ସୋସିଆଲ ମିଡିଆରେ ଛାଇଲା କନଷ୍ଟେବଳଙ୍କ ରାପ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଗୀତ ଗାଇ ହେଲେ ଲୋକପ୍ରିୟ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ସମୟରେ ଭିନ୍ନ ଭିନ୍ନ ଭିଡିଓ ଭାଇରାଲ ହେଉଥିବା ଦେଖା ଯାଇଥାଏ। କିଛି ଭିଡିଓ ବିବାଦୀୟ ହୋଇଥାଏ ତ କିଛି ଭିଡିଓ ଲୋକଙ୍କୁ ଲୋକପ୍ରିୟତା ଆଣି ଦେଇଥାଏ। ପୂର୍ବରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି, ଯାହା ପାଇଁ ରାତାରାତି ଇଣ୍ଟରନେଟ୍ ସେ‌ନସେସନ ପାଲଟି ଯାଇଛନ୍ତି ଲୋକେ। କିଛି ଦିନ ତଳେ ଜୋମାଟୋର ଡେଲିଭରି ବଏଙ୍କ ହସିବାର ଏକ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରିବା ସହ ତାହା ଖୁବ୍ ଭାଇରାଲ ହୋଇଥିଲା। ଏବେ ଜଣେ କନଷ୍ଟେବଳଙ୍କ ରାପ୍ ଲୋକଙ୍କୁ ପସନ୍ଦ ଆସିବାରେ ଲାଗିଛି। ଇଂରାଜୀ ଏବଂ ହିନ୍ଦୀ ଭାଷାରେ ରାପ୍ କରି ସେ ଏବେ ଲୋକପ୍ରିୟ ହେବାରେ ଲାଗିଛନ୍ତି।

କନଷ୍ଟେବଳ ଜଣଙ୍କ ଜମ୍ମୁ-କଶ୍ମୀର ପୁଲିସରେ କାର୍ଯ୍ୟରତ ଥିବା ବେଳେ ଏବେ ତାଙ୍କର ଭିଡିଓ ଉଭୟ ଟୁଇଟର ଏବଂ ଫେସବୁକରେ ଭାଇରାଲ ହେବାରେ ଲାଗିଛି। ଆଇପିଏସ୍ ମୁକେଶ ସିଂହ କ‌ନଷ୍ଟେବଳଙ୍କର ଏହି ରାପ୍ ର ଭିଡିଓ ଟୁଇଟରରେ ସେୟାର କରିବା ପରେ ତାହା ଭାଇରାଲ ହୋଇଥିଲା। ଭିଡିଓ ସେୟାର କରି ମୁକଶେ ସିଂହ ଲେଖିଛନ୍ତି, ଜମ୍ମୁ-କଶ୍ମୀର ପୁଲିସର କନଷ୍ଟେବଳ ଏବଂ ଜଣେ ଉତ୍ସାହୀ ରାପର। ତେବେ କନଷ୍ଟେବଳଙ୍କ ବିଷୟରେ ଅଧିକ ସୂଚନା ମିଳିପାରିନାହିଁ। ଭିଡିଓ ଭାଇରାଲ ହେବା ପରେ ଜଣେ ବ୍ୟବହାରକାରୀ ଲେଖିଥିଲେ, ଆପଣ ବହୁତ ପ୍ରତିଭାଶାଳୀ। ନିଜର ଏହି କଳାକୁ ଲୁଚାଇ ରଖନ୍ତୁ ନାହିଁ। ଅନ୍ୟ ଜଣେ ବ୍ୟବହାରକାରୀ ଖୁବ୍ ଭଲ ବୋଲି ଲେଖି ତାଙ୍କୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର