ବିଚିତ୍ର ଗେଷ୍ଟ୍‍ ହାଉସ୍‌: ଦେଶର କୋଣ ଅନୁକୋଣରୁ ଧାଇଁ ଆସି ଏଠାରେ ମୃତ୍ୟୁକୁ ଅପେକ୍ଷା କରି ପଡ଼ି ରହନ୍ତି ଅତିଥି

ଭାରତୀୟ ମାନେ ମୃତ୍ୟୁ ପରେ କ’ଣ ଚାହାନ୍ତି, ସ୍ୱର୍ଗ? ସ୍ୱର୍ଗ ଚାହାନ୍ତି କି ନାହିଁ ତାହା ତ ଜଣାନାହିଁ କିନ୍ତୁ ମୋକ୍ଷ ନିଶ୍ଚିତ ଚାହାନ୍ତି। ଏପରିକି ମୋକ୍ଷ ପାଇଁ ଭାରତୀୟମାନେ ଭିନ୍ନଭିନ୍ନ ପଦ୍ଧତିରେ ବିଶ୍ୱାସ ରଖିଥିବାର ଉଦାହରଣ ଦେଖିବାକୁ ମିଳିଛି। କେହି କେହି ଗଙ୍ଗା ଯାଇ ପାପ ଧୋଇଥାନ୍ତି ତ କେହି କେହି ଚାରିଧାମ ଯାତ୍ରା କରି ମୋକ୍ଷ ଚାହିଁଥାନ୍ତି। ତେବେ ବାରଣାସୀର ଗୋଟେ ଏମିତି ସ୍ଥାନ ଅଛି ଯେଉଁଠାକୁ ଖାସ୍‌ ଲୋକ ମରିବା ପାଇଁ ଧାଇଁଯାଆନ୍ତି। ମୋକ୍ଷ ପ୍ରାପ୍ତି ୁପାଇଁ ଏମିତି ବିଶ୍ୱାସ ରହିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାରଣାସୀରେ ‘କାଶି ଲାଭ-ମୁକ୍ତି ଭବନ’ ନାମରେ ଏକ ଗେଷ୍ଟ୍‍ ହାଉସ୍‌ ରହିଛି। ସେଠାକୁ ମରଣର କିଛି ଦିନ ପୂର୍ବରୁ ଲୋକେ ମୋକ୍ଷ ପାଇବା ପାଇଁ ହିଁ ଯାଇ ଅତିଥି ସାଜିଥାନ୍ତି।

ସୌଜନ୍ୟ: ରୁଟ୍‌ଲିଟିଭି

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ଏକଦମ୍‌ ସତ ଯେ ସେଠାରେ ଦେହତ୍ୟାଗ କଲେ ମୋକ୍ଷ ମିଳିବ ବୋଲି ବିଶ୍ୱାସ ରଖି ପ୍ରତିବର୍ଷ ‘ମୁକ୍ତି ଭବନ’କୁ ହଜାର ହଜାର ଲୋକେ ଯାଇଥାନ୍ତି। ଶୀତ ଋତୁରେ ଖୁବ୍‌ ଅଧିକ ଲୋକେ ସେଠାକୁ ଯାଇଥାନ୍ତି। ଶୀତ ଋତୁ ତୁଳନାରେ ଗ୍ରୀଷ୍ମ ଋତୁରେ ସେଠାକୁ କମ୍‌ ପର୍ଯ୍ୟଟକ୍‌ ଯାଇଥାନ୍ତି ବୋଲି ଜାଣିବାକୁ ମିଳିଛି।

ଆପଣ ଯଦି ଭାବୁଛନ୍ତି ଯେ ସେଠାକୁ ଲୋକେ ଆତ୍ମହତ୍ୟା କରିବାକୁ ଯାଇଥାନ୍ତି ବୋଲି ତେବେ ଆପଣ ବିଲ୍‌କୁଲ୍‌ ଭୁଲ୍‌ ଭାବୁଛନ୍ତି। ଏଠାରେ କୌଣସି ପ୍ରକାର ହତ୍ୟା ବା ଆତ୍ମହତ୍ୟାକୁ ପ୍ରୋତ୍ସାହନା ମିଳିନଥାଏ। ସେଠାରେ କେବଳ ଯାଉଥିବା ଲୋକମାନଙ୍କୁ ଏକ ଖଟିଆ ପ୍ରଦାନ କରାଯାଏ। ଜୀବନର ଶେଷ ମୁହୂର୍ତ୍ତରେ ଗତି କରୁଥିବା ଲୋକେ ସେଠାକୁ ଯାଇ ମୃତ୍ୟୁକୁ ଅପେକ୍ଷା କରି ରହନ୍ତି। ତେବେ କମ୍‌ ବୟସ୍କ ଏବଂ ସୁସ୍ଥ ଲୋକଙ୍କୁ ‘ମୁକ୍ତି ଭବନ’ ଭିତରକୁ ପଶିବାର ଅନୁମତି ମିଳିନଥାଏ। ‘ମୁକ୍ତି ଭବନ’ରେ ସର୍ବାଧିକ ୨ ସପ୍ତାହ ପର୍ଯ୍ୟନ୍ତ ଲୋକଙ୍କୁ ରହିବାର ସୁବିଧା ଯୋଗାଇ ଦିଆଯାଏ। ୨ ସପ୍ତାହ ମଧ୍ୟରେ ଯଦି ରହିଥିବା ବ୍ୟକ୍ତିର ମୃତ୍ୟୁ ନ ଘଟେ ତେବେ ତାଙ୍କୁ ସେଠାରୁ କାଢ଼ି ଅନ୍ୟ ସ୍ଥାନରେ ରଖାଯାଏ।

ଦୁଇ ମହଲାର ଏହି ଗେଷ୍ଟ୍‍ ହାଉସ୍‌ରେ ସମୁଦାୟ ୧୨ଟି କୋଠରୀ ରହିଛି। ଗେଷ୍ଟ୍‍ ହାଉସ୍‌ର ପରିଚାଳକ ଭୈରବ ନାଥ ଶୁକ୍ଳା ଦୀର୍ଘ ୪୪ ବର୍ଷ ହେବ ସେଠାରେ ରହି ସେଠାକୁ ମୃତ୍ୟୁ ପାଇଁ ଆସୁଥିବା ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରୁଛନ୍ତି। ସେ ତାଙ୍କ ଜୀବନକାଳ ଭିତରେ ପ୍ରାୟ ୧୨,୦୦୦ରୁ ଊର୍ଧ୍ୱ ଲୋକଙ୍କ ମୃତ୍ୟୁ ଦେଖି ସାରିଲେଣି। ଭୈରବଙ୍କ ପରିବାର ଲୋକ ମଧ୍ୟ ମୃତ ଲୋକଙ୍କୁ ଦେଖିବାରେ ବେଶ୍‌ ଅଭସ୍ତ। ଗେଷ୍ଟ ହାଉସ୍‌ଟି ୧୯୦୮ ମସିହାରେ ନିର୍ମାଣ କରାଯାଇଥିଲା। ଏହାକୁ ପ୍ରଥମେ ହରି ରାମ ଗୋଏଙ୍କା ନିର୍ମାଣ କରିଥିଲେ। ୧୯୬୦ ମସିହାରେ ଏହି ବିଲଡିଂକୁ ଜୟ ଦୟାଲ୍‌ ଡାଲମିଆ କିଣି ନେଇଥିଲେ। ପରେ ଏହା ଡାଲମିଆ ଟ୍ରଷ୍ଟ୍‍ ହାତକୁ ଚାଲିଗଲା। ଇଲେକ୍ଟ୍ରି ଚାର୍ଜ ୫୦ ପଇସା ଓ ଘର ଚାର୍ଜ ୧୫ ପଇସା ମିଶି ଦିନକୁ ଜଣେ ଲୋକ ପିଛା ୬୫ ପଇସା ନିଆଯାଇଥାଏ। ବର୍ଷକୁ ପାଖାପାଖି ୩୦୦ ଲୋକେ ଏହି ଗେଷ୍ଟ୍‍ ହାଉସ୍‌କୁ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ ମାତ୍ର ୫ ପ୍ରତିଶତ ଲୋକ େଫେରି ଯାଇଥାଆନ୍ତି।

ସମ୍ବନ୍ଧିତ ଖବର