ଜାଣନ୍ତୁ, ମହାବିଷୁବ ସଂକ୍ରାନ୍ତିକୁ ପଞ୍ଜାବୀମାନେ କିଭଳି ପାଳନ କରନ୍ତି?

ମହାବିଷୁବ ସଂକ୍ରାନ୍ତିକୁ ପଞ୍ଜାବୀମାନେ ସବୁଠାରୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଏହା ପଞ୍ଜାବୀମାନଙ୍କର ନବ ବର୍ଷ ହୋଇଥିବା ହେତୁ ସାରା ଭାରତରେ ଥିବା ପଞ୍ଜାବୀମାନେ ବିଶେଷତଃ ପଞ୍ଜାବ, ଦିଲ୍ଲୀ, ଉତ୍ତର ଓ ମଧ୍ୟ ଭାରତରେ ଏହାକୁ ଧୁମଧାମ୍‌ରେ ପାଳନ କରିଥାନ୍ତି । ଏପ୍ରିଲ ୧୪କୁ ବୈଶାଖୀ ଦିନ ବୋଲି ମାନନ୍ତି ସେମାନେ ।

ଏହା ଶିଖ୍‌ମାନଙ୍କ ପାଇଁ ଏକ ଶୁଭଦିନ, କାରଣ ଏହି ଦିନ ଶିଖ୍‌ମାନଙ୍କର ଦଶମ ଗୁରୁ ଖାଲସା ପନ୍ଥର ପ୍ରତିଷ୍ଠା କରିଥିଲେ । ମହାବିଷୁବ ସଂକ୍ରାନ୍ତିକୁ ବୈଶାଖୀ ଭାବେ ପାଳନ କରିଥାନ୍ତି ପଞ୍ଜାବର ଅଧିବାସୀ ମାନେ । ରବି ଶସ୍ୟ ଅମଳ କରିବାର ଏହା ହେଉଛି ମୁଖ୍ୟ ଉତ୍ସବ ।

ଏହି ଅବସରରେ ପଞ୍ଜାବୀମାନେ ରଙ୍ଗିନ ପୋଷାକ ପିନ୍ଧିଥାନ୍ତି । ସେମାନେ ରଙ୍ଗିନ୍‌ ପଟିଆଲା, କୁର୍ତା, ଲୁଙ୍ଗି, ପଗଡ଼ି ପିନ୍ଧି ଭାଙ୍ଗଡ଼ା ଓ ଗିଧା ନାଚରେ ମସଗୁଲ୍‌ ହୋଇ ଥାଆନ୍ତି । ପଞ୍ଜାବର ଅଧିକାଂଶ ଗ୍ରାମରେ ବୈଶାଖୀ ଅବସରରେ ଲୋକନୃତ୍ୟର ଆୟୋଜନ କରାଯାଇଥାଏ, ଯାହାକୁ ଉପଭୋଗ କରିବା ପାଇଁ ଅନ୍ୟ ପ୍ରଦେଶରୁ ବି ଲୋକ ଆସିଥାନ୍ତି । ଯଦି କେହି ପଞ୍ଜାବର ପ୍ରକୃତ ସୁନ୍ଦରତା ଦେଖିବାକୁ ଚାହାଁନ୍ତି, ତେବେ ତାଙ୍କ ପାଇଁ ସବୁଠାରୁ ପ୍ରକୃଷ୍ଟ ସମୟ ହେଉଛି ବୈଶାଖୀ ।

ବୈଶାଖୀ ସମୟରେ ପଞ୍ଜାବୀମାନେ ନୂଆ ଦ୍ରବ୍ୟ କିଣିଲେ ଶୁଭ ବୋଲି ମନେ କରନ୍ତି । ସେମାନେ ନବ ବର୍ଷ ମନାଇବା ସହିତ ଭୋଜିଭାତରେ ବି ମାତିଥାନ୍ତି । ବିଶେଷ କରି ଶିଖ୍‌ ଧର୍ମାବଲମ୍ବୀମାନେ ଗୁରୁଦ୍ୱାରାକୁ ଯାଇ ନିଜ ପରିବାରର ସୁଖ ଓ ସମୃଦ୍ଧି କାମନା କରି ଗୁରୁଦ୍ୱାରାରେ ମାନସିକ କରିଥାନ୍ତି । ଏହି ଦିନ ଶିଖ୍‌ମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ଉଦ୍ଦେଶ୍ୟରେ ପଞ୍ଜାବୀ ଭାଷାରେ କହନ୍ତି, ‘ବୈଶାଖୀ ଦିୟାଁ ଲାଖ୍‌ ଲାଖ୍‌ ବଧାଇୟାଁ।’

ସମ୍ବନ୍ଧିତ ଖବର