ୍କଠାରେ ରଜ ଓ ବଳଭଦ୍ରଙ୍କଠରେ ତମ ଗୁଣ ରହିଛି। ପୁନରାୟ ଏହି ତ୍ରିମୂର୍ତ୍ତି ଶାନ୍ତି, ମୈତ୍ରୀ, ପ୍ରୀତିର ପ୍ରତୀକ। ଶ୍ରୀ ଶ୍ରୀ ଜଗନ୍ନାଥ ଏହିଠାରେ ପରଂବ୍ରହ୍ମ, ପରମାତ୍ମା, ମୁକ୍ତିଦାତା ଭାବରେ ରହି ଯୋଗୀମାନଙ୍କୁ କୈବଲ୍ୟ ପ୍ରଦାନ କରିଥାନ୍ତି। ତେଣୁ ତାଙ୍କୁ ‘ଅନ୍ନବ୍ରହ୍ମ’ ବୋଲି କୁହାଯାଏ। ଶ୍ରୀଜଗନ୍ନାଥ ତତ୍ତ୍ୱରେ ଶ୍ରୀଜଗନ୍ନାଥଙ୍କୁ ପୂର୍ଣ୍ଣବ୍ରହ୍ମ, ପରଂବ୍ରହ୍ମ ରୂପେ ଦେଖି ତହିଁରୁ ବିନ୍ଦୁବ୍ରହ୍ମ, ଶବ୍ଦବ୍ରହ୍ମ ଓ ନାମବ୍ରହ୍ମ ସୃଷ୍ଟିର ପରିକଳ୍ପନା ପଞ୍ଚସଖାବୃନ୍ଦ କରିଛନ୍ତି। ଅନ୍ୟତ୍ର ସ୍ମାର୍ତ୍ତଗୋଷ୍ଠୀ ଏହି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବଳଭଦ୍ର, ଶିବ, ସୁଭଦ୍ରା ଦୁର୍ଗା ଓ ଜଗନ୍ନାଥ ବିଷ୍ଣୁ, ଗଣେଶ ରୂପରେ ପୂଜିତ।

ପ୍ରଭୁ ଶ୍ରୀଜଗନ୍ନାଥଙ୍କର ରୂପ ବର୍ଣ୍ଣନା କରିବାକୁ ଯାଇ ଭକ୍ତ କବି ଜୟଦେବ ଲେଖିଛନ୍ତି- ଚନ୍ଦନ ଚର୍ଚ୍ଚିତ ନୀଳ କଳେବର ପୀତ ବସନ ବନମାଳୀ। ପ୍ରକୃତି ଓ ପୁରୁଷଙ୍କୁ ଆପଣେଇ ନେଇଥିବା ଜଗନ୍ନାଥ ଏକ ରହସ୍ୟମୟ ଦେବତା ହେଲେ ହେଁ ସେ ଯେ ଅଖିଳ ବ୍ରହ୍ମାଣ୍ଡ ପତି ଏହା ନିଃସନ୍ଦେହରେ କୁହାଯାଇପାରେ।

ଅସୀମା ସାହୁ
ମଧୁବନ, ବାରିପଦା,ମୟୂରଭଂଜ

ସମ୍ବନ୍ଧିତ ଖବର