କର୍ଣ୍ଣଙ୍କୁ ଜନ୍ମ ପରେ ନଦୀରେ ଭସାଇଥିବା ମାଆ କୁନ୍ତୀ ପୁଣି କେଉଁଠି ଭେଟିଲେ ନିଜ ପୁଅକୁ, ଭେଟିବା ପରେ କ’ଣ ଥିଲା ପ୍ରତିକ୍ରିୟା

ମହାଭାରତରେ ବର୍ଣ୍ଣନା କରାଯାଇଛି ଯେ ମହାଯୋଦ୍ଧା ଦାନବୀର କର୍ଣ୍ଣ ହେଉଛନ୍ତି ମାଆ କୁନ୍ତୀଙ୍କର ପ୍ରଥମ ତଥା କୁଆଁରୀ ବେଳର ସନ୍ତାନ। କୁନ୍ତୀ ଜଣେ ଋଷିଙ୍କଠାରୁ ଏକ ମନ୍ତ୍ର ପାଇଥିଲେ। ସେହି ମନ୍ତ୍ର ପ୍ରୟୋଗରେ ସ୍ୱର୍ଗଲୋକର ଯେକୌଣସି ଦେବତାଙ୍କୁ କୁନ୍ତୀ ନିଜର ପୁତ୍ରଭାବେ ପାଇପାରିବେ ବୋଲି ଆଶୀର୍ବାଦ ରହିଥିଲା। ଏହି ମନ୍ତ୍ର ପାଇବା ସମୟରେ କୁନ୍ତୀ ଅବିବାହିତା ଥିଲେ। ମନ୍ତ୍ରର ଶକ୍ତି ପରଖିବା ଉଦେଶ୍ୟରେ ସେ ମନ୍ତ୍ର ପଢ଼ି ସୂର୍ଯ୍ୟେଙ୍କୁ ସ୍ମରଣ କଲେ। ସଙ୍ଗେ ସଙ୍ଗେ ସୂର୍ଯ୍ୟେଦେବ କୁନ୍ତୀଙ୍କୁ ସାକ୍ଷାତ ଦେଇ ତାଙ୍କୁ ଏକ ସନ୍ତାନ ପ୍ରଦାନ କଲେ। ସେ ହେଉଛନ୍ତି କର୍ଣ୍ଣ। ଅବିବାହିତା ଝିଅଟିଏ ଜଣେ ସନ୍ତାନର ମାଆ ହେବା କଥାକୁ ଦୁନିଆ କିପରି ଗ୍ରହଣ କରିବ ବୋଲି ଚିନ୍ତା କରି ବିବ୍ରତ ହୋଇ ଉଠିଲେ କୁନ୍ତୀ। ସେ କର୍ଣ୍ଣଙ୍କୁ ଏକ ଟୋକେଇରେ ପୂରାଇ ନଦୀରେ ଭସାଇ ଦେଲେ।

ଏପର୍ଯ୍ୟନ୍ତ ପ୍ରାୟ ସମସ୍ତଙ୍କୁ ଅଳ୍ପ-ବହୁତ ଜଣା ଅଛି। ମାତ୍ର ଆପଣ ଜାଣନ୍ତି କି କୁନ୍ତୀ ପୁଣି କେଉଁ ଭଳି ଭାବେ ପରବର୍ତ୍ତୀ ମୁହୂର୍ତ୍ତରେ କର୍ଣ୍ଣଙ୍କୁ ଭେଟିଥିଲେ ଏବଂ ଭେଟିବା ପରେ ତାଙ୍କ ପ୍ରତିକ୍ରିୟା କ’ଣ ଥିଲା? କୌରବ ଓ ପାଣ୍ଡବ ପାଞ୍ଚ ଭାଇ ବଡ଼ ହୋଇ ସାରିଥାନ୍ତି। ଗୁରୁକୁଳରୁ ଯୁଦ୍ଧ ବିଦ୍ୟା ଶିକ୍ଷା ସମାସ୍ତ କରି କୁରୁ ରାଜ ଦରବାରରେ ଉପସ୍ଥିତ ହୋଇଥାନ୍ତି। ଜଣଙ୍କ ପରେ ଜଣଙ୍କ ବିଦ୍ୟା ପରଖା ଗଲା। ଶେଷରେ ବିଚାର କରାଗଲା ଯେ ଧନୁର୍ଧର ଅର୍ଜୁନ ହେଉଛନ୍ତି ଧନୁ ଚାଳନାରେ ସବୁଠାରୁ ପାରଙ୍ଗମ। ସେମାନଙ୍କ ଗୁରୁ ସମସ୍ତଙ୍କ ସମ୍ମୁଖରେ ଘୋଷଣା କଲେ ଯେ ଅର୍ଜୁନ ହେଉଛନ୍ତି ସର୍ବଶ୍ରେଷ୍ଠ ଧର୍ନୁଧର।

ସେତିକିବେଳେ ଶୁଭିଲା ଏକ ପ୍ରତିବାଦର ସ୍ୱର। ସ୍ୱରଟି ଥିଲା କର୍ଣ୍ଣଙ୍କର। କର୍ଣ୍ଣ ପ୍ରଥମେ ଉପସ୍ଥିତ ସମସ୍ତଙ୍କୁ ସମ୍ମାନ ଜଣାଇବା ପରେ ନିଜକୁ ସର୍ବଶ୍ରେଷ୍ଠ ଧନୁର୍ଧନ ବୋଲି ଦାବି କରିଥିଲେ। କର୍ଣ୍ଣଙ୍କ ବେକରେ ଥିବା କବଚ ଉପରେ ନଜର ପଡ଼ିଲା ମାଆ କୁନ୍ତୀଙ୍କର। ସୂର୍ଯ୍ୟୋ ପରି ଚକ୍‌ମକ୍‌ କରୁଥିବା ନିଜର ପ୍ରତିଭାଶାଳୀ ପୁତ୍ରକୁ ଦେଖିବା ପରେ ଅଚେତ ହୋଇପଡ଼ିଲେ କୁନ୍ତୀ। କର୍ଣ୍ଣଙ୍କ କହିବା କଥା ଥିଲା ବିନା ପରୀକ୍ଷାରେ ଅର୍ଜୁନଙ୍କୁ ସର୍ବଶ୍ରେଷ୍ଠ ଧନୁର୍ଧର ଘୋଷଣା ଏକ ଭୁଲ୍‌ ଅଟେ।

କର୍ଣ୍ଣ ଅର୍ଜୁନଙ୍କ ସହ ଯୁଦ୍ଧ କରି ତାଙ୍କ ପାରଙ୍ଗମତା ଦେଖାଇବା ପାଇଁ ଆଗ୍ରହ୍ୟ ପ୍ରକାଶ କଲେ। ମାତ୍ର ତାଙ୍କର କୌଣସି କୁଳ ମର୍ଯ୍ୟାଦା ନଥିବାରୁ ସେ ଜଣେ କ୍ଷତ୍ରିିୟ ସହ ଯୁଦ୍ଧ କରିପାରିବେ ନାହିଁ ବୋଲି ଉପସ୍ଥିତ ଗୁଣୀ-ଜ୍ଞାନୀମାନେ କହିଥିଲେ। ସେଇଠି କର୍ଣ୍ଣଙ୍କ ସମର୍ଥନ ନେଇଥିଲେ ଜ୍ୟୋଷ୍ଠ କୌରବ ପୁତ୍ର ଦୁର୍ଯ୍ୟୋଧନ। ସେ କର୍ଣ୍ଣଙ୍କୁ ଏକ ଛୋଟ ରାଜ୍ୟର ରାଜା କରାଇ ତାଙ୍କୁ ଜଣେ ରାଜାର ପରିଚୟ ଦେଲେ। ଫଳରେ ଅର୍ଜୁନଙ୍କ ସହ କର୍ଣ୍ଣ ଧନୁର୍ଚାଳନା କରି ନିଜକୁ ପ୍ରମାଣିତ କରିବାର ଏକ ସୁଯୋଗ ପାଇଥିଲେ। ସେବେଠାରୁ କର୍ଣ୍ଣ ପାଲଟିଗଲେ ଦୁର୍ଯ୍ୟୋଧନଙ୍କର ପରମ ମିତ୍ର।

ସମ୍ବନ୍ଧିତ ଖବର