କାଳ ହେଲା କାଳବୈଶାଖୀ : ୬ ଜିଲ୍ଲାରୁ ରିପୋର୍ଟ ଆସିଲା

୩ ମୃତ, ଅନେକ ଘର ଭାଙ୍ଗିଛି, ବ୍ୟାପକ ଫସଲହାନି, ବଜ୍ରପାତରେ ବର୍ଷକରେ ୪୫୬ ମୃତ, ମାସକରେ ଅନ୍ୟୂନ ୨୪

ଭୁବନେଶ୍ୱର : ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ ଜାରି ରହିଛି। ଘୂର୍ଣ୍ଣିଝଡ଼ ବା କୁଆପଥର ମାଡ଼ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏ ନେଇ ଆଜି ସୁଦ୍ଧା ୬ଟି ଜିଲ୍ଲାରୁ କ୍ଷୟକ୍ଷତି ରିପୋର୍ଟ ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। ରିପୋର୍ଟ ମୁତାବକ ଗଛ ପଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କାନ୍ଥ ପଡ଼ି ଆଉ ଜଣଙ୍କର ଜୀବନହାନି ଘଟିଛି। ବରଗଡ଼ ଜିଲ୍ଲାରେ ସର୍ବାଧିକ ଫସଲହାନି ଘଟିଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ସବୁଠାରୁ ଉଦ୍‌ବେଗ ଖେଳାଇ ଦେଇଛି ବଜ୍ରପାତ ଜନିତ ମୃତ୍ୟୁ।

ଉପ ସ୍ୱତନ୍ତ୍ର ରିଲିଫ କମିସନର(ଏସ୍‌ଆରସି) ପ୍ରଭାତ ରଂଜନ ମହାପାତ୍ର କହିଛନ୍ତି, ବରଗଡ଼, ଯାଜପୁର, ସୋନପୁର, ଢେଙ୍କାନାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରୁ ଘୂର୍ଣ୍ଣିଝଡ଼ ବା କୁଆପଥର ମାଡ଼ ଜନିତ କ୍ଷୟକ୍ଷତି ରିପୋର୍ଟ ମିଳିଛି। ଘୂର୍ଣ୍ଣିଝଡ଼ରେ ବାଲେଶ୍ୱର, ମୟୂରଭଞ୍ଜ ଓ ବରଗଡ଼ ଜିଲ୍ଲାର ୩ ଜଣ ଚାଷୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିଭଳି, ଘୂର୍ଣ୍ଣିଝଡ଼ରେ ରବି ଫସଲ ବ୍ୟାପକ ରୂପେ ନଷ୍ଟ ହେବା ସହିିତ ଅନେକ ଘର ଭାଙ୍ଗିଥିିବା ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ରିପୋର୍ଟରେ ଦର୍ଶାଯାଇଛି। ବରଗଡ଼ ଜିଲ୍ଲା ଅତାବିରା ତହସିଲର ତୋପେ, ବବେବିରା, ବୁଗ୍‌ବୁଗା, ଖଲିଆପାଲୀ, ପରମାପଦର ଗ୍ରାମ, ବରପାଲୀ, ଭେଡ଼େନ୍‌, ଭଟ୍‌ଲୀ, ବରଗଡ଼, ବିଜେପୁର, ଅମ୍ବାଭୋନା ତହସିଲରେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଅତାବିରା ତହସିଲ୍‌ର ଟାଙ୍ଗରଟିକ୍ରାରେ ଘର ଭାଙ୍ଗିଛି। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ କିଛି ଘର ସଂପୂର୍ଣ୍ଣ ଓ ଆଉ କିଛି ଆଂଶିକ ଭାଙ୍ଗିଛି। ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲୀ ବ୍ଲକ, କଣ୍ଡୋମୁଣ୍ଡା, ସହଜବାହାଲ୍‌, ମହୁଲପାଲୀ, ମାଝୀମୁଣ୍ଡା, ସୁଖା, ଗମ୍ଭାରୀପାଲୀ, ବନ୍ଧପାଲୀ ତହସିଲଗୁଡ଼ିକରେ ବ୍ୟାପକ ଫସଲ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟ ବୟାନ କରୁଛି। ଢେଙ୍କାନାଳ ଜିଲ୍ଲାର କାନ୍ଧରା, କଙ୍କଡ଼ାହାଡ଼ ତହସିଲ୍‌ରେ ୨ଟି ଘର ଭାଙ୍ଗିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଓ ଠାକୁରମୁଣ୍ଡା ବ୍ଲକରେ ୫ଟି ଘର ସଂପୂର୍ଣ୍ଣ, ୯ଟି ଆଂଶିକ ଓ ଗୋଟିଏ କୁଡ଼ିଆ ଭାଙ୍ଗିଥିବା ନେଇ ୫ ଲକ୍ଷ ୩୧ ହଜାର ୨୦୦ ଟଙ୍କାର ସହାୟତା ଲୋଡ଼ିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ସରକାରଙ୍କ ପକ୍ଷରୁ ସେହି ରାଶିର ସହାୟତା ଯୋଗାଇ ଦିଆଯାଇଥିବା କହିଛନ୍ତିି ଉପ ଏସ୍‌ଆରସି ଶ୍ରୀ ମହାପାତ୍ର।

କୃଷି ବିଭାଗ ସୂଚନାନୁସାରେ ପୁରୀ ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ୬ଟି ବ୍ଲକର ୩୯୫୨ ହେକ୍ଟର ଜମି ଜଳମଗ୍ନ ହୋଇଛି। ପାଣି ଛାଡ଼ିଗଲା ପରେ କ୍ଷୟକ୍ଷତି ଆକଳନ କରାଯିବ। ସେହିପରି କେନ୍ଦୁଝର ଜିଲ୍ଲା ତେଲକୋଇ, କେନ୍ଦୁଝର, ହରିଚନ୍ଦନପୁର ବ୍ଲକରେ କୁଆପଥର ମାଡ଼ରେ ପ୍ରାୟ ୨୭୬ ହେକ୍ଟର ଜମିରେ ଗହମ, ପନିପରିବା ଓ ଡାଲିଜାତୀୟ ଫସଲ କ୍ଷତିଗ୍ରସ୍ତ ହୋଇଛି। ସବୁ ଜିଲ୍ଲା କୃଷି ଉପ ନିର୍ଦେଶକଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଏସ୍‌ଆରସି କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଗତ ବର୍ଷକ ଭିତରେ ଅର୍ଥାତ ମାର୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟରେ ୪୫୬ଜଣ ବଜ୍ରପାତରେ ମୃତ୍ୟୁବରଣ କରିଛନ୍ତି। ଗତ ଏପ୍ରିଲ୍‌ ୧ ତାରିଖରୁ ଅଦ୍ୟାବଧି ଅନ୍ୟୂନ ୨୪ଜଣଙ୍କର ବଜ୍ରପାତ ଜନିତ ମୃତ୍ୟୁ ଘଟିଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ଗତ ୧ ତାରିଖରେ ଘୂର୍ଣ୍ଣିଝଡ଼ ବା କୁଆପଥର ବୃଷ୍ଟି ଯୋଗୁଁ ରାଜ୍ୟରେ କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆରସି ବିଷ୍ଣୁପଦ ସେଠୀ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର