ଏହି ମନ୍ଦିରରେ ପ୍ରବେଶ କରିବା ପାଇଁ ପୁରୁଷମାନେ ମହିଳାଙ୍କ ପୋଷାକ ପରିଧାନ କରନ୍ତି

ଭକ୍ତର ବିଶ୍ୱାସରେ ମନ୍ଦିର ହେଉଛି ଦେବଦେବୀଙ୍କ ନିବାସ। ତେବେ ଏଇ ବିଶ୍ୱାସକୁ କେନ୍ଦ୍ର କରି ବିଭିନ୍ନ ମନ୍ଦିରର ମଧ୍ୟ ରହିଛି ପୃଥକ ପରମ୍ପରା। କେଉଁ ମନ୍ଦିରକୁ ମହିଳାଙ୍କ ପ୍ରବେଶ ନିଷେଧ ତ କେଉଁ ମନ୍ଦିରକୁ ପୁରୁଷ ପ୍ରବେଶ ନିଷେଧ। ପୁଣି କେଉଁ ମନ୍ଦିରକୁ ପୁରୁଷ ପ୍ରବେଶ ପାଇଁ ରହିଛି ଅନେକ କଟକଣା। ଏଇ ଯେମିତି କୁତ୍ତାନକୁଲାଙ୍ଗରା ମନ୍ଦିର।

କେରଳର କୋଲ୍ଲମ ଜିଲ୍ଲାର ଚଭରା ଗ୍ରାମରେ ରହିଛି କୋତ୍ତାନକୁଲାଙ୍ଗରା ମନ୍ଦିର। ଏହି ଦେବୀ ମନ୍ଦିରରେ ଚଳି ଆସୁଥିବା ନିଆରା ପ୍ରଥା ପାଇଁ ଏହାର ସ୍ୱତନ୍ତ୍ର ପରିଚୟ ରହିଛି। ଏହି ମନ୍ଦିରକୁ ପ୍ରବେଶ କରୁଥିବା ଏବଂ ଏଠାରେ ପୂଜା କରିବା ପାଇଁ ଇଚ୍ଛା କରୁଥିବା ପୁରୁଷ ମହିଳାଙ୍କ ପୋଷାକ ପିନ୍ଧି ଆସିବାର ବିଧି ରହିଛି। ମହିଳାଙ୍କ ପୋଷାକ ବିନା ଏହି ମନ୍ଦିର ଭିତରକୁ ପୁରୁଷଙ୍କ ପ୍ରବେଶକୁ ବାରଣ କରାଯାଇଛି। କେବଳ ସେତିକି ନୁହେଁ, ଯାହିତାହି ଭାବେ ମହିଳାଙ୍କ ପୋଷାକ ପିନ୍ଧିଦେଲେ ଚଳିବ ନାହିଁ। ମହିଳାଙ୍କ ପରି ପୁରୁଷମାନେ ଷୋଳ ଶୃଙ୍ଗାର କରି ଆସିଲେ ଯାଇ ଭିତରକୁ ପ୍ରବେଶ କରିବା ପାଇଁ ଦିଆ ଯାଇଥାଏ। ଏହି ଦେବୀ ମନ୍ଦିରଟିରେ ପ୍ରତିବର୍ଷ ଚାମୟାଭିଲକ୍କୁ ପର୍ବ ପାଳନ କରାଯାଇଥାଏ। ଏଥିରେ ହଜାର ହଜାର ପୁରୁଷ ଭକ୍ତ ଯୋଗ ଦେଇଥା’ନ୍ତି। ଏହି ପର୍ବରେ ମହିଳାଙ୍କ ପୋଷାକ ପିନ୍ଧିଥିବା ପୁରୁଷମାନେ ରାତିରେ ପାରମ୍ପରିକ ଦୀପ ଧରି ଏକ ଶୋଭାଯାତ୍ରାରେ ମନ୍ଦିର ପରିକ୍ରମା କରିଥା’ନ୍ତି। ଏହି ସମୟରେ ପାରମ୍ପରିକ ବାଦ୍ୟ ମଧ୍ୟ ବାଦନ କରାଯାଇଥାଏ। ଏଭଳି କରିବା ଦ୍ୱାରା ସେମାନଙ୍କୁ ଦେବୀଙ୍କ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଏହି ପର୍ବ ସମୟରେ ଏଠାରେ ଏକ ସ୍ୱତନ୍ତ୍ର ମେକ୍‌ଅପ ରୁମ୍‌ ପ୍ରସ୍ତୁତ ହୋଇଥାଏ। ଏଠାରେ ପୁରୁଷମାନେ ମହିଳାଙ୍କ ଶାଢ଼ି ପିନ୍ଧିବା ସହ ଷୋଳ ଶୃଙ୍ଗାର କରିଥା’ନ୍ତି। କେଶରେ ଗଜରା ମଧ୍ୟ ଲଗାଇଥା’ନ୍ତି। ଏହି ମନ୍ଦିରର ଆଉ ଏକ ବିଶେଷତ୍ୱ ହେଲା, ଏହି ମନ୍ଦିରର ଗର୍ଭଗୃହ ଉପରେ କୌଣସି ଛାତ ନାହିଁ କିମ୍ବା କଳସ ନାହିଁ।

ମନ୍ଦିର ଓ କିମ୍ବଦନ୍ତୀ
ଏହି ମନ୍ଦିରଟିର ଦେବୀ ହେଉଛନ୍ତି ଦୁର୍ଗା ଭଗବତୀ ବା ଆଦିଶକ୍ତି। ମନ୍ଦିର ଥିବା ଜାଗାଟି ପୂର୍ବରୁ ଘଞ୍ଚ ଜଙ୍ଗଲ ରହିଥିଲା। ବିଭିନ୍ନ ଜୀବଜନ୍ତୁ ଏଠାରେ ରହୁଥିଲେ। ଏହି ସ୍ଥାନର ଉତ୍ତର ପଶ୍ଚିମ କୋଣରେ ଗୋଟିଏ କ୍ଷୁଦ୍ର ଅଥଚ ଗଭୀର ଜଳାଶୟ ରହିଛି। ଏହା ଭୁତକୁଲମ୍‌ ନାମରେ ଜଣାଶୁଣା। ଏଠାକାର ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ଏଠାରେ ଆଗରୁ ଭୟଙ୍କର ବିଷଧର ସର୍ପଙ୍କ ନିବାସ ସ୍ଥାନ ଥିଲା। ଏହାର ପୂର୍ବ ପଟେ ରହିଥିଲା ଏକ ବିରାଟ ଗଭୀର ପୁଷ୍କରିଣୀ। ବର୍ଷାଦିନେ ଏହାର ଜଳ ଉଚ୍ଛୁଳି ଆଖପାଖ ଜମିକୁ ମାଡ଼ି ତାକୁ ଉର୍ବର କରି ଦେଉଥିଲା। ଏଠାରେ ପ୍ରଚୁର ଘାସ ଓ ଜଳ ମିଳୁଥିବାରୁ ପୂର୍ବରୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଗୋଚରାଳି ମାନେ ଏଠାକୁ ଆସୁଥିଲେ।

ଏହି ମନ୍ଦିରକୁ ନେଇ ବିଶ୍ୱାସ ରହିଛି ଯେ ଏଠାରେ ଦେବୀ ସ୍ୱୟଂ ପ୍ରକଟ ହୋଇଥା’ନ୍ତି। କିମ୍ବଦନ୍ତୀ ମୁତାବକ ଏଠାକୁ ଗୋଚରାଳିମାନେ ଆସୁଥିବାରୁ ଥରେ ସେମାନେ ପଥରରେ ନଡ଼ିଆ ବାଡ଼େଇ ଭାଙ୍ଗୁଥିବା ବେଳେ ପଥରରୁ ରକ୍ତ ବୋହିବା ଦେଖିବାକୁ ପାଇଥିଲେ। ଏକଥା ସେମାନେ ଅନ୍ୟମାନଙ୍କୁ କହିବା ପରେ ସେମାନେ ଜଣେ ଜ୍ୟୋତିଷଙ୍କର ସହାୟତା ନେଇଥିଲେ। ଜ୍ୟୋତିଷ କହିଥିଲା ଯେ ସେହି ପଥରରେ କିଛି ଅଲୌକିକ ଶକ୍ତି ରହିଛି। ତେଣୁ ଲୋକମାନଙ୍କର ବିଶ୍ୱାସ ହୋଇଯାଇଥିଲା ଯେ ଏଠାରେ ଦେବୀ ବାସ କରୁଛନ୍ତି। ସେବେଠୁ ଏହାକୁ ଦେବୀଙ୍କର ସ୍ଥାନ ଭାବି ଲୋକମାନେ ମନ୍ଦିର ନିର୍ମାଣ କରି ପୂଜାପାଠ ଆରମ୍ଭ କରି ଦେଇଥିଲେ। ତେବେ ପ୍ରଥମେ ଗୋଚରାଳିମାନେ ଏଠାରେ କାଠ, ବାଉଁଶ, ନଡ଼ିଆ ଏବଂ ତାଳପତ୍ରରେ ଏକ ମନ୍ଦିର ନିର୍ମାଣ କରିଥିଲେ। ଝିଅମାନେ ପୂଜା ହାର ଗୁନ୍ଥିବା ଏବଂ ଦୀପ ଦେବା ପରି କାର୍ଯ୍ୟ ପ୍ରାଚୀନ କୁଡୁମ୍ବା ମନ୍ଦିରରେ କରୁଥିବାର ପ୍ରଥା ରହିଥିଲା। ସେହି ପ୍ରଥା ଅନୁସରଣରେ ଏଠାରେ ଗୋଚରାଳିମାନେ ମହିଳାମାନଙ୍କ ବେଶ ପୋଷାକରେ ଦେବୀଙ୍କୁ ପୂଜା କରିବାରେ ଲାଗିଲେ। ନଡ଼ିଆରୁ ପ୍ରସ୍ତୁତ ଏକ ଦ୍ରବ୍ୟ ଏଠାରେ ଦେବୀଙ୍କୁ ନୈବେଦ୍ୟ ଭାବେ ଅର୍ପଣ କରାଯାଇଥାଏ। ମନ୍ଦିରର ଉତ୍ପତ୍ତି ତଥା କିମ୍ବଦନ୍ତୀକୁ ମନେ ରଖିବା ପାଇଁ ପୂର୍ବରୁ ଥିବା ମନ୍ଦିର ପରି ମନ୍ଦିରର ଏକ ମଡେଲ୍‌ ପ୍ରତିବର୍ଷ ପ୍ରସ୍ତୁତ ହୁଏ।

ସମ୍ବନ୍ଧିତ ଖବର