ଅନ୍ୟକୁ ସୁରକ୍ଷା ଦେଉଥିବା ଧନୁର୍ଦ୍ଧର କର୍ଣ୍ଣ କାହିଁକି ବଞ୍ଚାଇପାରିଲେନି ନିଜ ଜୀବନ? ଜାଣନ୍ତୁ ଅସଲ ସତ୍ୟ

ପ୍ରାୟ ସମସ୍ତେ ଏକଥା ଜାଣନ୍ତି ଯେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ ତୀରରେ ମହାଯୋଦ୍ଧା କର୍ଣ୍ଣଙ୍କ ଜୀବନ ଯାଇଥିଲା। ମାତ୍ର କେତେ ଆଶ୍ଚର୍ଯ୍ୟର କଥା କହିଲେ, ଯିଏ ନିଜ ତୀର ଚାଳନାରେ ପୃଥିବୀକୁ ଥରହର କରାଉଥିଲେ ସେ ପୁଣି ବିବଶ ହୋଇ ଅନ୍ୟର ତୀରରେ ପ୍ରାଣ ହାରିଲେ? ଏହି ଘଟଣା ପଛରେ ଲୁଚିଛି ଏକ ସତ। ଚାଲନ୍ତୁ ଆଜି ସେ ସତ୍ୟକୁ ଜାଣିବା।

ଯୁଦ୍ଧବିଦ୍ୟାରେ ପାରଙ୍ଗମ ପର୍ଶୁରାମଙ୍କ ପାଖରେ ଧନୁର୍ବିଦ୍ୟା ଶିଖିବା ପାଇଁ ଶିଷ୍ୟଙ୍କ ଭିଡ଼ ଜମେ। ମାତ୍ର ପର୍ଶୁରାମ କେବଳ ବ୍ରାହ୍ମଣ ପିଲାଙ୍କୁ ବିଦ୍ୟାଦାନ କରୁଥିଲେ। କର୍ଣ୍ଣ ବ୍ରାହ୍ମଣ ନଥିଲେ, ମାତ୍ର ପର୍ଶୁରାମଙ୍କଠାରୁ ଧର୍ନୁଚାଳନା ଶିଖିବାରେ ତାଙ୍କର ପ୍ରବଳ ଇଚ୍ଛା ଥାଏ। ସେଥିପାଇଁ ସେ ଗୁପ୍ତ ଭାବେ ନିଜକୁ ଜଣେ ବ୍ରାହ୍ମଣ କୁଳର ପିଲା ବୋଲି ପରିଚୟ ଦେଇ ପର୍ଶୁରାମଙ୍କ ନିକଟରୁ ବିଦ୍ୟା ଗ୍ରହଣ କରିଚାଲିଲେ। କର୍ଣ୍ଣ ଧୀରେ ଧୀରେ ପାରଙ୍ଗମ ହୋଇ ଚାଲୁଥାନ୍ତି। ତାଙ୍କ ଖ୍ୟାତି ବଢ଼ି ଚାଲିଥାଏ। ଦୁର୍ଭାଗ୍ୟକୁ ଏକ ଘଟଣାଟେ ଘଟିଲା।

ଦିନେ କର୍ଣ୍ଣଙ୍କ କୋଳରେ ମୁଣ୍ଡ ରଖି ପର୍ଶୁରାମ ଶୋଇଥାନ୍ତି। ହଠାତ ଏକ ପୋକଟି ଆସି ଜୋର୍‌ କରି କର୍ଣ୍ଣଙ୍କ ଜଙ୍ଘକୁ କାମୁଡ଼ି ଦେଲା। ହଲଚଲ୍‌ ହେଲେ କାଳେ ଗୁରୁ ଉଠିପଡ଼ିବେ ବୋଲି ଭାବି କର୍ଣ୍ଣ କଷ୍ଟକୁ ସମ୍ଭରଣ କରି ସ୍ଥିର ହୋଇ ବସି ରହିଲେ। ପର୍ଶୁରାମଙ୍କ ନିଦ ଭାଙ୍ଗିବା ବେଳକୁ କର୍ଣ୍ଣଙ୍କ କୋଳରେ ରକ୍ତ ଜୁଡୁବୁଡୁ ହୋଇଥାଏ। ପର୍ଶୁରାମ ଉଠିବା ମାତ୍ରେ କର୍ଣ୍ଣ ରାଗରେ ଆସି ପୋକଟିକୁ ହାତରେ ଚିପି ମାରିଦେଲେ। ପର୍ଶୁରାମ ଆଶ୍ଚର୍ଯ୍ୟ ହୋଇଗଲେ। ଜଣେ ବ୍ରାହ୍ମଣ ହୋଇ ଏକ ଜୀବକୁ ଏତେ ନିର୍ମମ ଭାବେ ଯେ ସେ କିପରି ହତ୍ୟା କଲେ ତାହା ତାଙ୍କର ବିଶ୍ୱାସ ହେଲା ନାହିଁ। ସେ କର୍ଣ୍ଣଙ୍କୁ ତାଙ୍କର ପ୍ରକୃତ ପରିଚୟ ଦେବାକୁ କହିଲେ। ଆହୁରି ବି କହିଲେ ଯେ ତୁମେ ଯଦି ବାସ୍ତବରେ ବ୍ରାହ୍ମଣ ହୋଇଥାନ୍ତ ତେବେ ଏତେ ସମୟ ଧରି ପୋକ କାମୁଡ଼ା କଷ୍ଟ କେବେ ବି ସହ୍ୟ କରିପାରିନଥାନ୍ତ। ବ୍ରାହ୍ମଣମାନେ ଖୁବ୍‌ ସୁକ୍ଷ୍ମ ହୋଇଥାନ୍ତି। ତାଙ୍କୁ ଭଗବନାନ ଯନ୍ତ୍ରଣା ସହ୍ୟ କରିବା କ୍ଷମତା ଦେଇନାହାନ୍ତି।

ଗୁରୁଙ୍କ ମୁହଁରୁ ଏକଥା ଶୁଣି କର୍ଣ୍ଣ ସତ ମାନିଗଲେ। ପର୍ଶୁରାମ କର୍ଣ୍ଣଙ୍କର କପଟରେ କ୍ଷୁବ୍ଧ ହୋଇ ତାଙ୍କୁ ଅଭିଶାପ ଦେଲେ। କହିଲେ କି ଯେମିତି କପଟ କରି ତୁମେ ମୋଠାରୁ ଜ୍ଞାନ ଅର୍ଜନ କରିଛ ସେମିତି ଏକ କପଟ ହେତୁ ତୁମେ ମୃତ୍ୟୁ ବରଣ କରିବ ପଛେ ତୁମ ଜ୍ଞାନ ତୁମକୁ ବଞ୍ଚାଇ ପାରିବ ନାହିଁ। ଉଚିତ ସମୟରେ ତୁମେ ଧର୍ନୁଚାଳନା ଭୁଲିଯିବ। ସେମିତି ହିଁ ହେଲା ମହାଭାରତ ଯୁଦ୍ଧ ସମୟରେ ହଠାତ କର୍ଣ୍ଣଙ୍କ ରଥ ଚକା ଖସିଯିବାରୁ ସେ ଚକା ଠିକ୍‌ କରୁ କରୁ ଧନୁ ଚଳାଇବା ଭୁଲିଯିବା ହେତୁ ଅର୍ଜୁନ ହାତରେ ତାଙ୍କ ପ୍ରାଣ ଗଲା।

ସମ୍ବନ୍ଧିତ ଖବର