ଏଣିକି ଗଙ୍ଗାକୁ ଅପରିଷ୍କାର କଲେ ୨ ବର୍ଷ ଜେଲଦଣ୍ଡ ସହ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା ଜରିମାନା !

ଦିନକୁ ଦିନ ଅପରିଷ୍କାର ହେବାରେ ଲାଗିଛି ଗଙ୍ଗା ନଦୀ। ଗଙ୍ଗାକୁ ଆବର୍ଜନାମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ। ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଯାହାଫଳରେ ଏଣିକି ଗଙ୍ଗାକୁ ଅପରିଷ୍କାର କଲେ ୨ ବର୍ଷ ଜେଲଦଣ୍ଡ ସହ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା ଜରିମାନା। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକାରୀ ହେବାକୁ ଯାଉଛି।

ଗଙ୍ଗା, ଯାହାକୁ ଭାରତର ଏକ ପବିତ୍ର ନଦୀ ବୋଲି କୁହାଯାଏ। ହିନ୍ଦୁ ଧର୍ମ ଅନୁସାରେ ଗଙ୍ଗା ମହାଦେବଙ୍କ ଜଟାରୁ ବାହାରିଛି। ଏହି ନଦୀରେ ସ୍ନାନ କଲେ ଲୋକଙ୍କୁ ପୁର୍ଣ୍ଣ ମିଳିଥାଏ। ତେଣୁ ଅନେକ ସମୟରେ ହିନ୍ଦୁମାନେ ଏହି ପବିତ୍ର ନଦୀରେ ସ୍ନାନ କରିବା ସହ ଏଠାରେ ପିତୃପୁରୁଷଙ୍କ ପିଣ୍ଡଦାନ ମଧ୍ୟ କରିଥାନ୍ତି। କିନ୍ତୁ ଏବେ ଗଙ୍ଗାକୁ ଏକ ଅପରିଷ୍କାର ନଦୀ ବୋଲି କୁହାଯାଉଛି। ଏଥିପାଇଁ ଦାୟୀ କେବଳ ଆମର ସମାଜ। କଳକାରଖାନାରୁ ବାହାରୁଥିବା ସମସ୍ତ ପ୍ରକାର ଆବର୍ଜନାକୁ ଅଳିଆ ଗଦାରେ ନପକାଇ ଗଙ୍ଗାରେ ବିହାଇ ଦିଆଯାଉଛି। ଗଙ୍ଗା ନଦୀ କୁଳରେ ଶବଦାହ କରାଯାଉଛି । ଲୋକମାନେ ମଳ ତ୍ୟାଗ କରୁଛନ୍ତି। ଗଙ୍ଗାରେ ସ୍ନାନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନେ ଫୁଲମାଳ ଏବଂ ବିଭିନ୍ନ ପ୍ରକାପ ପୂଜା ସାମଗ୍ରୀକୁ ଏହି ନଦୀରେ ଭସାଇ ଦେଇଥାନ୍ତି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କୁଢ କୁଢ ଅଳିଆ ଆବର୍ଜନା ଏଥିରେ ପକାଉଛନ୍ତି। ଯାହା ଫଳରେ ପବିତ୍ର ନଦୀ କୁହାଯାଉଥିବା ଗଙ୍ଗା ଏବେ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି।

ସୂଚନା ମୁତାବକ, ଗଙ୍ଗାକୁ ଆବର୍ଜନା ମୁକ୍ତ କରିବା ପାଇଁ ଅନେକ ଯୋଜନାମାନ କରାଯାଇଛି। ଯେପରିକି ରାଷ୍ଟ୍ରୀୟ ସ୍ୱଚ୍ଛ ଗଙ୍ଗା ମିଶନ, ନମାମି ଗଙ୍ଗା, ଉମା ଭାରତୀ ଭଳି ଅନେକ ଯୋଜନା ମାନ କରାଯାଇଛି। କିନ୍ତୁ ଗାଙ୍ଗାକୁ ପୂନର୍ବାର ପବିତ୍ର କରିବାରେ କୌଣସି ଗୋଟିଏ ବି ଯୋଜନା ଏଯାଏ ସଫଳ ହୋଇପାରିନାହିଁ। ତେବେ ଏହି ସବୁ ଅସଫଳତା ମଧ୍ୟରେ କେନ୍ଦ୍ର ସରକାର ଆଉ ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁଯାୟୀ କେନ୍ଦ୍ର ସରକାର ଗଙ୍ଗା ନଦୀର ସୁରକ୍ଷା ପାଇଁ କିଛି ସୁରକ୍ଷା କର୍ମୀଙ୍କୁ ଏଠାରେ ମୁତୟନ କରାଯିବ। ଏହି ସୁରକ୍ଷା କର୍ମୀଙ୍କୁ ସମସ୍ତ ପ୍ରକାର କ୍ଷମତା ପ୍ରଦାନ କରାଯିବ। ଏହି ସୁରକ୍ଷାକର୍ମୀଙ୍କୁ ଏଥିରେ ନିବେଶ କରିବା କାର୍ଯ୍ୟ କେନ୍ଦ୍ର ସରକାର ଗୃହ ମନ୍ତ୍ରଣାଳୟ ହାତରେ ନ୍ୟସ୍ତ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ ହେବାକୁ ଥିବା ଏହି ଯୋଜନା ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ନଦୀକୁ ପ୍ରଦୂଷିତ କରୁଛି ତେବେ ତାଙ୍କୁ ଜେଲ ଦଣ୍ଡ ସହ ଜରିମାନା ମଧ୍ୟ ହେବ। ଯେପରିକି ନଦୀରେ ଅଳିଆ ଆବର୍ଜନା ପକାଇବା, ନଦୀ ଧାରାରେ ବାଧା ସୃଷ୍ଟି କରିବା, ଗଙ୍ଗା ଏବଂ ତାର ସହାୟକ ନଦୀ ଗୁଡିକୁ ବାଣିଜ୍ୟ ବ୍ୟବସାୟ କରିବା ଏକ ଆଇନଗତ ଅପରାଧ। ତେଣୁ ଯଦି ଏହି ନିୟମ ଗୁଡିକୁ କୌଣସି ବ୍ୟକ୍ତି ଉଲ୍ଲଙ୍ଘନ କରିବ ତେବେ ସେମାନଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ସହିତ ୫୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ।

ସମ୍ବନ୍ଧିତ ଖବର