ରାଜଧାନୀର ବାଣିଜ୍ୟକେନ୍ଦ୍ର ଜନପଥର ପରିଚୟ ଏବେ ଅଳଙ୍କାର ସୋ’ରୁମ୍। ଏହି ସୋ’ ରୁମ୍ଗୁଡ଼ିକର ଆଖି ଝଲସା ସାଜସଜ୍ଜା ଏପରି ଯେ, ଯେମିତି ଭିତରୁ ସୁନା ଗହଣା ହାତ ଠାରି ଡାକୁଥିବା ହୃଦ୍ବୋଧ ହେବ। ତେବେ ରାଜଧାନୀ ପ୍ରତିଷ୍ଠା କାଳରେ ସ୍ଥିତି ଏମିତି ନଥିଲା। କେବଳ ପୁରୁଣା ଭୁବନେଶ୍ବରରେ ଥିବା କେତେକ ବଣିଆ ଦୋକାନରେ ହିଁ ଲୋକଙ୍କୁ ପସନ୍ଦର ସୁନା ମିଳୁଥିଲା। ଯାହାର ସୁନା କିଣିବାର ଥିଲା ସେ ପୁରୁଣା ଭୁବନେଶ୍ବର ଯାଉଥିଲେ। କିନ୍ତୁ ରାଜଧାନୀର କଳେବର ବୃଦ୍ଧି ପରେ ସୁନା ବ୍ୟବସାୟର ପେଣ୍ଠସ୍ଥଳୀ ପାଲଟିଛି ଜନପଥ।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୁଣା ଲୋକଙ୍କ ମତ ଅନୁଯାୟୀ, ଭୁବନେଶ୍ବର ଷ୍ଟେସନ ନିକଟରେ ଏକ କ୍ୟାଣ୍ଟିନ୍ ଖୋଲିଥିଲା। ଯାହାର ନାମ ଥିଲା ମାଷ୍ଟରକ୍ୟାଣ୍ଟିନ୍। ଏଠାରେ ଖାଇବା ସାମଗ୍ରୀ କମ୍, ତେଜରାତି ଜିନିଷ ଅଧିକ ମିଳୁଥିଲା। ଏହି ମାଷ୍ଟରକ୍ୟାଣ୍ଟିନ୍ର ମାଲିକ ଏକ ସୁନା ସୋ’ରୁମ୍ ଖୋଲିଥିଲେ। ଯାହା ଏବେକାର ‘ଲାଲ୍ଚାନ୍ଦ’। ସେଠାରେ ଅଳଙ୍କାର ପାଇଁ ଚାହିଦା ଏତେ ବଢ଼ିଲା ଯେ, ଏହା ଦେଖାଦେଖି ଆହୁରି ବଡ଼ବଡ଼ ଗହଣା ଦୋକାନ ଗଢ଼ି ଉଠିଲା।
ବାଣୀବିହାରରୁ ଆରମ୍ଭ କରି ମାଷ୍ଟରକ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଜନପଥର ପ୍ରାୟ ୫ କିଲୋମିଟର ରାସ୍ତାରେ ଗଢ଼ି ଉଠିଛି ଅତ୍ୟାଧୁନିକ ଆକର୍ଷଣୀୟ ଗହଣା ସୋ’ ରୁମ୍। ରୀତିମତ ଜନପଥରେ ଥିବା ସମସ୍ତ ଗହଣା ଦୋକାନରେ ଭିଡ଼ ଲାଗିଥିବା ବେଳେ ବିବାହ ଋତୁ ଏବଂ ଧନ୍ତେରାସ ଆସିଲେ ସୁନା ପାଇଁ ଜନପଥ ଜାମ୍ ହୋଇଯାଏ। ରାଜଧାନୀରେ ବହୁ ଶିଳ୍ପପତି, ବ୍ୟବସାୟୀ, ଚାକିରିଆ ରହୁଥିବା ବେଳେ ସୌଖିନ ପ୍ରିୟ ସହରବାସୀଙ୍କ ଅଳଙ୍କାର ସଉକ ମେଣ୍ଟାଇବା ପାଇଁ ଏବେ ପୂରା ଜନପଥରେ ଅଳଙ୍କାର ଦୋକାନର ଭିଡ଼। ଲାଲ୍ଚାନ୍ଦଠୁ ନେଇ, ଖିମ୍ଜି, ତନିସ୍କ୍, ଇପାରି ସଦାଶିବ ଜୁଏଲର୍ସ, କଲ୍ୟାଣ ଜୁଏଲର୍ସ, ହିନ୍ଦୁସ୍ତାନ ଜୁଏଲର୍, ରିଲାଏନ୍ସ୍ସ ଜୁଏଲ୍ସ, ପିସି ଜୁଏଲର୍ସ, କଟକୱାଲା ଜୁଏଲର୍ସ ଭଳି ଅଳଙ୍କାରର ମଲ୍ ମାନ ଛିଡ଼ା ହୋଇଛି। ପୂରା ଜନପଥରେ ଏବେ ୫୦ରୁ ଅଧିକ ଗହଣା ଦୋକାନ ଗଢ଼ି ଉଠିଛି। ରାସ୍ତାକଡ଼ରେ ମାଳମାଳ ଗହଣା ଦୋକାନ ଜନପଥକୁ ଅଳଙ୍କାର ମଲ୍ର ପରିଚୟ ଦେଉଛି।