ନୂଆଦିଲ୍ଲୀ : ନଭେମ୍ବର ୧୭ରେ ସୁପ୍ରିମକୋର୍ଟରେ ପ୍ରଧାନ ବିଚାରପତିର ଜଷ୍ଟିସ ରଞ୍ଜନ ଗୋଗୋଇ ଅବସର ନେବେ । ତାଙ୍କ ପରେ ବର୍ତ୍ତମାନର ସର୍ବବରିଷ୍ଠ ବିଚାରପତି ଜଷ୍ଟିସ ଏସ୍ ଏ ବବ୍ଡେଙ୍କୁ ପ୍ରଧାନ ବିଚାରପତିର ଦାୟିତ୍ୱ ଦିଆଯାଉ ବୋଲି ଜଷ୍ଟିସ ଗୋଗୋଇ କେନ୍ଦ୍ରକୁ ଚିଠି ଲେଖି ସାରିଥିବା ବେଳେ ସେ ହିଁ ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଛି । ତେବେ ଦେଶର ପ୍ରଧାନ ବିଚାରପତି ହେବାକୁ ଯାଉଥିବା ଏସ୍ ଏ ବବ୍ଡେଙ୍କ ପେସାଦାର ଜୀବନର ଯାତ୍ରା କିଭଳି ଥିଲା ଆସନ୍ତୁ ଜାଣିବା।
ଜଷ୍ଟିସ ଶରଦ ଅରବିନ୍ଦ ବବ୍ଡେ ମୂଳତଃ ମହାରାଷ୍ଟ୍ରର ବାସିନ୍ଦା । ତାଙ୍କର ଜନ୍ମ ଅପ୍ରେଲ ୨୪, ୧୯୫୬ରେ ନାଗପୁରରେ ହୋଇଥିଲା । ସେ ଆଜି ସୁପ୍ରିମକୋର୍ଟରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ତାଙ୍କ ପରିବାର ମଧ୍ୟ ଏହି ପେସା ସହ ଜଡ଼ିତ ଥିଲା । ତାଙ୍କ ବାପା ଅରବିନ୍ଦ ଶ୍ରୀନିବାସ ବବ୍ଡେ ମହାରାଷ୍ଟ୍ରର ଆଡ୍ଭୋକେଟ ଜେନେରାଲ ଥିଲେ । ଛୋଟ ବେଳୁ ନିଜ ବାପାଙ୍କୁ ଆଇନର କଥା କହୁଥିବାର ଦେଖି ଦେଖି ସେ ମଧ୍ୟ ଏହି ପେସାରେ କ୍ୟାରିୟର ଗଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଏବଂ ଏଲ୍.ଏଲ୍.ବି ପାଠ ପଢ଼ା ଶେଷ କରିଥିଲେ । ପାଠ ପଢ଼ା ସରିବା ପରେ ୧୯୭୮ରେ ସେ ବାର୍ କାଉନ୍ସିଲ ଅଫ୍ ମହାରାଷ୍ଟ୍ରର ସଦସ୍ୟ ଭାବେ ଯୋଗ ଦେଇ ବମ୍ବେରେ ଓକିଲାତି ଆରମ୍ଭ କରିଥିଲେ । ପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚରେ ସେ ଓକିଲାତି କରିଥିଲେ ।
ଦୀର୍ଘ ୨୦ ବର୍ଷର ଆଇନ ବୃତ୍ତି ପରେ ୧୯୯୮ରେ ସେ ବରିଷ୍ଠ ଓକିଲ ମାନ୍ୟତା ଲାଭ କରିଥିଲେ । ୨୦୦୦ମସିହାରେ ସେ ବମ୍ବେ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ । ହାଇକୋର୍ଟରେ ମୁଖ୍ୟବିଚାରପତି ଭାବେ କାମ କରିବା ପରେ ଜଷ୍ଟିସ ବବ୍ଡେ ୨୦୧୩ରେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଏବେ ସେ ସୁପ୍ରିମକୋର୍ଟରେ ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ କାମ କରୁଥିବା ବେଳେ ନଭେମ୍ବର ୧୮ରେ ଭାରତର ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଅପ୍ରେଲ ୨୩, ୨୦୨୧ରେ ଏସ୍ ଏ ବବ୍ଡେ ନିଜ ଦାୟିତ୍ୱରୁ ଅବସର ନେବେ ବୋଲି ଜଣାପଡ଼ିଛି ।