ଅଜାଣତରେ କୁକୁଡା ଉପରେ ସାଇକେଲ୍‌ ଚଢ଼ାଇ ଦେବା ପରେ ସଞ୍ଚିଥିବା ୧୦ଟଙ୍କା ନେଇ ଚିକିତ୍ସା ପାଇଁ ହସ୍‌ପିଟାଲରେ ପହଞ୍ଚିଥିବା ଶିଶୁକୁ ସ୍କୁଲ କଲା ପୁରସ୍କୃତ

ଆଇଜଲ୍‌: ମିଜୋରାମ୍‌ରେ ବସବାସ କରୁଥିବା ଜଣେ କଅଁଳ ଶିଶୁ ଏବେ ଚର୍ଚ୍ଚାରେ ରହିଛି। ଏହି କୁନି ପିଲାଟିର ନାମ ଦେରେକ୍‌ ସି ଲାଲଚ୍ଚାହ୍ନିମା ଓ ବୟସ ୬ବର୍ଷ। ଦେରେକ୍‌ ନିଜ ନୂଆ କିଣା ଯାଇଥିବା ସାଇକେଲ୍‌ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍‌ ସାମ୍ନାକୁ ପଡ଼ୋଶୀ ଘରର କୁକୁଡ଼ା ଚାଲି ଆସିଲା। ପିଲାଟି ସାଇକେଲ୍‌ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଉପରେ ଚଢ଼ାଇ ଦେଇଥିଲା। ଏଥିରେ କୁକୁଡା ଦେହରେ ଆଘାତ ଲାଗିଲା।

ଏହାପରେ କୁନି ଶିଶୁଟି କୁନି ହାତରେ କୁକୁଡାକୁ ନେଇ ତାର ପାଖରେ ଥିବା ସମସ୍ତ ଅର୍ଥକୁ ଧରି ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ପହଞ୍ଚିଥିଲା। ଶିଶୁଟିର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସେ ଚର୍ଚ୍ଚାର ପରିସରରେ ରହିଛି। ଦେରକ୍‌ର ଏଭଳି ମନୋଭାବ ଦେଖି ସ୍କୁଲ ତାକୁ ପୁରସ୍କୃତ ମଧ୍ୟ କରିଛି। ଏହି ପୁରସ୍କାର ପାଇବା ପରେ କୁନି ଶିଶୁଟି ମୁହଁରେ ଖୁସିର ଲହରି ଖେଳି ଯାଇଥିଲା। ଯାହା ଆପଣ ଫଟୋରେ ଦେଖି ପାରୁ ଥିବେ।

ଜଣେ ଫେସ୍‌ବୁକ୍‌ ବ୍ୟବହାରକାରୀ ଏହି ଫଟୋକୁ ତାଙ୍କ ଆକାଉଣ୍ଟ୍‌ରେ ସେୟାର୍‌ କରିବା ପରେ ୫୦ ହଜାରରୁ ଉର୍ଧ୍ୱ ସେୟାର୍‌ ହୋଇ ସାରିଲାଣି। ଅନେକ ଫେସ୍‌ବୁକ୍‌ ବ୍ୟବହାକାରୀ ପିଲାଟିକୁ ନିଜର ସ୍ନେହ ଦେବା ସହ ତା’ର ଖୁବ୍‌ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର