ବିରଳ ବନ୍ଧୁତ୍ୱ: ନିଜ କିଡ୍‌ନି ବନ୍ଧୁଙ୍କୁ ଦେବାକୁ ନେଲେ ନିଷ୍ପତ୍ତି, ଡାକ୍ତର ବିଳମ୍ବ କରିବାରୁ କୋର୍ଟ ଦ୍ୱାରସ୍ଥ ହେଲେ ଯୁବତୀ

ଶ୍ରୀନଗର : ପ୍ରକୃତ ବନ୍ଧୁତ୍ୱ ଆଗରେ ଜାତି, ଗୋତ୍ର କିମ୍ବା ଧର୍ମର କୌଣସି ଗୁରୁତ୍ୱ ନ ଥାଏ।  ଜମ୍ମୁ-କଶ୍ମୀରର ଶିଖ୍‌ ସଂପ୍ରଦାୟର ୨୩ ବର୍ଷୀୟା ଯୁବତୀ ମନ୍‌ଜୋତ୍‌ ସିଂହ କୋହଲି ଏକଥାକୁ ପୁଣି ଥରେ ପ୍ରମାଣ କରି ଦେଇଛନ୍ତି। କୋହଲି ତାଙ୍କର ଜଣେ ମୁସ୍‌ଲମାନ ବନ୍ଧୁଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ କିଡ୍‌ନି ଦାନ ପାଇଁ ନିଷ୍ପତ୍ତି ନେଉଛନ୍ତି। କୋହଲିଙ୍କ ଏହି ମୁସ୍‌ଲମାନ ବନ୍ଧୁ ଜଣକ ହେଉଛନ୍ତି ସମରିନ୍‌ ଅକ୍‌ତର(୨୨)।

ଉଦ୍ଦମପୁରର ଏହି ଶିଖ୍‌ ଯୁବତୀଙ୍କ ନିଷ୍ପତ୍ତିକୁ ତାଙ୍କ ପରିବାର ଲୋକ ଓ ଡାକ୍ତରମାନେ ବିରୋଧ କରୁଥିଲେ ବି ଯୁବତୀ ଜଣକ ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି। ଡାକ୍ତରମାନେ ବିନା କାରଣରେ ତାଙ୍କ ଶରୀରରୁ କିଡ୍‌ନି ନେଇ ତାଙ୍କ ବନ୍ଧୁଙ୍କ ଦେହରେ ଲଗାଇବାରେ ବିଳମ୍ବ କରୁଥିବା ଅଭିଯୋଗ କରି ଯୁବତୀ ଜଣକ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସେ କହିଛନ୍ତି ଯେ ସେମାନେ ଦୁହେଁ ଦୀର୍ଘ ୪ ବର୍ଷର ବନ୍ଧୁ। ତାଙ୍କ ବନ୍ଧୁଙ୍କ ଜୀବନ ବଞ୍ଚାଇବାରେ ହିଁ ମାନବିକତା ରହିଛି ବୋଲି ସେ ବିଶ୍ୱାସ ରଖନ୍ତି। ଏପରିକି ଅକ୍‌ତର ଭଲ ଥିବା ସମୟରେ ସେମାନେ ଜମ୍ମୁ-କଶ୍ମୀରରେ ବହୁ ସାମାଜିକ କଲ୍ୟାଣ କାର୍ଯ୍ୟ ଏକାଠି କରିଛନ୍ତି।

ଅକ୍‌ତର ନିଜର ଶାରୀରିକ ଅସୁସ୍ଥତା ସଂପର୍କରେ ନିଜ ଆଡୁ କେବେ ବି କୋହଲିଙ୍କୁ କହି ନ ଥିଲେ। କୋହଲି ଅନ୍ୟ ଜଣେ ବନ୍ଧୁଙ୍କ ନିକଟରୁ ଅକ୍‌ତରଙ୍କ କିଡନି ଅକାମୀ ହୋଇଥିବା  ବିଷୟରେ ଜାଣିବାକୁ ପାଇବା ପରେ ନିଜ କିଡ୍‌ନି ଦେଇ ତାଙ୍କୁ ବଞ୍ଚାଇବା ପାଇଁ ଚିନ୍ତା କରିଛନ୍ତି।

ସମ୍ବନ୍ଧିତ ଖବର