ଗୁଜୁରାଣ ମେଣ୍ଟାଇବା ପାଇଁ ପଥର ହାଣୁଥିଲେ, ଦାରିଦ୍ର୍ୟ ତାଡ଼ନାରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ,କିନ୍ତୁ କିଛି କରିବାର ଇଚ୍ଛା ଶକ୍ତି ପାଇଁ ସେ ଆଜି ଜଣେ କୋଟିପତି

ହାଇଦ୍ରାବାଦ୍‌ : କୁହାଯାଏ ଚେଷ୍ଟା କରୁଥିବା ଲୋକ କେବେ ହେଲେ ନିଜ କାମରେ ଅସଫଳ ହୁଏ ନାହିଁ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି ତେଲେଙ୍ଗାନାର ଜ୍ୟୋତି ରେଡ଼୍ଡୀ । ଦିନେ ଘର ଚଳାଇବା ପାଇଁ ସେ ପଥର ହାଣୁଥିବା ବେଳେ ଏବେ ଏକ ସପ୍ଟଓୟାର କମ୍ପାନୀର ସିଇଓ ପାଲଟିଛନ୍ତି ଜ୍ୟୋତି । ପ୍ରତି ବର୍ଷ ତାଙ୍କ କମ୍ପାନୀ କୋଟି କୋଟି ଟଙ୍କାର ଆୟ କରୁଥିବା ବେଳେ ଆମେରିକାରେ ୬ଟି ଏବଂ ଭାରତରେ ୨ଟିର ଘର ରହିଛି । ଏହା ସହ ଲାଭ ହେଉଥିବା ଟଙ୍କାକୁ ସେ ଅନାଥଆଶ୍ରମକୁ ମଧ୍ୟ ଦେଉଥିବା ଜଣାପଡ଼ିଛି ।

YourStory

ସୂଚନା ମତାବକ,ତେଲେଙ୍ଗାନାର ଏକ ଗ୍ରାମରେ ଜନ୍ମ ନେବା ପରେ ଘରର ଆର୍ଥିକ ପରିସ୍ଥିତି ଠିକ୍‌ ନଥିବାରୁ ସେ ୮ ବର୍ଷ ପରେ ପଥର ହାଣିବା କାମ ଆରମ୍ଭ କରିଥିଲେ । ୧୦ଘଣ୍ଟା କାମ କରିବା ପରେ ତାଙ୍କୁ ୫ଟଙ୍କା ମିଳୁଥିଲା । କିଛି ଦିନ ଏଭଳି ବିତିବା ପରେ ଜ୍ୟୋତିଙ୍କ ବାପା ତାଙ୍କୁ ଏବଂ ତାଙ୍କ ଭଉଣୀକୁ ଅନାଥଆଶ୍ରମରେ ଛାଡ଼ି ଆସିଥିଲେ । କିନ୍ତୁ ତାଙ୍କ ସାନ ଭଉଣୀ କାନ୍ଦିବାରୁ ତାଙ୍କ ବାପାଙ୍କୁ ଦୁଇ ଜଣଙ୍କୁ ପୁଣି ଘରକୁ ଆଣିବାକୁ ପଡ଼ିଥିଲା । ଜ୍ୟୋତିଙ୍କୁ ୧୬ବର୍ଷ ବୟସରେ ବିବାହ କରିବାକୁ ପଡ଼ିଥିବା ବେଳେ ୧୭ବର୍ଷ ବୟସରେ ଗୋଟିଏ ଏବଂ ୧୮ବର୍ଷ ବୟସରେ ଆଉ ଏକ ସନ୍ତାନର ମା’ ବନିଥିଲେ ଜ୍ୟୋତି । କିନ୍ତୁ ବିବାହ ପରେ ମଧ୍ୟ ଟଙ୍କା ଅଭାବ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାରୁ ଅନେକ ଥର ଆତ୍ମହତ୍ୟା ଉଦ୍ୟମ କରିବା ସହ ନିଜ ସନ୍ତାନକୁ ମାରିବାକୁ ମଧ୍ୟ ଜ୍ୟୋତି ଉଦ୍ୟମ କରିଥିଲେ । କିନ୍ତୁ ଧିରେ ଧିରେ ସେ ଛୋଟ ପିଲାମାନଙ୍କୁ ପଢ଼ାଇବା ଆରମ୍ଭ କରିଥିଲେ । ଯାହା ପାଇଁ ତାଙ୍କୁ ୧୨୦ଟଙ୍କା ମିଳୁଥିଲା । ଏହି ଟଙ୍କାରେ ସେ ନିଜ ପିଲାମାନଙ୍କୁ ପାଳିବା ଆରମ୍ଭ କରିଥିଲେ । ଏହା ପରେ ସେ ଆମ୍ବେଦକର ମୁକ୍ତ ବିଶ୍ୱବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାଲାଭ କରିବା ସହ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଲାଭ କରିଥିଲେ। ଏହା ପରେ ଆମେରିକା ଯାଇ ଅନେକ ଛୋଟ ମୋଟ କାମ କରିବା ଆରମ୍ଭ କରିଥିଲେ । ୨ବର୍ଷ ପରେ ଭାରତ ଫେରିବା ପରେ ଜଣେ ଜ୍ୟୋତିଷ ତାଙ୍କୁ ସେଠାରେ ବ୍ୟବସାୟ କରିବା ପାଇଁ ଉପଦେଶ ଦେଇଥିଲେ । ପରେ ସେ ଆମେରିକା ଯାଇ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଯାହା ଆଜି ତାଙ୍କୁ କୋଟିପତି ବନାଇ ପାରିଛି ।

ସମ୍ବନ୍ଧିତ ଖବର